STORYMIRROR

ଦୀପଙ୍କର ଦାସ

Action Fantasy Inspirational

3  

ଦୀପଙ୍କର ଦାସ

Action Fantasy Inspirational

ବୋହୂ ସାଜିଥିବା ଝିଅ

ବୋହୂ ସାଜିଥିବା ଝିଅ

1 min
167

ଉତୁରୁ ଥିବା ପେଜ ଭଳି ତାର ଆଶା ସବୁ

ଢାଙ୍କୁଣି ଦେଇ କେତେ ଚେଷ୍ଟା କରେ ଘୋଡେ଼ଇ ଦେବାକୁ

ଜିରା, ଫୁଟୁଣ ଫଟ୍ ଫାଟ୍ କରି ବିଦ୍ରୋହ କରନ୍ତି

ଆଉ କୁହନ୍ତି ଅନ୍ୟାୟ ହେଲେ ମୁଁହ ଖୋଲିବାକୁ

ଲୁହ ତେଲ ଭଳି ଭାସୁଥାଏ

ଗାଲ ଦେଇ ବୋହି ଯାଏ ,ଗଭୀର ବକ୍ଷ ଗହ୍ୱରକୁ

ଆଗକୁ ପଢ଼ିବି ବୋଲି କହି କହି ଥକିଗଲା

ଏବେ ଓଲଟିବାକୁ ପଡ଼େ ହାଣ୍ଡିଶାଳ ବିଜ୍ଞାନର ପୃଷ୍ଠାସବୁକୁ

ପେଟରେ ଭୋକ ମରିଯାଏ

ଅପେକ୍ଷା କରିବାକୁ ପଡେ,ହାଣ୍ଡିର ଶେଷ ଚାଉଳ ଦାନାକୁ

ଶୁଖିଲା ପତ୍ର ଭଳି ଭିଣାବୁଣା ତାର ସ୍ବପ୍ନସବୁ

ଗୋଟେଇ ଆଣି ଫିଙ୍ଗିଦିଏ ଧୂଆଁ ଉଠୁଥିବା ଚୁଲି ଭିତରକୁ

ପିଆଜ ଭଳି ପରସ୍ତ ପରସ୍ତ ଅଭିମାନ

ଛାଡ଼ିଗଲେ ଉଡ଼ିଯାଏ ଗଭୀର ନୀଳ ଆକାଶକୁ

ବାପଘରେ ଓଢ଼ଣି ଦେଇ ଘୋଡେ଼ଇ ରଖିଥିବା ଯୌବନ

ଅନିଚ୍ଛା ସତ୍ତ୍ୱେ ପ୍ରତିଦିନ ଖୋଲି ଜଳାଜ୍ଜଳି ଦିଏ କୋମଳ ଦେହକୁ

ଝାଡୁରେ ଓଳେଇ ଓଳେଇ ଫିଙ୍ଗିଦିଏ ଆବର୍ଜନା

କିଏ ଜାଣେ କିଏ ଓଳେଇଦେବ ତାର ଛାତିରେ ବରଫ ଭଳି ଜମିଥିବା କିଛି ଖଣ୍ଡ କୋହକୁ

ହଁ ,ସ୍କୁଲରେ ଚିତ୍ରକଳାରେ କେତେ ନାଆ ତାର

ଏବେ ମାର୍ଗଶିରରେ ଭୂଇଁରେ ଲୋଟେଇ ଦିଏ ସୁନ୍ଦର ପ୍ରତିଭାକୁ

ହଁ,ସେ ସୁନ୍ଦର ସୁନ୍ଦର କବିତା ଲେଖୁଥିଲା

ଏବେ ସେ ସବୁ ଗାଇ ଶୁଆଇ ଦିଏ,ଅଳି କରୁଥିବା ଛୁଆକୁ

ମାଆ ଡାକି ଆଶା ରଖେ ଝିଅ ଶୁଣିବ

ହେଲେ ସେ ସାଜିଛି ବୋହୂ କିଏ ଡାକିବ ମମତା ବୋଳା ସେ ଶବ୍ଦକୁ

ମାଆ ଗାଳି ଦେଲେ ମୁଁହ ଫୁଲାଉଥିଲା

ଏବେ ନୀରବରେ ସହିବାକୁ ପଡ଼େ ମାଡ଼ ,ଗାଳି ଆଉ ଧିକ୍କାର

ମୁଁ ଅକିଞ୍ଚନ ଆଉ କଣ ଲେଖିବି

ତୁମେ ତ ନିଶ୍ଚୟ ଦେଖିଥିବ ବୋହୂ ସାଜିଥିବା ଝିଅର ଯନ୍ତ୍ରଣା ସବୁକୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action