STORYMIRROR

ଦୀପଙ୍କର ଦାସ

Abstract Tragedy Inspirational

3  

ଦୀପଙ୍କର ଦାସ

Abstract Tragedy Inspirational

ବାପା

ବାପା

1 min
153

କଂସାଏ ପଖାଳ ଖାଇ

ବିରିୟାନିର ହସ ହସିପାରୁଥିବା 

ମଣିଷଟା ବୋଧେ ବାପା

ଆଉ ବିରିୟାନି ଖାଇ ବି

ଖୋଲା ହସଟେ ହସି ପାରୁନଥିବା 

ମଣିଷଟା ବୋଧେ ମୁଁ

ଗାଆଁରୁ ଆସନ୍ତି ବାପା

ଅନୁସରଣ କରି ଚାଲିଆସେ ଗୋଟେ ବିରାଟ ପୃଥିବୀ

ବାପାଙ୍କ ଚପଲରେ ଗୋଡ଼ ରଖି ଆସେ 

ମୋ ଗାଆଁ ଦାଣ୍ଡ ଧୂଳି

ସୁବର୍ଣ୍ଣ ରେଖାର ବାଲି

ଛାତି ପକେଟକୁ ରକେଟ୍ କରି ଉଡ଼ି ଆସେ

ଅମଳ ଧାନର ପାଚିଲା ଶସ୍ୟ

ଗାଆଁ ଧାନ କ୍ଷେତ ସେ ମାଟିର ସୁବାସ

ଗୋଡ଼ ପାଖ ସୁଟ ସହ ଛନ୍ଦି

ଛପି ହେଇ ଆସିଛି ଘାସ ଫୁଲ

ବାପା ବ୍ୟାଗ୍ ରୁ ବାହାର କଲେ

ପଛ ବାଡି ପଟ ପିଜୁଳି

ନଖି ନାନୀ ଘର ବରକୋଳି

ମାଆ ଦେଇଥିବା ଆରିସା ପିଠା

ଗାଆଁ ଶେଷମୁଣ୍ଡ ଗୁଡ଼ିଆ ଭାଇର ମିଠା

ଗାମୁଛା ଖୋଲି ଝାଳ ପୋଛିଲେ ବାପା

ପୋଛି ହେଇଗଲା ଥକାପଣର ଭାବନା

ଆଉ ବୋହି ଆସିଲା ୟୁରିଆ ସାରର ବାସ

ସେ ବାସ୍ନାରେ ମୂର୍ଚ୍ଛା ହେଲା 

ମୋ ଦାମିକା ବଡିସ୍ପ୍ରେର ମାମୁଲି ସୁବାସ

ବେକାରୀ ଖବର ମାତୁଛି

ଛାତ୍ର ପଂଖାରେ ଝୁଲୁଛି

ପିଠି ଥାପୁଡି ସାହସ ଭରି ବାପା କୁହନ୍ତି

"ଚାକିରୀ ନହେଲେ ନାହିଁ

ଡ଼ରିବୁନି ବାପା

ଆମର ଜମି ଅଛି,ହଳ ଅଛି

ସବୁ ଶେଷରେ 

ଏବେ ବି ଖଟି ପାରୁଥିବା ତୋ ବାପା ଅଛି"

ଫେରିବାର ସମୟ ଆସେ 

ଫେରି ଯାଆନ୍ତି ବାପା

ତାଙ୍କ ପଛେ ପଛେ ଘୋଷାଡି ଯାଏ

ବାପା ଆଣିଥିବା ଗାଆଁ

ମୁଁ ଚେଷ୍ଟା କରେ ଭିଡ଼ି ଧରିବାକୁ

ସେ ଜିତିଯାଇ ପ୍ରଶ୍ନ କରେ

ତୁ ସହରେ ରହି ସହରୀ ହେଇଛୁ

ପୁଣି ଗାଆଁକୁ କେବେ ଫେରୁଛୁ ?

ଅନେକ କିଛି ସହି ଯାଇ

ନୀରବରେ କାନ୍ଦୁଥିବା ସନ୍ତ୍ରାସର

ନାଆ ବୋଧେ ବାପା

ଆଉ ଟିକେ ଦୁଃଖ ସହି ନପାରି 

ବାପା ବାପା ଡ଼ାକୁଥିବା ଗୋଟେ

ଆତଙ୍କର ନାଆ ବୋଧେ ମୁଁ

ନିରବତାର ଗୋଟେ ତୀବ୍ର କୋଳାହଳ

ବୋଧେ ବାପା

ନିଜ ସ୍ବପ୍ନ ଭୁଲି ମୋତେ ଗଢିବାର ପ୍ରୟାସ

ବୋଧେ ବାପା

ପିଲାବେଳେ ନାଲିଆଖି ଦେଖୁଉଥିବା ଖଳନାୟକ

ବୋଧେ ବାପା

ଏମିତି ଅନେକ କିଛିକୁ ନେଇ ଚଳନ୍ତି ଭଗବାନ

ବୋଧେ ବାପା

ତାଙ୍କୁ ଲେଖିବାର ମିଛ ଚେଷ୍ଟା କରିଥିବା

ତୁଚ୍ଛ ମଣିଷଟା ବୋଧେ ମୁଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract