ମୋ ନଣଦ କାହାଣୀ
ମୋ ନଣଦ କାହାଣୀ
ସୁହାଗ ସିନ୍ଦୂର ମଥାରେ ଲଗାଇ
ଆସିଲି ମୋ ଶାଶୁ ଘର
ପାଦରେ ଅଳତା ହାତରେ ମେହେନ୍ଦୀ
ଲାଗୁଥିଲା କି ସୁନ୍ଦର ।
ଦିନ କେଇଟାରେ ସଭିଏଁ ଲାଗିଲେ
ମୋତେ କେତେ ଆପଣାର
ଘରକୁ ଭାବିଲି ମନ୍ଦିର ପରିକା
ସଭିଏଁ ମୋର ଠାକୁର ।
ଶାଶୁ ,ଶଶୁର ମୋ ସ୍ନେହର ପରଶ
ସ୍ୱାମୀ ମୋର ମହାଦେବ
ତାଙ୍କରି ଆଶ୍ରିତେ ଏହି ଜୀବନକୁ
ମିଳୁଥିଲା ବହୁ ଦମ୍ଭ ।
ଖୁସିର ସଂସାର ଯାଉଥିଲା ବିତି
ନଣଦ ମୋ କଲେ ହିଂସା
ଶାଶୁ ପରିକା ମୋ ପଛରେ ଲାଗିଲେ
କଲେ ମୋତେ ଲୋକ ହସା ।
ପ୍ରତି ମୁହୂର୍ତ୍ତରେ ଦୋଷୀ କରିଦେଇ
ମାରନ୍ତି ସେ ଜାଳି ,ଜାଳି
ମୋତେ ଦେଖି ଦେଲେ ଇର୍ଷାରେ ଜଳନ୍ତି
ଦିଅନ୍ତି ଅନେକ ଗାଳ
ି ।
ଦଶଟା ପର୍ୟ୍ଯନ୍ତ ଶୋଇ ରହିଥିବେ
ଡାକିଲେ କରିବେ କଳି
କେଉଁଥିରେ କିଛି କମି ହୋଇଗଲେ
ଚଟାଇ ଦେବେ ସେ ଧୂଳି ।
ବୟେ ଫ୍ରେଣ୍ଡ ଧରି ଘରକୁ ଆସିବେ
କହିବେ ଖାଇବା କର
ରୋଷେଇ ବାସରେ ତ୍ରୁଟି ହୋଇଗଲେ
କରିବେ ସେ ହଟାଦର ।
ସାନ ଭଉଣୀ ଭାବି ସହି ଯାଏ ମୁଁ
ପାଏ କିନ୍ତୁ ବହୁ କଷ୍ଟ
ଦିନ ରାତି ମୋତେ ଅଶାନ୍ତି ଲାଗଇ
ପାଏ ନାହିଁ କେବେ ସୁଖ ।
ଘରର କଥାକୁ କାହାକୁ କହିବି
ମୁଁ ପରା ପର ଝିଅଟେ
କିଏ କରିବ ବିଶ୍ୱାସ ମୋ କଥାକୁ
ମୁଁ ପରା ପାଗିଳି ଟିଏ ।
କାନ୍ଦି,କାନ୍ଦି ମୁହିଁ ଜୀବନ କାଟୁଛି
ପାଉନାହିଁ ଟିକେ ଖୁସି
କେବେ କେଉଁଦିନ ହସିବ ଏ ମନ
ପାଇବି ଏଥିରୁ ମୁକ୍ତି ।