STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ପଛ ଧାଡ଼ିର କବିଟିଏ‌ ମୁଁ

ପଛ ଧାଡ଼ିର କବିଟିଏ‌ ମୁଁ

1 min
314


ସାହିତ୍ୟ ସଭାକୁ ଯାଇଥିଲି ଭାଇ 

   ପଛରେ ପାଇଲି ସିଇଟି‌,

ସଭାକାର୍ଯ୍ୟ ସବୁ ଦେଖି ପାରିଲିନି

   ଦେଖୁଥିଲି କିଛି ବାଇଟି‌।

ଆଗବାଲା ଆଉ ମିଡ଼ିଆ ବାଲାଙ୍କ 

    ପଛକୁ କେବଳ ଦେଖିଛି,

ମୋବାଇଲଫଟୋ ଉଠାହେବାଦୃଶ୍ଯ

    ଦେଖିବା ସୁଯୋଗ ପାଇଛି।  

ଦୀପ ପ୍ରଜ୍ବଳନ ବେଳେ ଘେରିଗଲେ‌

    ଫଟୋ ଉଠାଇଲା ବାଲା,

ବେଦ ମନ୍ତ୍ର ଯାହା ମାଇକି‌ ସାଉଣ୍ଡ 

    ମୋ କାନରେ ବାଜୁଥିଲା।

ଦେଢଶ ଦୁଇଶ‌ ଲୋକ ସେଠି ମାତ୍ର 

    ସତେ ଅସମ୍ଭବ ଭିଡ଼,

ଉଠାବସା ଯିବା ଆସିବା ଲାଗିଛି

    କେହି ବି ନୁହଁନ୍ତି ସ୍ଥିର।

ମଞ୍ଚ ଅତିଥିଙ୍କ ବକ୍ତବ୍ୟ ଶୁଭୁନି

    ଲାଗିଅଛି‌ ହୋ ହାଲ୍ଲା,

କେହି କା'‌ କବିତା ଶୁଣୁ ବି ନାହାଁନ୍ତି 

    ରଖୁ ନାହାଁନ୍ତି ଶୃଙ୍ଖଳା।

ଶୃଙ୍ଖଳା ବି ନାହିଁ ମଧ୍ୟାହ୍ନ ଭୋଜନ

    ଖାଇବାକୁ ଯେବେ ଗଲି,

କାଗଜ ଥାଳିଆ‌ ଧରି ବି ସେଠାରେ

    ହରକତ ଯାହା ହେଲି‌।

ଦ୍ଵିତୀୟ ବୈଠକେ‌ ରିଲିଫ୍ ଭଳିଆ

    ସମ୍ବର୍ଦ୍ଧନା ମିଳୁଥିଲା,

ଯିଏ ସମ୍ବର୍ଦ୍ଧନା ପାଇଲା ସେଠାରୁ 

    ସନ୍ତର୍ପଣେ‌ ଖସିଗଲା।

ଧିରେ ଧିରେ ସଭା ମଞ୍ଚ ଖାଲିହେଲା‌

    ଚାରି ଛ‌ଅ ଜଣ ଥିଲେ,

ମଞ୍ଚ ଅତିଥିଙ୍କ ଭାଷଣକୁ ଖାଲି

    ଚେୟାର ଗୁଡ଼ା ଶୁଣୁଥିଲେ‌।

ଏଇ ଆଜି ଆମ ସାହିତ୍ୟ ଆସର

    ଏଇ ଆମ ଭାଷା ପ୍ରୀତି,

ମିଡିଆରେ ଛାଡ଼ି ସମ୍ବର୍ଦ୍ଧନା ଫଟୋ

    ଆମେ ପାଉ ଆତ୍ମ ତୃପ୍ତି।

ବରଂ ଯାତ୍ରାମଞ୍ଚେ ଯାତ୍ରା ଦେଖି ହୁଏ

    ନାଟକ ବି ବୁଝିହୁଏ,

ହେଲେ ଏ ସାହିତ୍ୟ ସଭାରେ‌ କାହିଁକି 

    ଏତେ ବିଶୃଙ୍ଖଳା ହୁଏ!

ସାହିତ୍ୟ ସଭାର ଆରମ୍ଭ ସକାଳ 

    ନଅଟାକୁ‌ ଲେଖା ହୁଏ,

କିନ୍ତୁ ସଭାକାର୍ଯ୍ୟ ହେଉ ହେଉ ଯାହା

    ବାରଟା ବି ବାଜିଯାଏ‌। 

ସମୟ ଶୃଙ୍ଖଳା ଜ୍ଞାନ ଆଚରଣ

    ସାହିତ୍ୟିକଟିର ଗୁଣ,

ମାନପତ୍ର ସମ୍ବର୍ଦ୍ଧନା ବଡ଼ ନୁହେଁ 

    ବଡ଼ ଆମ ସ୍ବାଭିମାନ।

ସମାଜକୁ ଶିକ୍ଷା ଦେଉଥିବା ଲୋକ

    କବି ଆଉ ସାହିତ୍ଯିକ‌,

ସେହି ସାହିତ୍ୟିକ ହୁଡେ ଯଦି ପଥ

    କେ ହେବ ମାର୍ଗଦର୍ଶକ ? 

ସାହିତ୍ଯ ସଂସଦ ବଢ଼ି ବଢ଼ି ଯାଏ

    ଭାଷା ପ୍ରେମ ହ୍ରାସ ପାଏ,

ଓଡ଼ିଆ ଅସ୍ମିତା ଭାଷଣବାଜିରେ

    ଖାଲି ପ୍ରଚାରିତ ହୁଏ।

ପ୍ରତିଯୋଗିତା ଯା ଲାଗିଛି ଏଠାରେ

    ପରଷ୍ପର ଅହଂ ଭାବେ,

ଗୋଡ ଟଣାଟଣି କାଦୁଅ ଛଟାରେ‌

    କିଏ ବା ଆଗକୁ ଯିବେ?

ସାହିତ୍ୟରେ ଯଦି ସମାଜର ହିତ

    ହୁଏ ନାହିଁ ପରିସ୍ଫୁଟ,

ସେହି ସାହିତ୍ୟଟା ‌ହୋଇପାରେ ବୃଥା

    କବିତ୍ଵ ହୁଅଇ ନଷ୍ଟ।

ତେଣୁ ସାହିତ୍ୟର ରଖ ଭାଇ ମାନ

    ଲେଖନୀ ଆଗକୁ ଯାଉ,

ଲେଖିଦେଲେ ଖାଲି ହେବନି କବିଟି

     ଆଗ ନିଜେ ମାନୁଥାଉ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy