STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ଚାଷ କାମ ଯାହାର

ଚାଷ କାମ ଯାହାର

1 min
14


ଚାଷ କାମ ଯାହାର 

   କେଡ଼େ ଦୁଃଖ ତାହାର,

ସେହି ସିନା ଦୁନିଆଁଠୁଁ

   ଖାଏ ନିତି ପାହାର।

ଜୟ ଯବାନ ଜୟ କିଷାନ‌

   ଶାସ୍ତ୍ରୀଜୀ ଥିଲେ କହି,

କିଷାନ ପରାଜୟ ଲଭୁଛି 

   ଆଜି ତ ହାରିଯାଇ।

ଅଧିକ ନୁହେଁ ଅଛି ମାତ୍ର ମୋ 

   ଦଶଗୁଣ୍ଠର‌ ବିଲ,

ସେଥିରେ ପୁଣି କାଳିଆ ଟଙ୍କା 

   ମିଳୁନି ବିଲ୍‌କୁଲ‌।

ବାପା ଗଲାରୁ ଏବର୍ଷ ନୂଆ

   ଚାଷ ମୁଁ କରୁଅଛି,

ହେଲେ ମୋହର ଚାଷରେ ନାହିଁ 

    ଅଭିଜ୍ଞତା ତ କିଛି।

ତଥାପି ମନେ ସାହସ ରଖି

    ବୁଲେଇଦେଲି ଗାଡି,

ଗାଡ଼ି ବାଲା ବି କାଇଦା କରି

    ନେଲା ମୋଠାରୁ‌ ଭିଡ଼ି ।

ଅଧଘଣ୍ଟାଏ ଲାଗିବା କଥା

    କଲା ସେ ଦେଢଘଣ୍ଟା,

ମୋଠାରୁ ହାଡେ ହାଡେ ସେ ନେଲା

    ତିନିଡବଲ ଟଙ୍କା।

ଦାମୀ ବିହନ କିଣି ଆଣି ମୁଁ 

    ପକେଇଦେଲି ତଳି,

ସାର ମସଲା ଯାହା କିଣିଲି

    ରେଏଟ‌ ଚଢା ଭାରି‌।

ତଳିଓପାଡି ରୋଇବା‌ ପାଇଁ 

    କଲି ମୁଁ ବନ୍ଦୋବସ୍ତ,

ମଜୁରୀଆଙ୍କୁ ପଚାଶ ଥର

    ହେଲି ମୁଁ ଦଣ୍ଡବତ।

ମୂଲିଆଙ୍କର ଯେଉଁ ଖାତିରି

    କହିଲେ ସରିବନି,

ଯେଣୁ ମାଗଣା ଚାଉଳ ତାଙ୍କ 

    ଭାଉ ବଢାଇଲାଣି‌।

ଦିନକ ମାତ୍ର କାମ ମୋହର

   ହଜାରେ‌ ଖୋସାମତ‌,

ବହୁ କଷ୍ଟରେ ଜବାବ ଦେଲେ 

    ହେଲି ମୁଁ ଆନନ୍ଦିତ।

ଚାରି ଜଣିଆ ଗ୍ରୁପ୍ ସେମାନେ

    କଥା ହେଲେ ମୋ ସହ,

 ତାଲିକାଟିଏ ଧରେଇଦେଲେ

    କମ୍ପିଗଲା‌ ମୋ ଦେହ।

ମଜୁରୀ ପୁଣି ସାତଶହ ଟଙ୍କା 

    ସକାଳ ଜଳଖିଆ, 

ଦୋକାନପାନ ସିଗାରେଟ ବି

    ତା' ସହିତ ଚା'।

ମଦ ବୋତଲ ଚାଖେଣା ସହ

    ମଧ୍ୟାହ୍ନ ଭୋଜନରେ,

ଚିକେନ ଝୋଳ ଖାଇବେ ଲେଖା

    ହୋଇଛି ତାଲିକାରେ‌।

ଆଡ୍‌ଭାନ୍‌ସ ଟଙ୍କା ଧରିଲେ 

    ଆସିବେ ରୋଇବାକୁ,

ଦ‌ଇବୀ ଦୁର୍ଘଟଣାରେ ଦାୟୀ

    କରିବେ ମାଲିକକୁ‌।

ଏମିତି ଗୋଟେ ଲମ୍ବା ତାଲିକା

   ମୋ ହାତେ ଧରେଇଲେ,

ଅନେକ ସର୍ତ୍ତାବଳୀ ସେଥିରେ

   ଯତନେ ଲେଖିଥିଲେ ।

ତଥାପି ତାଙ୍କ ଭାରି ଡିମାଣ୍ଡ 

   ଫୋଅନ୍ ଘନଘନ,

ତେଣୁ ଯାହାର କାମକୁ ଗଲେ

   କଲେ ଜ୍ବାଇଁ ଭୋଜନ।

ଚାଷଟି ମୋର ସିନା ଅଳପ‌

   ଟେନ୍‌ସନ୍‌ କିନ୍ତୁ ବେଶୀ,

ଜବାବ‌ ଯଦି ଫେଲ୍‌ ମାରିବ

   ହଜାରେ ଖୋସାମତି‌। 

ସଭିଏଁ ଭାଇ ମୂଲ ଲାଗନ୍ତି 

   କିଏ ବା କେଉଁମତ୍ତେ,

ସେଇ ମଜୁରୀ‌ ହଜମ ହୁଏ

    ଥିଲେ ତ ସତବାଟେ‌। 

କହିବା କଥା ସେ ଏକା ଚଷା

    ଯେ ନିଜେ ଚାଷ କରେ,

ନିଜେ ମାଟିର ମନ କଥାକୁ 

    ସେ ନିଜେ ବୁଝିପାରେ।

ପାଠ ପଢ଼ିଲେ ଚାକିରୀ କଲେ

    ଟଙ୍କା କେବଳ ମିଳେ,

ଚାଷ କରିଲେ ସିନା ବିଲରେ 

    ଆହାର‌ ଆମ ଫଳେ !

ରାସାୟନିକ ସାର ବଦଳେ

    ଦେଲେ ଗୋବର ଖତ,

ନିରୋଗ ଶସ୍ୟ ଅମଳ ହେବ

    ଦେହ ରହିବ ସୁସ୍ଥ ।

ମାଟିର ପୁଅ ଆମ କୃଷକ

    ତା'ଠାରୁ ବଡ଼ କିଏ,

ଯିଏ ସଂସାର ଓଠରେ ହସ

    ନିତି ଫୁଟାଉ‌ ଥାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy