STORYMIRROR

Bharatabandhu Biswal

Tragedy Inspirational Others

3  

Bharatabandhu Biswal

Tragedy Inspirational Others

କାହିଁକି ହେବି ମୁଁ ଖୁସି

କାହିଁକି ହେବି ମୁଁ ଖୁସି

1 min
174


ଫାଟି ଆସୁଅଛି ସିନ୍ଦୂରା ଆକାଶେ

ପୂର୍ବାଶା ଦିଶଇ ନାଲି

ଉଡିବି ସ୍ୱଚ୍ଛନ୍ଦେ ସୁନୀଳ ଗଗନେ

ପକ୍ଷୀଟି ମୁଁ ଡେଣା ମେଲି ।

ସ୍ୱପ୍ନେ ମୁଁ ବିଭୋର ଉଷ୍ମ ଆବେଦନ

ଆଶାର କିରଣ ଦେଖି

ରାଗ ପଞ୍ଚମରେ ଗାଏ ମୁଁ ସଙ୍ଗୀତ

ଗୋଟାପଣେ ରଙ୍ଗ ମାଖି ।

ଫାଟକରେ ଯୋଖା ଫଳକରେ ଲେଖା

ନାହିଁ ମୋ ନାମ ଠିକଣା

ଲୋଡେ ସ୍ୱଚ୍ଛନ୍ଦତା କ୍ଷୁଦ୍ରପ୍ରାଣ ମୋର

ଭାବେ ଶୁଭ ସଙ୍କଳ୍ପନା ।

ଭାବୁଛି ମୁଁ ଯାହା ନୁହେଁ ବାସ୍ତବତା

ମିଛ ମାୟା ଏ ସ°ସାର

ଆଖିକୁ ଦିଶଇ ସବୁଜ ସୁନ୍ଦର

ଫଳ ବିଷ ହଳାହଳ ।

ସୁନୀଳ ଅମ୍ବରୁ ଦେଖୁଛି ନିରେଖି

ଯାଏ ସବୁଜିମା ହଜି

ନିର୍ମଳ ମଧୁର ଜଳଧାରଟିଏ

ପାଉ ନାହିଁ କାହିଁ ଖୋଜି ।

ଘୋଟେ ଅନ୍ଧକାର ସ୍ୱାର୍ଥ ସର୍ବଗ୍ରାସୀ

ମୋର ମୋର ଅବିବେକ

ବିଦାରି ହୃଦୟ ବ୍ୟାପଇ ଶୂନ୍ୟତା

କଷ୍ଟ ରୋଗ ଦୁଃଖ ଶୋକ ।

ଭୋଗକରେ ସୁଖ ବଡ଼ପଣ୍ଡା ପୁଅ

ଶାସନ ଡୋରି ଜାବୁଡି

ଆଉଟୁ ପାଉଟୁ ଭୋକେ ସାନପୁଅ

ମରେ ମାଆ ମୁହଁ ମାଡି ।

ବିଷାଦ କାତର ପ୍ରଦୂଷିତ ମ୍ଳାନ

ଜୀବନ ଯନ୍ତ୍ରଣା ଦେଖି

ଜର୍ଜର ମୋ ଡେଣା ଉଡାଣେ ଅକ୍ଷମ

ଖୁସି ମୁଁ ହେବି କାହିଁକି ?


Rate this content
Log in

Similar oriya poem from Tragedy