ଅବୁଝା ଜହ୍ନ
ଅବୁଝା ଜହ୍ନ
ଯେତେ ବୁଝାଇଲେ ବୁଝୁନାହିଁ କିଆଁ
ଅମାନିଆ ହେଲା ମନ ।
ଜହ୍ନକୁ ଦେଖିଲା ଚାନ୍ଦିନୀ ରାତିରେ
ଭାବିଲା ଅବୁଝା ଜହ୍ନ ।
ଅବୁଝା ଜହ୍ନକୁ ବୁଝାଇବ କିଏ
ଅଭେଦ ପୀରତି ତାର ।
କୁମୁଦିନୀ ପାଶେ ସଦା ରହିଥାଏ
କେବେ ନହୁଏ ଅନ୍ତର ।
ଭସା ବାଦଲଟା କୁଆଡୁ ଆସିଲା
ଜହ୍ନକୁ ଦେଲା ଘୋଡାଇ ।
ପୀରତିରେ ଭଟ୍ଟା ପଡିବ କାହିଁକି
କୁମୁଦିନୀ ଅଛି ଚାହିଁ ।
ଜହ୍ନ ଉଇଁବାରୁ ଫୁଟି କୁମୁଦିନୀ
ଚାହିଁଥିଲା ତା ପ୍ରିୟକୁ ।
ହଠାତ୍ ଆସିଲା ଭସା ବାଦଲଟା
ଉହାଡ କଲା ଜହ୍ନକୁ ।
ଯେତେ ବୁଝାଇଲେ ବୁଝୁନାହିଁ ଜହ୍ନ
ଚାଲିଯିବ ସେ ବାଦଲ ।
ଜହ୍ନ ଭାବୁଅଛି ତୁଛାଟାରେ ମତେ
କରେ କିଆଁ କଲବଲ ।
ଉଆଁସ ରାତିର ଅନ୍ଧକାର କଥା
ମନେ ପଡିଯାଏ ତାର ।
ବଇରୀ ସାଜେ ସେ ପୀରତିରେ ଭଟ୍ଟା
ପଡେ ହେଲେ ଅନ୍ଧକାର ।
ବରଷା ସୁଧାକୁ ଚାନ୍ଦିନୀ ରାତିରେ
ଚକୋରୀ ସେ କୁମୁଦିନୀ ।
ଟାକି ରହିଥାଏ କାନ୍ତ ଘନରସେ
ଚକୋରୀ ଯଥା କାମିନୀ ।
ଭସା ବାଦଲଟା ଭାସି ଯାଇଥାନ୍ତା
ବରଷା ଆସିଲା ଧାଇଁ ।
ଘୋର ଗରଜନ କରି ଆସି ଘନ
ଜହ୍ନକୁ ଦେଲା ଘୋଡାଇ ।
ଯେତେ ବୁଝାଇଲେ ନ ବୁଝିଲା ଜହ୍ନ
ଅବୁଝା ହେଲା ତା ମନ ।
ବିଧିର ବିଧାନ କେ କରିବ ଆନ
ଏ ତା କପାଳ ଲିଖନ ।