ଟପର ଟପକ ଟପ
ଟପର ଟପକ ଟପ
ଟପର ଟପକ ଟପ୍
ବେଙ୍ଗୁଲୀ ଡେଇଁଲା ଖପ୍ ,
ଧରିଲା ସୁର-'କେଏଁ କଟର'
ତାଳରେ ଝୁଲିଲା ସାରୁ ପତର ।
ବେଙ୍ଗୁଲୀ ନାଚକୁ ଦୂରରୁ ଦେଖି
ଢିମା ଢିମା ତା'ର ନଚେଇ ଆଖି,
ମୁହଁକୁ ମୋଡ଼ି-ବଙ୍କୁଲି ଗୋଡ଼କୁ
ଥରେ କଚାଡ଼ି....
କଙ୍କଡ଼ା କହିଲା -"ନାହିଁ ତ ଜଣା ,
ଭଲା ଇଏ କୋଉ ନାଚରେ ଗଣା !
ବେଙ୍ଗୁଲୀ କହିଲା-"କେଏଁ କଟର,
କାଦୁଅ ଭିତରେ ଲଟପଟର
ଡଗଡ଼ଗ ଚାଲି ବାଇଶ ନାହିଁ -
ମୋତେ ବାହୁଉଚୁ ତୁ କାହିଁ ପାଇଁ !
ତୁଚ୍ଛାକୁ ଏତେ,
ଗୋଡ଼େ ମୁଦିନାହିଁ କଚାଡ଼ୁ କେତେ ?
"ହେଇ ଲୋ ହେଇ,
ମୁହଁରେ ତୋ ଟିକେ ସରମ ନାହିଁ !
ଯାଦୁ ମଖା ଦେହ ଫାଳୁଆ ପାଟି,
ପୋକ ଯୋକ ଖାଉ ଜିଭକୁ ଛାଟି;
କରକଶ କଣ୍ଠେ ଗୀତ ବୋଲୁ ବୋଲି
ଏଡ଼େ ତୋ ଗରବ ସହିଛି ମାଟି !
"ଛି ଲୋ ଛତୁ,
ବଢ଼ି ବଢ଼ି କେତେ କଥା କହୁ ତୁ !
ଏତେ ଟିକେ କଥା ବୁଝିନୁ ତୁହି
ଯାହାକୁ ଯେମିତି ଗଢ଼ିଛି ବିହି,
ଶାଣ ଦେଲା 'ଖୁର' ଭଳି ଟାଣ କଥା
କହିଲେ ପା' ହେବ ମରମ ଦହି ।
କହିଲୁ ତୁ ଯାହା ଧରୁନି କିଛି,
ରୂପ ନ ଥିଲେ ବି ଗୁଣ ମୋ ଅଛି;
କରକଶ କଣ୍ଠେ ବୋଲି ମୁଁ ଗୀତ
ଜଗତବାସୀଙ୍କ କରୁଛି ହିତ,
ଦୁନିଆ ସାକ୍ଷୀ;
ଏଇ କଣ୍ଠେ ଗୀତ ବୋଲି ପରା ମୁହିଁ
ବରଷା ଧାରାକୁ ଆଣୁଛି ଡାକି ।"
