ଯବନିକା
ଯବନିକା
ତୁମର ବ୍ୟସ୍ତ ବହୁଳ ଜୀବନ
ମୋର ମୁଁହ ମାଡ଼ି ଥକି ଶୋଇ ରହିଥିବା ଏକଲାପଣ ।
ଜୀବନକୁ ଖୋଜୁଥିଲି ଭିଡ଼ ଭିତରେ,
ନାହିଁ ନଥିବା କିଛି ବାସ୍ତବତାରେ,
କିଛି ଢୋକ ସ୍ମୃତିକୁ ପିଇ ଅତୀତ ଭିତରେ,
ଆଉ ଜୀବନ ଅଙ୍କୁରୋଦ୍ଗମ୍ କରୁଥିଲା ବର୍ତ୍ତମାନର କିଛି ବୁନ୍ଦା ଲୁଣିଆ ଲୁହରେ ।
ଆଲୁଅ ଖୋଜିବାହାରିଥିଲି ଧୁ ଧୁ ଖରାବେଳେ,
କିଟ୍ ମିଟ୍ ଅନ୍ଧାରେ ଏଲିଡି ଲାଇଟ୍ ରେ,
ଜହ୍ନ ଆଲୁଅର ଏକାକୀ ରାତିରେ,
ଆଉ ଆଲୁଅ ଛାତିରୁ ଚରି ଜଳୁଥିଲା ଦିଗ୍ ଦିଗ୍ ହେଇ ଦୁଇ ଯୋଡ଼ା ଆଖି ଡୋଳାରେ ।
ଶାନ୍ତି ଖୋଜୁ ଖୋଜୁ ନୟାନ୍ତ ହେଲି,
ଖୁସିର ଚିହ୍ନବର୍ଣ୍ଣ ନଥିଲା,
ହସ ସବୁ କଟାକ୍ଷରେ ଚାହିଁ ଉପହାସ କରୁଥିଲେ,
ଏଇ ଭିତରେ ଜୀବନ ଜଳି ଜଳି ଯାଉଥିଲା ଦୁଇ ଚାରିଖଣ୍ଡ କାଠରେ
" ରାମ ନାମ ସତ୍ୟ ହେ , ହରି ନାମ ସତ୍ୟ ହେ"
ଆଉ କାହାର ଆଖିର ଲୁହରେ ।