ମୁକ
ମୁକ


କହିବାକୁ ପ୍ରସ୍ତୁତ ସମସ୍ତେ ଏଠି
କିନ୍ତୁ କାହିଁକି କାନଥାଇ ଶୁଣିବାକୁ ଅରାଜି ଅମଙ୍ଗ,
ନିର୍ମାଣ ହୁଏ ଧର୍ମ ସଙ୍କଟର ମହଲ
ଠିକ୍ ଏହି ସମୟରେ ଏହି ମୁହୂର୍ତ୍ତରେ
ସମସ୍ଯା ସମାଧାନର ସମୟ ଗଡ଼ିଚାଲେ
ସମ୍ପର୍କ ସୁରକ୍ଷାର ଚିନ୍ତାରେ,
କହିବାକୁ ଦିଏନି ବିବେକ କାହିଁକି
କାରଣ ଯେ ଭିନ୍ନ ଭିନ୍ନ ସମ୍ପର୍କର ମୋହ ଓ
କେତେକଙ୍କ ପାଖରେ ଟଣାଥିବା ଲକ୍ଷ୍ମଣରେଖା,
ବାରବାର ଅଟକିଯାଏ ଶବ୍ଦସବୁ
ସୀମାର ଆତ୍ମୀୟତାର ନିର୍ଦ୍ଧିଷ୍ଟ ବଳୟ ମଧ୍ଯରେ
ଫେରିଯାଏ ପୁଣି ଭିତରକୁ ଏହା ଯେ ବାଧ୍ଯବାଧକତା
ଛାତିରେ ଜନ୍ମନିଏ ଅହରହ ଅଜସ୍ର କୋହ
ମୁକ୍ତ ନୁହେଁ ସେ ମନଖୋଲିବାକୁ
ନୀରବତା ଖୋଜେ ମନକୁ ମନ କାନ୍ଦିବାକୁ
ଛାତିର କଷଣ କୋହ ଯେତେ ଅସହ୍ଯ ସବୁ
ଅସହାୟ ସେ ଏକାକୀ ହିଁ କାନ୍ଦିପାରେ,
ମୁକ ନୁହେଁ ସେ କଦାପି
ତଥାପି କିଛି ଶବ୍ଦ ତାର ବାନ୍ଧିଦିଏ ମୁ
ଖ
ସମୟର ମୂଲ୍ଯ ବୁଝେ ବୋଲି
ପ୍ରତି ମୁହୂର୍ତ୍ତରେ ଛଟପଟ ହୁଏ ଅନ୍ତରେ
କିନ୍ତୁ କିଏ ବା ବୁଝିବ କିଏ ବା ଶୁଣିବ
ଯିଏ ଶୁଣିବାକୁ ନାରାଜ
ସିଏ ବୁଝିବାର ତିଳେମାତ୍ର ନାହିଁ ଆଶା
ନା ଭାଗ୍ୟକୁ ଭରସା ନା ଈଶ୍ବରଙ୍କ ପରେ ନିରାଶା
ଏତ କରମର ଫଳ
ପୂର୍ବ ଜନମର ଅଭିଶାପଟିଏ ମାତ୍ର
ଜଳୁ ଆହୁରି ଜଳୁ ଜଳିପୋଡ଼ି ଶେଷ ହେଉ
ତଥାପି ଚୁପ୍ ହିଁ ତ ରହିବ,
ଭୋକ ମରିଗଲା ପରେ
ସୁସ୍ୱାଦୁ ସ୍ୱାଦିଷ୍ଟ ଭୋଜନ ଆସିବ
ନିଶ୍ୱାସ ଛାଡ଼ି ଗଲାପରେ ଆମ୍ବୁଲାନ୍ସର ହର୍ଣ୍ଣ ବାଜିବ
ମନଘର ପୋଡ଼ି ଛାରଖାର ପରେ
ଆସିବ ପରିସ୍ଥିତିର ନାଲିରଙ୍ଗର ଦମକଳ
ମୁକ ପାଲଟିଯିବାକୁ ସମୟ ଦିଏ ନିର୍ଦ୍ଦେଶ
କିନ୍ତୁ ମୁକ ହେବା ମାନେ ସମସ୍ୟାର ଆକାଶ ଗଢିବ
ଲୁହ ବୋହି ଓଠକୁ ଛୁଇଁଲା ପରେ
ଆଉ ଲୁହକୁ ଅଟକାଇବାର ପ୍ରୟାସ
ସବୁ ବ୍ୟର୍ଥ ସବୁ ନଷ୍ଟ ସବୁ ଶେଷ..!!!!