କେଡ଼େ ସୁନ୍ଦର ସାଜଇ
କେଡ଼େ ସୁନ୍ଦର ସାଜଇ
କେଡ଼େ ସୁନ୍ଦର ସାଜଇ ଲୋ, କଳାମେଘରେ ବିଜୁଳି
ଶ୍ୟାମ ଶୈଳ ଚୂଳେ ଧଳା ମେଘଖଣ୍ଡ
ରାଇ କୋଳେ ଶିଖୀଚୂଳି ଲୋ |
ନଈକୁ ସୁନ୍ଦର ନାଆ ଲୋ, ଆକାଶେ ଚନ୍ଦ୍ରଉଦିଆ
କହ୍ନେଇ ବଦନେ ବଇଁଶୀ ସୁନ୍ଦର
ଶିବ ଶିରେ ଗଙ୍ଗା ମାଆ ଲୋ |
ନରକୁ ସୁନ୍ଦର ମୁଛ ଲୋ, ନାରୀକୁ ସୁନ୍ଦର କୁଚ
ବହିକୁ ସୁନ୍ଦର ଛବିଳ ମଲାଟ
ମୟୂରକୁ ଶୋହେ ପୁଚ୍ଛ ଲୋ |
ଗିରିକୁ ସୁନ୍ଦର ଶୃଙ୍ଗ ଲୋ, ପଦ୍ମକୁ ସୁନ୍ଦର ଭୃଙ୍ଗ
ଦେବାଳୟ ଚୂଳେ ପତାକା ସୁନ୍ଦର
ଚିଲିକାକୁ ଶୋହେ ଖଗ ଲୋ |
ସଧବା ଭାଲେ ସିନ୍ଦୂର ଲୋ, କ୍ଷେତକୁ ବାଡ଼ ସୁନ୍ଦର
ବାହାଘର ପାଇଁ ରୋଷଣୀ ସୁନ୍ଦର
ମୁକୁଟ ରାଜନ୍ୟ ଶିର ଲୋ |
କୂଅକୁ ଚାନ୍ଦିନୀ ବେଢ଼ା ଲୋ, ପୋଖରୀକୁ ଶୋହେ ହୁଡ଼ା
ଜଙ୍ଗଲ ସୁନ୍ଦର ବାଘ ମାମୁଁ ଥିଲେ
ପୁଅକୁ ସୁନ୍ଦର ପଢ଼ା ଲୋ |
ହାତୀକୁ ସୁନ୍ଦର ଦାନ୍ତ ଲୋ, ଘରକୁ ସୁନ୍ଦର ଛାତ
ଗଛ ଲତା ଥିଲେ ଧରଣୀ ସୁନ୍ଦର
ସୁନାବେଶେ ଜଗନ୍ନାଥ ଲୋ |
ଫଣୀକୁ ସୁନ୍ଦର ଫଣା ଲୋ, ମଶାଣିକୁ ଶୋହେ ବଣା
ସାଗରେ ସୁନ୍ଦର ଉତ୍ତାଳ ଲହରୀ
ବୋଇତକୁ ପାଲ ଟଣା ଲୋ |
ଗଡ଼ିଆକୁ ମାଛଚାଷ ଲୋ, କେଦାରକୁ ଧାନ୍ୟଶସ୍ୟ
କୁଳବଧୂ ଶିରେ ଓଢ଼ଣା ସୁନ୍ଦର
ଓଠକୁ ସୁନ୍ଦର ହସ ଲୋ |
ଗାୟକକୁ ମିଠା କଣ୍ଠ ଲୋ, କାତିକୁ ସୁନ୍ଦର ବେଣ୍ଟ
ସାହିତ୍ୟକୁ ପରା କବିତା ସୁନ୍ଦର,
ନଦୀକୁ ସୁନ୍ଦର ଘାଟ ଲୋ |
ଘରକୁ ବିଜୁଳି ବତୀ ଲୋ, ନେତାଙ୍କୁ ଖଦଡ଼ ଧୋତି
ବାବାଜୀଙ୍କୁ ସାଜେ ଗେରୁଆ ବସନ
ଚୋରକୁ ଅନ୍ଧାର ରାତି ଲୋ |
ସରକୁ ଶୋଭା କମଳ ଲୋ, ମଥାକୁ ଚାରୁ କୁନ୍ତଳ
ଭୂମଣ୍ଡଳ ଶୋଭା ଭାରତ ବରଷ
ଉତ୍କଳରେ ନୀଳାଚଳ ଲୋ |
ଓଟକୁ ସୁନ୍ଦର କୁଜ ଲୋ, ଜଗାକୁ ଖଣ୍ଡିଆ ଭୁଜ
ଧରମ ସୁନ୍ଦର ପର ଉପକାର
ଛିଟା ଚିହ୍ନେ ଶୋହେ ମୃଗ ଲୋ |
ନାରୀକୁ ସୁନ୍ଦର ଲଜ୍ଜା ଲୋ, ଲତାକୁ ସୁନ୍ଦର ରଞ୍ଜା
ଜଗନ୍ନାଥ କହେ ଭକତି ସୁନ୍ଦର
କର ବିଭୁ ପଦ ପୂଜା ଲୋ |