STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ସ୍ତ୍ରୀ ବ୍ରତ

ସ୍ତ୍ରୀ ବ୍ରତ

1 min
16


ଘରଣୀ ମୋହର ମିଟିଙ୍ଗିରୁ‌ ଆସି

   ଡାକିଦେଇ ମତେ କହୁଛି,

ହ‌ଇଓ ଶୁଣୁଛ ମିଟିଙ୍ଗିରେ ଆଜି 

   ବଢ଼ିଆ ନିଷ୍ପତ୍ତି ହୋଇଛି।

ଆମେମାନେ ଆଉ ଗେରସ୍ତ ମାନଙ୍କୁ 

   କରିବୁନି ଯେ ସେବାପୂଜା,

ବିଶେଷକରିକି ସାବିତ୍ରୀ ବ୍ରତଟି

   କରିବେନି କେଉଁ ଭାରିଜା‌।

ତୁମେ କ'ଣ ଖାଲି ପୂଜା ହେଉଥିବ

    ତୁମେ ଭାଗ୍ୟବାନ ପୁରୁଷ,

ଆମେ କ'ଣ କେବେ ପୂଜା ପାଇବୁନି

    ସବୁଦିନେ ହେବୁ ହତାଶ?

ସ୍ତ୍ରୀ ମାନେ ସିନା କରନ୍ତି ସାବିତ୍ରୀ 

    ସ୍ଵାମୀଙ୍କ ଆୟୁଷ ପାଇଁକି,

ସ୍ତ୍ରୀଙ୍କ ଆୟୁଷ ପାଇଁ କ'ଣ ସ୍ଵାମୀ- 

    ମାନଙ୍କ ଦାୟୀତ୍ବ ନାହିଁକି?

ଏବେ ଗୋଟେ ନୂଆ ବ୍ରତ ବାହାରିଛି 

    ସ୍ତ୍ରୀ ବ୍ରତ ତାର ନାଆଁ,

ସ୍ଵାମୀ ମାନେ ଏହି ବ୍ରତଟି କରିବେ

    ପିନ୍ଧି ଧୋତିଯୋଡ ନୂଆ‌।

ଆମେ ବସିଥିବୁ ଆସ୍ଥାନ ମେଲେଇ 

    ଅଣ୍ଟାରେ ଶାଢ଼ୀକୁ ଭିଡିକି,

ବାମହାତେ ଝାଡ଼ୁ ଡାହାଣେ‌ ବେଲଣା

    କାଠିଟାକୁ‌ ଥିବୁ ଧରିକି‌।

ଆଖିରେ ଚଷମା ଓଠେ ଲିପ୍‌ଷ୍ଟିକ୍

    କାନ୍ଧେ‌ ଝୁଲୁଥିବ ଭେନିଟି,

ମୋବାଇଲ ପ୍ରେମ ଗୀତ ମନ୍ତ୍ର ପାଠ

    ଗାଉଥିବ ଭଳିଭଳିକି‌।

ତୁମେ ସେତେବେଳେ ଫୁଲ ଧୂପଦୀପ

    ବନ୍ଦାପନା ଥାଳି‌ ଆଣିକି‌,

ଆମକୁ ବନ୍ଦେଇ‌ ପୂଜା କରୁଥିବ‌

    ଆମରି ମନକୁ ଜାଣିକି‌।

ଚିକେନ ମଟନ ଅଣ୍ଡା ମାଛ ଝୋଳ

    ଲୁଣି ଶୁଖୁଆକୁ ଥୋଇକି,

ହୃଦେ ଭୟ ରଖି ଭୋଗ ଲଗେଇବ 

    କେବଳ ଆମରି ପାଇଁକି।

ଆମେ ସିନା ଭଲ ରହିଲେ ରହିବ

    ଭଲ ତ ସାରା ଦୁନିଆଁ,

ଆମକୁ ସନ୍ତୁଷ୍ଟ କରି ହେ ଗେରସ୍ତ 

    ସଂସାରରେ ରଖ ନାଆଁ।

ସକାଳରୁ ବେଡ୍ ଟି ଦେଉଥିବ

    ତୁମେ ଆମ ମନ ବୁଝିକି‌,

ଦେହର ପରାଶ ଦୂର କରୁଥିବ

    ଗୋଡ ହାତ ମୋଡିମାଡିକି‌।

ଠିକ୍ ସମୟରେ ଟିଭି ମୋବାଇଲ 

    ଭାଉଚର ଦେବ ପକେଇ,

ସପ୍ତାହକୁ ଥରେ ମାର୍କେଟ ନେବାକୁ 

    କୁନ୍ତୁ କୁନ୍ତୁ ତ ହେବନାହିଁ ।

ଆବଶ୍ୟକ ସ୍ଥଳେ ବିୟୁଟି ପାର୍ଲର 

    ଭୁଲିବନି‌ ନେବା ପାଇଁକି,

ଭଲ ଭଲ ଶାଢ଼ୀ ଦାମିକା ଗହଣା

    ଖଞ୍ଜୁଥିବ ମନଜାଣି‌କି।

ଆମ ଆଦେଶକୁ ଯଦି ମାନିନେବ

    ହୋଇବ ଆଦର୍ଶ ଗେରସ୍ତ,

ନୋହିଲେ ଆମର ରଣଚଣ୍ଡୀ ରୂପ

    ଦେଖିବାକୁ ଥାଅ ପ୍ରସ୍ତୁତ।

ଯେତେ ବ୍ରତ ଅଛି ଏ କଳିଯୁଗରେ 

   ସ୍ତ୍ରୀ ବ୍ରତ ଶ୍ରେଷ୍ଠ ଅଟେ ତ,

ସ୍ତ୍ରୀ ଭକ୍ତ ହୋଇ ସ୍ତ୍ରୀ ସେବାକର

  ହେବ ତୁମେ ଯୋଗ୍ୟ ଗେରସ୍ତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy