ବାହୁଡା ରଥରେ ବାହୁଡାବ୍ରହ୍ମ
ବାହୁଡା ରଥରେ ବାହୁଡାବ୍ରହ୍ମ
ବାହୁଡା଼ ଯାତରେ ମୋ କଳା ସାଆନ୍ତ
ଫେରୁଅଛି ଝୁଲି ଝୁଲି
ନାଲି ଅଧରରେ ଭକତ ମେଳରେ
ହସୁଅଛି ଖିଲି ଖିଲି ।
ବରଷରେ ଥରେ ଗୁଣ୍ଡିଚା ମନ୍ଦିର
ଯାଇଥିଲେ ବୁଲିବାକୁ
ପୋଡ଼ପିଠା ଖାଇ ମାଉସୀ ମାଆର
କୋଳେ ଟିକେ ଶୋଇବାକୁ ।
ଆହା ସେ ମୂରତି କମନୀୟ କାନ୍ତି
ଚାହିଁଛନ୍ତି କୋଟି ଭକ୍ତ
ଦେଖିବା ପାଇଁ ଟି କାହିଁ କେତେ କାଳୁ
ଅସ୍ଥିର ହୁଅଇ ଚିତ୍ତ ।
ବାଜୁଛି ମୃଦଙ୍ଗ ବାଜେ ଖୋଳ ତାଳ
ବଡ଼ଦାଣ୍ଡ ଦୁଲୁକେଇ
କାଳିଆ ରଜା ମୋ ନନ୍ଦିଘୋଷ ରଥେ
ସାଥିରେ ଭଉଣୀ ଭାଇ ।
ଲକ୍ଷ୍ମୀ ସାଆନ୍ତାଣୀ ରୋଷ ହୋଇଛନ୍ତି
ସାଥିରେ ତ ନେଲେ ନାହିଁ
ଭାଙ୍ଗିଦେବି ରଥ ରୋକିଦେବି ପଥ
ଆସନ୍ତୁ ପ୍ରାଣ ଗୋସାଇଁ ।
କଇଁ କଇଁ ହୋଇ କାନ୍ଦୁଛି କାଳିଆ
ଭକତର ମୁଖ ଚାହିଁ
ଦୁଃଖ ନେଇ ସୁଖ ଅଜାଡି ଦେଉଛି
ଭେଦ ଭାବ ତାର ନାହିଁ ।
କାହିଁ କେତେ ଦୂରୁ ଧାଇଁ ଆସିଛନ୍ତି
ବିଦେଶୀ ଭକତ ଗଣ
ଭାବ ଭକତିର ଅପୂର୍ବ ମିଳନ
ରଥଯାତ୍ରା ପର୍ବ ଜାଣ ।