STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ରାକ୍ଷୀ ପାଉଣା

ରାକ୍ଷୀ ପାଉଣା

1 min
13


ଆହେ ସର୍‌କାର କର ଡିକ୍‌ଲାର

   ଆଇନି ଆଉ ଗୋଟେ,

ଶାଳୀର ରାକ୍ଷୀ ଭିଣୋଇ‌ ଆଉ

   ବାନ୍ଧି ନପାରୁ ମୋଟେ।

ଯେମିତି ସ୍ଵାମୀ ଶଙ୍ଖା ସିନ୍ଦୁରେ 

   ପତ୍ନୀର ଅଧିକାର,

ସେମିତି ଏକା ଭାଇଟି ବାନ୍ଧୁ

   ରାକ୍ଷୀ ତା' ଭ‌ଉଣୀର‌।

ରାକ୍ଷୀ ହେଉଛି ରକ୍ଷା କବଚ 

    ମଧୁର ସମ୍ପର୍କର,

ଭାଇ ଭିଣୋଇ ମଧ୍ୟେ ତଫାତ

   ଆକାଶ ପାତାଳର।

ଶାଳୀକି ଅଧା ଘର୍‌ବାଲୀ ବୋଲି

   ଭିଣୋଇ ଆଜି କହେ,

ଶାଳୀ ଭିଣୋଇ ସମ୍ପର୍କ ବେଶୀ 

   ସମ୍ବେଦନଶୀଳଟିଏ।

ଭାଇଟି ଯେଉଁ ମମତା ଦିଏ 

   ନିଜ ଭ‌ଉଣୀଟିକୁ,

ଭିଣୋଇ ଦେଇ ପାରେନା କେବେ

   ନିଜର ଶାଳୀଟିକୁ।

ଯଦି ସେ ଦିଏ କୁତ୍ସିତ ପ୍ରେମ

   ଉପହାରରେ‌ ତାକୁ,

ରାକ୍ଷୀ ପାଉଣା ସୂଚାଇଥାଏ 

    ହୃଦ ମମତାଟିକୁ।

ଝିଅଟି ଭାଇ ହାତରେ ରାକ୍ଷୀ 

   ବାନ୍ଧିଲେ ସର୍ବ ଶୁଭ,

ଭାଇଠୁଁ ଅର୍ଥ ବା ଉପହାର 

    ଭ‌ଉଣୀର କି ହେବ?

ଭ‌ଉଣୀ ଏହି ରାକ୍ଷୀ ପାଉଣା

    ଭାଇ ପାଖରୁ ପାଉ,

ଭାଇର ଯେତେ ମନ୍ଦ ଅଭ୍ୟାସ 

    ଛାଡିଦେବାକୁ କହୁ।

କଥା ଦେବାଟା ରାକ୍ଷୀ ପାଉଣା

    ଭ‌ଉଣୀ ପାଇଁ ହେଉ,

ଭ‌ଉଣୀଟିଏ ଭାଇର ଶୁଭ

    ସଦା ମନାସୁଥାଉ।

ଶୁଭଦ୍ରା ଦେଲେ ଶିରୀକ୍ଷେତ୍ରରୁ

    ତୁଳସୀ କ୍ଷେତ୍ର ରାକ୍ଷୀ,

ବଳିଆ ଭାଇ ଜନ୍ମଦିନରେ

   ବାନ୍ଧିକି ହେଲେ ସୁଖୀ।

ଶ୍ରୀ ବଳଦେଵ ଜନ୍ମ ଉତ୍ସବ 

   ଦର୍ଶନେ ଯାଇଥିଲି,

ଜନ ସମୁଦ୍ରେ ଭାବ ବିହ୍ଵଳେ

   ଆଜି ମୁଁ ହଜିଗଲି।

ପ୍ରଭୁଙ୍କ କ୍ଷିରୀ ପିଠା ବେଢାରେ

    ବଣ୍ଟନ ହେଉ ଅଛି,

ଲକ୍ଷେ ତୁଳସୀ ଲାଗି ହୋଇକି 

   ପ୍ରଭୁ ମୋ ହସୁଅଛି‌।

ରାକ୍ଷୀ ପୂର୍ଣ୍ଣିମା ଆମ ସଂସ୍କୃତି 

   ଭାଇ ଭ‌ଉଣୀ ସ୍ନେହ,

ଏହି ମଧୁର ସମ୍ପର୍କ ଠାରୁ  

    ଆଉ କି ଅଛି କୁହ ?

ଯେଉଁ ଭାଇର ଭ‌ଉଣୀ ନାହିଁ 

    ସେ ବି ବାନ୍ଧିବ ରାକ୍ଷୀ,

ଯଦି ସେ ଝିଅମାନଙ୍କ ପ୍ରତି

    ରଖେ ଭ‌ଉଣୀ ଦୃଷ୍ଟି।

ଭାଇ ନ ଥିବା ଭ‌ଉଣୀ ମାନେ

    ଶୋଚନା କର ନାହିଁ,

ଗଛରେ ରାକ୍ଷୀ ବାନ୍ଧ ଭ‌ଉଣୀ

    ଭାଇଟି‌ ତାକୁ କହି।

ଗଛ ଭଳିଆ ଭାଇଟି ଏଇ

   ସଂସାର ମଧ୍ୟେ ନାହିଁ,

ସେ ଭାଇ ବନ୍ଧୁ କୁଟୁମ୍ବ ସବୁ

    ଜୀବଜଗତ ପାଇଁ।

ଯେଉଁଠି ସ୍ଵାର୍ଥ ନାହିଁ ସେଇଠି 

    ସମ୍ପର୍କ ରହିଥାଏ,

ବିନା ସ୍ଵାର୍ଥ ଏ ରାକ୍ଷୀ ସମ୍ପର୍କ 

    ଅମୂଲ୍ୟ ଭାବଟିଏ‌।

ରାକ୍ଷୀ ବନ୍ଧନେ ଖେଳୁ ସଂସାରେ

    ଅମୀୟ ସ୍ନେହ ଧାରା,

ଭାଇ ଭ‌ଉଣୀ ମିଠା ସମ୍ପର୍କ 

    ଫୂଟୁ ଦୁନିଆଁ ସାରା‌।



Rate this content
Log in

Similar oriya poem from Comedy