ନିଶାରେ ସହର।
ନିଶାରେ ସହର।
ଥକାପଣର ଗୋଟେ ଚାଦର ଘୋଡି ରଦ୍ଦି କାଗଜର
ବିଛଣା ଉପରେ
ଓଭରବ୍ରିଜ୍ ତଳେ ଶୋଇରହିଛି ଆଗତ ଭବିଷ୍ୟତ
ନିକଟ ଭବିଷ୍ୟତ ବେଫିକର୍ ଚକ୍କର୍ କାଟନ୍ତି ନିଛାଟିଆ ପାର୍କରେ
ମାୟାଧର ମାନସିଂହର କଲମ ଇଙ୍ଗିତରେ
ପୋଡ଼ା ଅତୀତ ସଢ଼ି ସଢ଼ି ମରନ୍ତି ବୃଦ୍ଧାଶ୍ରମରେ
ଲୁହର ସହର ଭିତରେ ହସବି ମିଳିଯାଏ
ସକାଳୁ ସକାଳୁ ସ୍ବାସ୍ଥ୍ୟ ପ୍ରେମୀ ପାଗଳ ପାଖରେ
ନ୍ୟାୟରେ ଧୂଳିଜମି ପୋତା ହେଇଯାଏ
ମୋଟା ଚିକମିକ୍ କଭର୍ ଲଗା ଥାକ ଥାକ ଫାଇଲ ତଳେ
ଶିକ୍ଷିତ ବାବୁମାନେ ଝୁଲି ପଡନ୍ତି ଟାଏର ଫାଶରେ
ଦକ୍ଷତାର ଗଳା ଦବେଇ ଦିଏ କ୍ଷମତା
ଏଇ ଭିତରେ ବି ମୁଁ ଶୁଣିପାରେ ପ୍ରତିଶ୍ରୁତିର ମିଛ ଲାଞ୍ଛନା
ଦୁଃଖ ସବୁ ବତୁରି ଯାଏ ମଧୁଶାଳାର କାଚ ଗ୍ଲାସରେ
ସୁଖ ହାସ୍ୟରଳ କରେ ରେଡ୍ ଲାଇଟ୍ ଏରିଆ ବିଟବିର ଛାତିତଳେ
ଏକଲା ଦେଖିଲେ ମାଡ଼ି ଆସେ ଝଡ଼ ବିନା ପାଣିପାଗର ସୂଚନାରେ
ଯୌବନର ଛାତିରୁ ଉଡ଼େଇ ନିଏ ଚୁନରି
ଅସହାୟତା ଦୌଡ଼ି ବୁଲେ ଫୋର୍ ଜି ସହରର ଟ୍ରାଫିକ କାଟି
ୟୁଟୁବ୍ ଆଉ ଫେସବୁକରେ
ଜାଣି ପାରେନି ସମୟ ସବୁ କେମିତି ଉଭେଇ ଯାଆନ୍ତି ମୋବାଇଲ ସ୍କ୍ରିନରେ
ଅଗ୍ରଗତିର ଆଳରେ ଶ୍ୱାସରୁଦ୍ଧ ହୁଏ ଯୋଜନା ସବୁର
ଏଇତ ତୁମର ନିଶାର ସହର
ତଥାପି ତୁ କି ସାହସରେ ପଚାରୁ କିସ ଅଛି ତୋର ଗାଆଁରେ??
ବହୁତ୍ କିଛି ଅଛି ମୋ ଗାଆଁରେ
ଏଠି ସଚ୍ଚି ଅଛି
ସଚ୍ଚିର ଷଠିଘର,ପାଠଘର ,ଏନ୍ତୁଡ଼ିଶାଳ ଅଛି
ଅଧା କଚ୍ଚା ଅଧା ପକ୍କା ବିନୋଦର ଗ୍ରାମପଥ ଅଛି
ଜଇୟା ଝୁଲୁଥିବା ବରଗଛ ଏବେବି ଗୁମୁରି କାନ୍ଦେ
ହଳଧରର ଧଡ୍ ବରଗଛ ଏବେ ବି କବିତା ଫାନ୍ଦେ
ଦେଖିଛି ମୁଁ ଫକୀର ମୋହନ ପେଟେଣ୍ଟ ମେଡ଼ିସିନ୍ ଦିଅନ୍ତି
ନଈ ପଠାରେ ନିରଳାରେ ମେହେର କବିତା ଲେଖନ୍ତି
ଘଷି ଲିପାଥିବା ଅଙ୍ଗନବାଡ଼ି
ଶାସନ ପାଇଁ ବୁଢାବାର ବଙ୍କୁଲି ବାଡି
ଯନ୍ତ୍ର ଭରସାରେ ନଥିବା ଚଷା ଭାଇର ଶଗଡ଼ଗାଡ଼ି
ସବୁ ପରେ ବି ଗୋଟେ ସତ ହସ ଅଛି
ଅନ୍ୟାୟ ହେଲେ ପଞ୍ଚାୟତ ଅଛି
ମୋତେ ତ ସବୁଠୁ ବେଶୀ ଭଲଲାଗେ ତାସ୍ ଘରର ଝଗଡ଼ା
ସନ୍ଧ୍ୟାର ଭାଗବତ ଟୁଙ୍ଗି, ମା ମନସାଙ୍କ ଆଖଡ଼ା
ଚାକିରୀକୁ ନିଘା ନରଖି ଭାଗ ଚାଷରେ ବିତିଯାଏ ଯୌବନ
ଝାଟି ମାଟିର ଛପର ତଳେବି ଏକାଠି ହେଇ ଖୁସିରେ କଟେ ଜୀବନ
ଏମିତି ଅନେକ କିଛିକୁ ନେଇ ଆମେ ଗାଉଁଲି ଆଉ ଆମ ଗାଆଁ
ଧରିନିଅ ଖୁସିର ଗୋଟେ ଛୋଟ ପୃଥିବୀ ଆମ ଗାଆଁ।