STORYMIRROR

Kunja Bihari Dalai

Comedy

3  

Kunja Bihari Dalai

Comedy

ବିମୁଗ୍ଧ ବକ୍ତା - ବିଦଗ୍ଧ ଶ୍ରୋତା

ବିମୁଗ୍ଧ ବକ୍ତା - ବିଦଗ୍ଧ ଶ୍ରୋତା

1 min
176


ଏକଦା ଏକଇ ଗାଆଁ ମଝିଟାରେ

ହେଉଥାଏ ବାଦୀ ପାଲା,

ପାଲା ଶୁଣିବାକୁ ମଞ୍ଚ ଚାରିପଟେ

ଶ୍ରୋତାଙ୍କର ଠେଲାପେଲା ।


ଗାୟକ ପ୍ରବର ମନଧ୍ୟାନ ଦେଇ 

ବଖାଣନ୍ତି କେତେ କଥା

ଭୂଇଁନିମ ସମ ଲାଗୁଅଛି ପିତା 

ଶୁଣି ଶ୍ରୋତା ମୁଣ୍ଡବଥା ।


ନିବିଷ୍ଟ ଗାୟକ ପାଲା ଗାୟନରେ

ଅଧ ଘଣ୍ଟା ମଧ୍ୟେ ଶ୍ରୋତା,

ଜଣଜଣ କରି ଘର ମୁହାଁ ହେଲେ

ଗାୟକଙ୍କ ବଢ଼େ ଚିନ୍ତା ।


ପାଲା କି ଗାଇବି ଶ୍ରୋତା ଯେବେ ନାହିଁ

ଆୟୋଜନ ସବୁ ବୃଥା,

ନ ବୁଝି ନ ଚିନ୍ତି ଏଠାକୁ ଆଇଲି 

ହେଉଛି ଯାହା ହିନସ୍ଥା ।


ତଥାପି ସରୁନି କାହାଣୀ ଗାୟକ

ଗାଇ ଗାଇ ଅର୍ଦ୍ଧପ୍ରାଣ,

ଗୁରୁ କହିଥିଲେ ଗଣିବୁନି କେବେ

ଶ୍ରୋତା ଛନ୍ତି କେତେଜଣ ।


ଭାବି ଏହି କଥା ଗାଇଯାନ୍ତି ସିଏ

ଆହୁରି ଯେ ଦେଢ଼ଘଣ୍ଟା,

ଗାୟକ ବାପୁଡ଼ା କଥା ଛାଡ଼ିଦିଅ

ଶ୍ରୋତାଙ୍କର ଭାଙ୍ଗେ ଅଣ୍ଟା।


ସରି ସରି ଆସେ ଦେଖନ୍ତି ଗାୟକ

ବସିଛନ୍ତି ଜଣେ ବୃଦ୍ଧ,

ସମ୍ଭ୍ରମରେ ତାଙ୍କୁ କହନ୍ତି ଗାୟକ

ମନ ମୋ ହୁଏ ବିଦଗ୍ଧ ।


ଏ ଗାଆଁରେ ନାହିଁ କେହି ହରିଭକ୍ତ

କେବଳ ତୁମକୁ ଛାଡି଼,

ଧନ୍ୟ ହେ ମଉସା ହରିରସେ ପ୍ରୀତି

ବସିଅଛ ଚ଼କା ମାଡି଼ ।


ତୁମପରି ଶ୍ରୋତା ପାଇ ମୁହିଁ ଧନ୍ୟ 

ଅଜ୍ଞ ମଧ୍ଯେ ତୁମ୍ଭେ ବିଜ୍ଞ,

ତୁମ ଯଶୋଗାନେ ଭାଷା ସ୍ଫୁରୁନାହିଁ

ଅଧୀନ ଚିର କୃତଜ୍ଞ ।


ଶୁଣି ଏହି କଥା କହନ୍ତି ମଉସା

ତୁଚ୍ଛା ଟାରେ ବସି ନାହିଁ,

ନାଚ ଯେ ଦରିରେ ସେଇଟି ମୋହର

ବସିଅଛି ନେବାପାଇଁ ।


ଗାଇବା ତୁମର ହେଉନାହିଁ ଶେଷ

କିପରି ନେବି ମୋ ଦରି,

କୃପାକରି ତୁମ୍ଭେ ପାଲା ଶେଷ କଲେ

ଦରି ନେଇ ଯାନ୍ତି ଫେରି॥




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy