ନାରୀ
ନାରୀ
ସେଦିନ ରବିବାର ଥିଲା
ସେ ତାର ଶୋଇବାଘର ଝାଡି ଦେଇ
ସବୁ ଆବର୍ଜନା ଡଷ୍ଟବିନ୍ ରେ ପକେଇ ଆସିଲା
ଦେଖି ଆଶ୍ଚର୍ଯ୍ୟ ହେଲି
ସେଥିରେ ତୁମେ,ମୁଁ ଆଉ ସମାଜ
ଦେଇଥିବା ଅପମାନ,କଟୁ ଶବ୍ଦ, ପରାଧୀନତା
ଆଉ କିଛି ଲୁହ ଛଡ଼ା କିଛି ବି ନଥିଲା
ଆଉ ଆଶୀର୍ବାଦ ଟିକକରେ ପାଣି ଦେଇ
ପୁଣି ପଢ଼ିବା ଟେବୁଲରେ ସଜେଇ ଦେଲା
ସବୁ ଝିଅର କାହାଣୀ କିଛି ଏମିତି ଅଛି ଆଉ ଥିଲା।
ଭାବିଲି ମୁଁ ତୁମ ଉପରେ ଏକ କବିତା ଲେଖିବି
ହେଲେ ଅଭିଧାନରେ ଶବ୍ଦ ନଥିଲା
ଆଉ କିଛି ଶବ୍ଦ ତୁମକୁ ସଂପୂର୍ଣ୍ଣ ରୂପ ଦେବାକୁ
ଅପମାନ ବୋଧ କଲା
ସେ କହିଲା ତୁମକୁ ବର୍ଣ୍ଣନା କରିବାକୁ ତାର ଯୋଗ୍ୟତା
ନଥିଲା
ମୁଁ ତୁମ ନାଆ ଜାଣେ
ହେଲେ ନାଆ ଭିତରେ ଥିବା ଅର୍ଥ ଜାଣିନି
ମୁଁ ତୁମ ଆଖି ତ ଦେଖିଛି
ତା ଭିତରେ ଥିବା ସମୁଦ୍ରର ଗଭୀରତା ଜାଣିନି
ମୁଁ ତୁମକୁ ମାଆ,ଭଉଣୀ, ପ୍ରେମିକା ରୂପରେ ଦେଖିଛି
ହେଲେ କାଳୀ, ଦୁର୍ଗା, ଚଣ୍ଡୀ ରୂପରେ ଆଜି ବି ଦେଖିନି ।
ମୁଁ ଜାଣିବାକୁ ଚାହେଁ
ସିଏ କାହିଁକି ତୁମକୁ ଖରାପ ଇଙ୍ଗିତ ଦେଲା
ସିଏ କାହିଁକି ତୁମ ଡ୍ରେସ ଉପରେ ପ୍ରଶ୍ନ କଲା
ଆଉ ସିଏ କାହିଁକି ଘରୁ ବାହାରିବାକୁ ମନା କଲା
ତୁମେ ଡରିଲ ତ କେମିତି ଡରିଲ
ତୁମେ ଡ଼ରୁଛ ତ କାହାକୁ ଡରୁଛ
କାହିଁକି ଶବ୍ଦ ଥାଇ ମଧ୍ୟ ଚୁପ୍ ଅଛ
ଗୋଡ଼ ଥାଇ ବି ନ ଚାଲି ପଙ୍ଗୁ ଭଳି ଶୋଇରହିଛ
ମୁଁ ଜାଣିବାକୁ ଚାହେଁ
କଲେଜ ଯିବା ବାଟରେ କିଏ ତୁମକୁ ଖରାପ କୁହେ
କିଏ ତୁମର ଓଢ଼ଣି ଖିଞ୍ଚେ
କିଏ ପାଖରେ ଶୋଇବାକୁ ଟଙ୍କା ଯାଚେ
କିଏ ଝିଅ ବୋଲି ତୁଚ୍ଛ କୁହେ
କିଏ ଭଲ ପାଇବା ବାହାନାରେ ମିଛ ପ୍ରତିଶ୍ରୁତି ଦିଏ
ଶୁଣିଛି ତୁମେ ବହୁତ୍ ହୃଦୟ ଭାଙ୍ଗିଛ ।
ତୁମେ କୁହ
ତୁମ ହୃଦୟ କିଏ ଭାଙ୍ଗିଛି
ଆଉ ତୁମେ କେତେ ଥର କାନ୍ଦିଛ
ମୁଁ ଜାଣିବାକୁ ଚାହେଁ
ଇଚ୍ଛା ନଥାଇ କେତେଥର ତୁମେ
ନିଜ ସ୍ୱାମୀକୁ ଦେହ ସମର୍ପି ଦେଇଛ
ବାପଘର ଲୋକଙ୍କୁ ଅପମାନ ନ ମିଳୁ ବୋଲି
ପିଠି ଦେଖାଇ ସବୁ ଯନ୍ତ୍ରଣା ସହିଛ
କଣ ତୁମେ ଏବେ ବି
କେଉଁ ଗୀତ ବାଜିଲେ ଗୁଣୁ ଗୁଣୁ ଗାଉଛ
କେଉଁ ତାଳରେ ନାଚି ଯାଉଛ
ନା ଶାଶୁ,ବାପା,ସମାଜ ଭୟରେ ଏବେ ବି ଚୁପ୍ ରହୁଛ
ପୁଅ ସାଙ୍ଗ ସହ ମିଶିବାକୁ କିଏ ମନା କରୁଛି
ଫେସବୁକ୍ ଆଉ ସୋସିଆଲ ମିଦିଆଠୁ କିଏ ଦୂରେଇ
ରଖୁଛି ।
ଜାଣିବାକୁ ଚାହେଁ
ନିଜ ଇଚ୍ଛାରେ ବାହା ହେଲ
ନା ବାପାଙ୍କ ଇଚ୍ଛାରେ ରାଜିହେଲ
କଣ କାହାକୁ କେବେ ଭଲ ପାଉଥିଲ
ଜାଣିବାକୁ ଚାହେଁ
ତୁମ ସ୍ୱରକୁ ଚାପିଲା କିଏ
ତୁମ ଜୀବନରେ କଷ୍ଟ କିଏ ଦେଲା
ଆଖିରେ ଲୁହ ଦେଲା କିଏ
ଏବେ ଯାଉଛି ଶବ୍ଦର ସାଇକେଲ ନେଇ ତୁମ ପାଖକୁ
ଆଶା ତୁମ ଠାରୁ ସବୁ ଶୁଣିବି
ଆଉ କଲମର ସାର୍ଥକତା ପାଇଁ
ତୁମ ବିଷୟରେ କିଛି ଲେଖିବି
ଜାଣେ ବାଟରେ ଏଇ ସମାଜ କଣ୍ଟା ବିଛେଇଥିବ
ହେଲେ ବି ମୋତେ ତୁମ ବିଷୟରେ
ଏକ କବିତା ଲେଖିବାକୁ ହେବ ।