ଆସନ୍ତା କି ଥରେ
ଆସନ୍ତା କି ଥରେ
ହୋଇଯାଆନ୍ତି କି ଛୋଟ ପିଲାଟିଏ
ଖେଳିବାକୁ ଧୂଳି ଖେଳକୁ
ସାଙ୍ଗସାଥି ଧରି ତୋଟାରେ ବୁଲନ୍ତି
ସବୁଦିନ ଖରା ବେଳକୁ ।
ବାପା ବୋଉଙ୍କର ଆକଟ ନମାନି
ଲୁଚିଛପି ଘରୁ ଯାଆନ୍ତି
ଗଛରେ ଚଢ଼ିକି ଆମ୍ବ କି ଆମ୍ବଡ଼ା
ତେନ୍ତୁଳି ଆଣିକି ଖାଆନ୍ତି ।
ହୋଲିରେ ବୁଲନ୍ତି ବାଡ଼ି ବାଉଁଶରେ
ପିଚକାରୀ ଗୋଟେ କରିକି
ଛୁଆବୋଉ ଆଉ ମଝିଆଁ ମାଆକୁ
ରଙ୍ଗ ମାରନ୍ତି ମୁଁ ଧରିକି ।
ଶିରାମ , କାଳିଆ ସାଥିରେ ଯାଆନ୍ତି
ତୋଳିବାକୁ କଣ୍ଟି କୋଳିକୁ
ଝଗଡ଼ା ଲାଗନ୍ତି ଲୀଳାନାନୀ ସାଥେ
ଖେଳିବାକୁ ରଜ ଦୋଳିକୁ ।
ବରଷା ଝଡ଼ରେ ଖାତା ଚିରିଦେଇ
କାଗଜ ଡଙ୍ଗାଟେ ଧରିକି
ଓଳିପାଣି ତଳେ ଭସେଇ , ଲୁଚିକି
ଦେଖନ୍ତି ବାପାଙ୍କୁ ଡରିକି ।
ମୂଲିଆଙ୍କ ପାଇଁ ପିଠା ଗୁଡ଼ ନେଇ
ବିଲକୁ ନିଇତି ଯାଆନ୍ତି
ହିଡ଼ମୁଣ୍ଡେ ବସି କ୍ଷେତ ଦେଖୁ ଦେଖୁ
କଳେ କି ଦି'କଳ ଖାଆନ୍ତି ।
ଆଈପାଖେ ବସି ସଞ୍ଜବେଳେ ଗପ
ଶୁଣିବାକୁ ଅଳି କରନ୍ତି
ପୋଖରୀରେ ପଶି ପଙ୍କ ଚିପି ଚିପି
କଉ କି ମାଗୁର ଧରନ୍ତି ।
ଆମ୍ବକଷି ଆଣି ବଢ଼ିଚୁରା ଦେଇ
ଖାଆନ୍ତି କଂସାଏ ପଖାଳ
ଫୁଲ ତୋଳିବାକୁ ଅପନାନୀ ବାଡ଼ି
ଯାଆନ୍ତି ହୋଇଲେ ସକାଳ ।
ଆସନ୍ତାକି ସେଇ ପିଲାଦିନ ଥରେ
ଅଚାନକ ପୁଣି ଲେଉଟି
ତେପନ ବରଷ ଲୋକଟା ନିମିଷେ
ଲୁଚି ତ ଯାଆନ୍ତା କେଉଁଠି ।