ଭଙ୍ଗା ହୃଦୟର ଗାଥା
ଭଙ୍ଗା ହୃଦୟର ଗାଥା
ଜଳିଥିଲା ବୋଲି ଫୁଲର ସହର
ପହିଲି ପ୍ରେମର ଉଷା
ଜଳିଗଲା ଆଜି ଦେହ ମନ ପ୍ରାଣ
ଶୁଣି ସଖୀ ତୋ'ର ଭାଷା I
ହୃଦୟରୁ ଯେବେ ପ୍ରଣୟ ଝଙ୍କାର
ଶୁଭୁଥିଲା ତୋ'ପାଇଁ
ସେତେବେଳେ ସଖୀ ଝଡର ବିଗୁଲ
ବଜାଇଲୁ କାହିଁପାଇଁ I
ମନ ଗହନରେ ଲେଖିଲି ବୋଲି ମୁଁ
କବିତାର କେଇ ଧାଡି
ଅବୁଝାପଣର ଝାଞ୍ଜି ପବନରେ
ହୃଦୟ ମୋ ଦେଲୁ ପୋଡି I
ମଳୟ ଲାଗିଲା ଖଇଫୁଟା ଝାଞ୍ଜି
ତୋପାଇଁ ଲୋ ପ୍ରିୟ ସଖୀ
ସରାଗରେ ଥରେ ଦେଖି ପାରିଲୁନି
ଲୁହଭରା ମୋର ଆଖି I
କାନ୍ଦିବା ଯାହାର କପାଳ ଲିଖନ
ଭାଙ୍ଗି ଯାଇଛି ଯା ମନ
ସେ କ୍ଷତ କେବଳ ଭରିଦେଇପାରେ
ତୋ' ପ୍ରୀତିର ସମ୍ମୋହନ I
ସୁଖେହେଉ ଅବା ଦୁଃଖେହେଉ ସଖୀ
ଦିନସବୁ ସରିଯିବ
ରାତିପାହି ଯେବେ ସକାଳ ହୋଇବ
ଶମଶାନ ଡାକଦେବ I
