କାଶତଣ୍ଡୀ ହସିଲା
କାଶତଣ୍ଡୀ ହସିଲା
ଆସିଲା ଶରତ ଓହ୍ଲାଇ ମରତ
ଧରଣୀ ସୁନ୍ଦର ଦିଶିଲା
ନଈ ପଠାପରେ ବର୍ଣ୍ଣିଳ ଛଟାରେ
ଫୁଟି କାଶତଣ୍ଡୀ ହସିଲା ।
ଧବଳ ଚାମର ଧରି ନିରନ୍ତର
କ୍ଷିତି ଶିରେ ଛତ୍ର ତୋଳିଲା
ବାତ ତାଳେ ତାଳେ ଆଲଟି ଚଞ୍ଚଳେ
ଧରଣୀର ବ୍ୟଥା ହରିଲା ।
ନୀଳ ଗଗନରେ ଧଳା ମେଘମାଳେ
ଜହ୍ନ ଲୁଚକାଳି ଖେଳିଲା
ଧିରେ ଗୋଳିପାଣି ନୀଳ ଦିଶିଲାଣି
ଗାଧୁଆର ମଜା ମିଳିଲା ।
ସାଗୁଆ କ୍ଷେତରେ ଧରଣୀ ବକ୍ଷରେ
ଅପୂର୍ବ ଶୋଭା ଚହଟିଲା
ଧରି ଦିଗବଳୟ ସବୁଜ ବଳୟ
ପାହାଡ଼ ପର୍ବତ ଘୋଟିଲା ।
କୁମୁଦ କମଳ ଫୁଟି ସରୋବର
ଅତି ମନୋହର ଦିଶିଲା
ଫୁଲେ ଫୁଲେ ବୁଲି ମଧୁ ଶୋଷି ଅଳି
ଗୁଣୁ ଗୁଣୁ ସ୍ୱନେ ଭାଷିଲା ।
ମାଆ ଦଶଭୁଜା ଭବାନୀ ଗିରିଜା
ଦଶହରା ପର୍ବ ଆସିଲା
ମେଢ଼ ମଣ୍ଡପରେ ଆତସବାଜିରେ
ପଲ୍ଲୀରୁ ସହର କମ୍ପିଲା ।
ଦେବୀ ପୂଜନରେ ବ୍ୟସ୍ତ ନାରୀନରେ
ଭୁବନ ସୁଷମା ବଢ଼ିଲା
ମାଆର ଆଶିଷେ ହୃଦୟ ସରସେ
ଖୁସିର ଲହରୀ ମାଡ଼ିଲା ।
ଜନ୍ମାଷ୍ଟମୀ ତିଥି ଗଣେଶ ଚତୁର୍ଥୀ
ବଳଭଦ୍ର ପୂଜା ପଡ଼ିଲା
ଅନନ୍ତବରତ ପୁଣ୍ୟ ଭାଗବତ
ଜନ୍ମ ତିଥି ପୋଥି ବଢ଼ିଲା ।
କୁଆଁର ପୁନେଇ ପରବେ ଘନେଇ
ପୁଚି ଖେଳେ ମନ ରସିଲା
ଝିଅଙ୍କ ପରବ ଖୁଦରକୁଣିରେ
କାଗଜ ନଉକା ଭାସିଲା ।
ସବୁର ପରଶେ ମନର ହରଷେ
କାଶତଣ୍ଡୀ ପ୍ରଭା ଛୁଟିଲା
ଅଭାବହଟିଲା ହାସ ଉକୁଟିଲା
ନୂଆଖାଇ ପର୍ବ ଜୁଟିଲା ।
