ସୁଅ ମୁହଁରେ ପତର
ସୁଅ ମୁହଁରେ ପତର
ନାଆଟେ ଦେଇଛ ପାରି କରିବାକୁ
ସଂସାର ସାଗର ପରା
ଦେଇଅଛ ବୋଲି ନାମତ ବୋହିଛ
ଦେଖିବାକୁ ସେ ଦଦରା।
କେତେ ମୁଁ ସଜାଡି ଚାଲିବି ଅଗରୁ
ଅକାତକାତ ତ ପାଣି
ପାଏ ନାହିଁ କାତ ମଝି ଗଣ୍ଡସ୍ଥଳେ
ଦଦରା ଡଙ୍ଗାଟେ ପୁଣି।
ରୋଗ ବ୍ୟାଧି ସବୁ ଖଞ୍ଜି ତ ଦେଇଛ
ପାରୁ ନାହିଁ ଆଉ ମୁହିଁ
ଦୁଃଖର ପାହାଡ଼ ପାରି କରିବାକୁ
ମନରେ ଭରସା ନାହିଁ।
ଘର ବୋଲି ଯାହା କହିବା ପାଇଁକି
ଦେଇଛ ଚାଖଣ୍ଡେ ଭୂଇଁ
ଆତ୍ମିୟ ସ୍ବଜନ ବନ୍ଧୁ ପରିଜନ
ଏକକୁ ଆରେକ ତହିଁ।
କାହାକୁ ନେଇ ମୁଁ ଦଦରା ଡଙ୍ଗାରେ
ପାରି କରିବି ସାଗର
ଦୁଇ ହାତ ମୋର ଆହୁଲା ସାଜିଛି
ସୁଅ ମୁହଁରେ ପତର।
କେତେବେଳେ ନାଆ ବୁଡ଼ିଯିବ ପରା
ହେଉଅଛି ଟଳମଳ
ହାବୁକା ହାବୁକା ପାଣି ତ ପଶୁଛି
ଜୀବନକୁ ନାହିଁ ଡର।