STORYMIRROR

Aparti Charan Sethi

Comedy

3  

Aparti Charan Sethi

Comedy

ପ୍ରଭୁଙ୍କ ମନ୍ତ୍ରୀମଣ୍ଡଳ

ପ୍ରଭୁଙ୍କ ମନ୍ତ୍ରୀମଣ୍ଡଳ

1 min
208

  (ରମ୍ୟ ରଚନା)

ପ୍ରଭୁ ହଳଧର ସେ ବଡଠାକୁର 

  ଆମ ପ୍ରିୟ ରାଷ୍ଟ୍ରପତି 

କାଳିଆ ଠାକୁର ଆମ ସରକାର

  ବିଶ୍ୱର ପ୍ରଧାନମନ୍ତ୍ରୀ।


ଏ ଧରମ‌କ୍ଷେତ୍ର ସରିଗଲା‌ ଭୋଟ୍

  ପ୍ରଭୁଙ୍କର ଆହ୍ୱାନରେ 

ଗଢା ହେଲା ତାଙ୍କ ମନ୍ତ୍ରୀମଣ୍ଡଳଟି

  ଶ୍ରୀକ୍ଷେତ୍ର ପାର୍ଲ୍ୟାମେଣ୍ଟରେ।


ବେଦପତି ପ୍ରଜାପତି ବ୍ରହ୍ମାଙ୍କୁ ସେ

  ସ୍ୱରାଷ୍ଟ୍ର ମନ୍ତ୍ରୀ କରିଲେ 

ଗଞ୍ଜାଭାଙ୍ଗଖିଆ ଭୋଳାଶଙ୍କରକୁ 

  ଅବକାରୀ ମନ୍ତ୍ରୀ କଲେ।


ସୂର୍ଯ୍ୟ ଯେଣୁ ସର୍ବ ଶକ୍ତିର ଆଧାର

  ତାଙ୍କୁ କଲେ ଶକ୍ତିମନ୍ତ୍ରୀ 

ବରୁଣ ରାଜାଙ୍କୁ ପାନୀୟ ଜଳର

  କଲେ ବିଭାଗୀୟ ମନ୍ତ୍ରୀ।


ପ୍ରଭୁ ଜଗନ୍ନାଥ କାଳିଆ ସାଆନ୍ତ

  ବିଶ୍ୱର ମଙ୍ଗଳ ପାଇଁ 

ଧନର ଦେବତୀ ଲକ୍ଷ୍ମୀଙ୍କ ହାତରେ

  ଅର୍ଥ ବିଭାଗକୁ ଦେଇ।


ଉଚ୍ଚଶିକ୍ଷା କଳା ସଂସ୍କୃତି ବିଭାଗ  

  ମା' ସରସ୍ଵତୀଙ୍କୁ ଦେଲେ 

ଗଣେଶ ଦେବଙ୍କୁ ଗଣଶିକ୍ଷା ମନ୍ତ୍ରୀ

  ପଦରେ ଭୂଷିତ କଲେ।


ବିଶ୍ୱର ରାଜସ୍ଵ ବଢେଇବା ପାଇଁ

  ପ୍ରଭୁ ମୋର ଚିନ୍ତା କରି 

କୁବେରଙ୍କୁ କଲେ ରାଜସ୍ଵ ମନ୍ତ୍ରୀ ଯେ

  ମନରେ ହରଷ ଭରି।


ଯମରାଜା ହାତେ ଆଇନ ବିଭାଗ

  ଚିତ୍ର ଗୁପ୍ତେ ସମ୍ବିଧାନ 

ସୂଚନା ଓ ଲୋକସମ୍ପର୍କ ବିଭାଗ

  ନାରଦଙ୍କୁ ଦେଲେ ଜାଣ।


ଅଗ୍ନୀଦେବଙ୍କୁସେପେଟ୍ରୋଲିୟମ‌ ଓ

  ବାଷ୍ପ ମନ୍ତ୍ରୀ କରାଇଲେ 

ପରିବେଶ ରକ୍ଷା ବିଭାଗଟି ପ୍ରଭୁ

  ବାୟୁ ଦେବତାଙ୍କୁ ଦେଲେ।


ଅଶ୍ଵିନୀ କୁମାର ସ୍ୱାସ୍ଥ୍ୟ ମନ୍ତ୍ରୀ ଆଉ

  ଖଣିମନ୍ତ୍ରୀ ଚନ୍ଦ୍ର ହେଲେ 

ସୁଦର୍ଶନ ନେଲେ ସାମରିକ ଭା‌ର

  ଗାୟତ୍ରୀ ଭତ୍ତା ବାଣ୍ଟିଲେ।


ବଜ୍ରଧାରୀ ଇନ୍ଦ୍ର ପରମାଣୁ ଆଉ 

  କ୍ଷେପଣାସ୍ତ୍ର ମନ୍ତ୍ରୀ ହେଲେ  

ବୀର ହନୁମାନ ପ୍ରତିରକ୍ଷା ଆଉ

  ସୁରକ୍ଷା ଦାୟିତ୍ୱ ନେଲେ।


ପରିବହନର ବିଭାଗ ମୋ ପ୍ରଭୁ

  ଗରୁଡ଼ ହାତରେ ଦେଲେ 

କାମଦେବଙ୍କୁ ସେ ଯୁବବ୍ୟାପାରର

  ମନ୍ତ୍ରୀଟିଏ କରାଇଲେ।


ଗୃହ ଓ ନଗର ନିର୍ମାଣ ମନ୍ତ୍ରୀଟି

  ବିଶ୍ୱକର୍ମା ହାତେ ଦେଲେ 

କୁମାର କାର୍ତ୍ତିକ କ୍ରୀଡା ବିଭାଗକୁ

  ଆନନ୍ଦେ ଗ୍ରହଣ କଲେ।


ମହିଳା ବିକାଶ ମନ୍ତ୍ରୀ ପଦ ପ୍ରଭୁ

  ସୁଭଦ୍ରାଙ୍କୁ ଟେକି ଦେଇ 

ମା' କାମଧେନୁକୁ ପଶୁ ସମ୍ପଦର

  ମନ୍ତ୍ରୀଟି ଦେଲେ କରାଇ।


ଦେବାଦେବୀଙ୍କୁସେ ନେଇ ପ୍ରଭୁ ମୋର

  ସରକାର ଗଢିଦେଲେ 

ଅନ୍ୟ ଦେବାଦେବୀ ଏମ୍.ପି. ରୂପେ ଥାଇ

  ଶାସନ ଦାୟିତ୍ୱ ନେଲେ।


ପ୍ରଭୁଙ୍କ ଶାସନ ସବୁଦିନେ ଅଛି 

  ସବୁଦିନେ ରହିଥିବ 

କିନ୍ତୁ ଆମ ମତି ଦୁର୍ନୀତିରେ ଭର୍ତ୍ତି

  କହ‌ଇ ମୂର୍ଖ ଅପର୍ତ୍ତି।



Rate this content
Log in

Similar oriya poem from Comedy