ମଞ୍ଜକଥା
ମଞ୍ଜକଥା
କରେ କଲବଲ ଲାଗେ ସଲସଲ
ଗଲଗଲ କବି ନିଶା
ପ୍ରସବ ବେଦନା ଠାରୁ ଭୟଙ୍କର
ବ୍ୟତୀକ୍ରମେ ଲୋକହସା ।
ଖାଇବା ପିଇବା ସବୁ ଭୁଲିଯିବ
ରାତି ହେବ ଉଜାଗର
ଲେଖିବ କାଟିବ ଚିରିବ କାଗଜ
ଦହଗଞ୍ଜ ଝାଳନାଳ ।
ପଶିବନି ଭିନ୍ନ ମୁଣ୍ଡେ ଆର କଥା
ଖାଣ୍ଟି ସତ କଥା ମଞ୍ଜ
ହୋଇବ ଡେରିରେ ତୁମର ସକାଳ
ଦିନ ଗଡି ହେବ ସଞ୍ଜ ।
ଡିଜିଟାଲ ମୁଡ ଆହୁରି ବିପଦ
ଚିପୁଥିବ ମୋବାଇଲ
ହେବ ଏକପଦୀ ଜମିବ ଆସର
ମେସେଜ ହୋଇବ ଫୁଲ ।
ଗଣୁଥିବ ବସି ଲାଇକ ସେୟାର
ସମ୍ବର୍ଦ୍ଧନା ମାନପତ୍ର
ମାଗୁଥିବେ ଚାନ୍ଦା ସାହିତ୍ୟିକ ଵନ୍ଧୁ
ମୁଖପତ୍ର ମାଳମାଳ ।
ଘର ଲୋକଙ୍କ ଠୁ ଖାଉଥିବ କେଞ୍ଚା
କରୁ ନାହଁ କାମଦାମ
ବୋଝର ଉପରେ ନଳିତାର ବିଡା
ଚାନ୍ଦାଭେଦା ଅନୁଦାନ ।
ଲେଖାଲେଖି ସାରି ଛପାଇଲେ ବହି
ଚାଖିବ ଅଧିକା ମଜା
ଗେଞ୍ଜୁଥିବ ନେଇ ଏଇଠି ସେଇଠି
ହୀନିମାନ ବଡ଼ ଲଜ୍ଜା ।
ସାହିତ୍ୟ ନାଆଁରେ ମାତନ୍ତି ଦଲାଲ
କୁହାଳିଆ ଥଣ୍ଡାଠକ
ପଡିଗଲ ଯଦି ଜାଲରେ ଦୁର୍ଯୋଗ
ଶୋଷିନେବେ ସବୁ ରକ୍ତ ।
ମିଠା କଥା କହି ଟେକାଟେକି କରି
ଗଛକୁ ଚଢାଇ ଦେବେ
ଝୁଣି ଚାଲୁଥିବେ ଦେହରୁ ମାଉ°ସ
କାଣ୍ଟିବଗ ମୁଢ ଭଣ୍ଡେ ।
ଛୋଟ କଥା ଯଦି ରଖିବ କହିବି
ଭଲ ସାରସ୍ୱତ କର୍ମ
ଚାଟୁକାରଙ୍କ ଠୁ ରହିଲେ ଦୂରରେ
ମନ ହେବ ନାହିଁ କ୍ଷୁର୍ଣ୍ଣ ।
