STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ସେ କାଳ‌ ପଖାଳ

ସେ କାଳ‌ ପଖାଳ

1 min
19


ସେକାଳ ପଖାଳ ନାହିଁରେ ବାଇନ

    ବଦଳି ଗଲାଣି ବେଳ,

ଆଖି ନ ଦେଖିବା କଥା ଘଟିଲାଣି

    ନିଜକୁ ନିଜେ ସମ୍ଭାଳ।

ଯେବେଠାରୁ ବାପା ବୋଉ ବଦଳିଲେ

    ହୋଇଗଲେ ଡାଡିମମି,

ସେବେଠାରୁ ସ୍ନେହ,ଶ୍ରଦ୍ଧା ଓ ମମତା

    ସଂସାରୁ ଗଲେଣି ଛାଡ଼ି।

ଝିଅଟିଏ ଆଉ ବାହାଘର ବେଳେ

    କାନ୍ଦୁନି ଓଢ଼ଣା ତଳେ,

ବରଂ ପୁଅଟିକୁ କନ୍ଦେଇବାକୁ ସେ

    ସେଦିନୁଁ ବ୍ୟବସ୍ଥା କରେ।

ଅନଳ ଦେଖିଣ ପତଙ୍ଗ ପରାଏ‌

    ପୁଅ ବି ମାୟାରେ ପଡ଼ି,

ସ୍ତ୍ରୀ ବୋଲକରା ପାଲଟି ଯାଉଛି

    ସେ ବାପା ମାଆଙ୍କୁ ଛାଡ଼ି।

ଶଶୁର ଘରର ପ୍ରେମ ମିଠାଲାଗେ

    ବାପା ମାଆ ସାତପର‌,

ପରକିୟା‌ ପ୍ରୀତି ଉଜାଡି ଦେଉଛି

    ଅନେକ ଘର ସଂସାର।

ଘର ତରକାରୀ ଭଲ ଲାଗୁନାହିଁ

    ପର ତୁଣଠାରେ ଆଶା,

କୃତ୍ରିମ ଝଡରେ‌ ଭାଙ୍ଗି ଯାଏ ଆଜି  

    ବାଇଚଢେଇର ବସା।

ଘାରୁଛି‌ ସଭିଙ୍କୁ ଅର୍ଥ ନିଶା ଏଠି

    ସର୍ବେ ହେଲେ ସ୍ଵାର୍ଥପର,

ଅର୍ଥ ପାଇଁ ଆଜି ସମ୍ପର୍କ ଛିଡୁଛି‌

    ଚିହ୍ନା ମୁହଁ ସାତପର।

ପବିତ୍ର ସମ୍ପର୍କ ମଧ୍ୟରେ ପ୍ରାର୍ଥକ୍ଯ‌

    ପ୍ରେମରେ‌ ପଡୁଛି ଭଟା‌,

ଏ ମିଛ ସଂସାରେ ଧର୍ମ କାନ୍ଦୁଅଛି‌

    ସତୁଆ କପାଳ ଫଟା।

ସମୟକୁ ଟପି ମଣିଷ ଦ‌ଉଡେ

   ସେ ଅଣନିଃଶ୍ବାସୀ ହୋଇ,

ସ୍ମାର୍ଟ୍ ମୋବାଇଲ ବାଈ କରିଲାଣି

   କେହି ବେଳ ପାଉ ନାହିଁ‌।

ଢ଼ିଙ୍କି ଚୂଡାକୁଟା ପାହାନ୍ତା ପ୍ରହରୁ

   ନିଦ ଆମ ଭାଙ୍ଗୁଥିଲା,

ଗୋବର ପାଣିକୁ ଦାଣ୍ଡେ ସିଞ୍ଚେ ବୋଉ

   ସକାଳଟା ଆସୁଥିଲା। 

ସକାଳଟା ଯେବେ ଆସୁଥିଲା ଶୁଭେ

    ରେଡିଓ ବନ୍ଦନା ଗୀତ,

ଏବେ ଖାଲି ଦେଖ ଡିଜେ‌ ବାଜୁଅଛି

    ଚାଲୁଛି ଲଙ୍ଗଳା ନୃତ୍ୟ।

ଭାଗବତ ଟୁଙ୍ଗୀ କ୍ଲବ୍ ପାଲଟିଲା

   ଲୋକ ହେଲେ ଅଣାଚାର,

ପାଲା,ଦାସକାଠି,ଘୋଡାନାଚ ଆଉ

    ଦିଶୁନି ଗାଆଁ ଦାଣ୍ଡର।

ଗୁରୁଜୀଙ୍କ ବେତ ପାହାରର ଡର

    ଥିଲା ଭାବ ଭୟ ଭକ୍ତି,

ଏବେ ଗୁରୁ ଛାତ୍ରୀ ମିଶିକି ନାଚନ୍ତି

    କରି ପିକିନିକି ପାର୍ଟି।

ଦଣ୍ଡା ଗୋଚର ବି ଆଉ ଜମା ନାହିଁ

    ଗାଈ ଖାଇଲେଣି‌ ଜରି,

ମାଆ ବାପ ଏଠି ହେଲେଣି ଅଲୋଡ଼ା

    କୁକୁରକୁ ପ୍ରେମ ଭାରି।

କେବଳ ସୂରୁଜ‌ ଉଉଁଛି‌ ବୁଡୁଛି

    ରାତି ଦିନ ହେଉଅଛି,

ଆଉ ସବୁ ଯାହା ନୟନେ ଦେଖୁଛୁ 

    ସବୁକିଛି ବଦଳିଛି।

ଜନ ବଦଳୁଛି ଧନ ବଦଳୁଛି

    ପରିଧାନ ବଦଳିଛି,

ମନ ଆଉ କାର ନାହିଁ ତ ନିର୍ମଳ

    ନାନା ରଙ୍ଗ ବଦଳିଛି।

ବଦଳୁ ଚଳଣୀ କିଛି କଥା ନାହିଁ 

    ମଣିଷ ପଣିଆ ରହୁ,

ଭେଜାଲ କରିଲେ ବୁଦ୍ଧି ବିବେକକୁ

    ମଣିଷ ହେବ ଅଳ୍ପାୟୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy