ଅସ୍ତହେବା ବେଳ
ଅସ୍ତହେବା ବେଳ
ଷାଠିଏ କି ସତେ ବୟସରେ ଲେଖା
ବାବୁ ଭାବୁଛନ୍ତି ବସି
ଫଗୁଣ ବଖାଣେ ଫୁଲର କାହାଣୀ
ରଙ୍ଗିଲା ସପନ ନେସି
କଳିଯୁଗେ କାଳେ ଷାଠିଏ ରୁ ସତେ
ଜୀବନ ଆରମ୍ଭ ହୁଏ
ଯଉବନ ସିନା ହଜିଲା ଅତୀତ
ପ୍ରେମ ନିଶା ଝାଙ୍କିଦିଏ ।
ଅସ୍ତହେବା ବେଳ ଧର୍ମକର୍ମ କଲେ
କ୍ଷୟ ହୋଇଥାଏ ପାପ
ବାବୁତ କୁହନ୍ତି ଅକ୍ଷୟ ଅମର
ପୁଣ୍ୟମୟ ପ୍ରେମ ଗପ ।
ପ୍ରେମ ପରା ଶକ୍ତି ପ୍ରେମ ପରା ମୁକ୍ତି
ପ୍ରେମିକ ପଣରେ ବାବୁ
ସବୁଜ ସପନ ଦେଖୁଛନ୍ତି ହେଲେ
ବେମାରୀ କରନ୍ତି କାବୁ ।
ଘରଣୀଙ୍କୁ ଏଣେ ଛୁଇଁଲେ ଛଅ ଗାଁ
ଛୁଇଁ ବି ହେଉନି ଛୁଇଁ
ନିଦ ପୁଣି ନିତି ବାଦ କରୁଅଛି
ରାତି ପାହେ ଚେଇଁଚେଇଁ ।
ମନ କଥା ବାବୁ କହିବେ କାହାକୁ
କହିବାକୁ ଲାଗେ ଲାଜ
ଦେଖି ହେଉ ନାହିଁ ଦେଖେଇ ହେଉନି
ଅଜାଗା ଘାଆ ର ବୋଝ ।
ରଙ୍ଗିଲା ଡେଣାକୁ ଝାଡିଝାଡି ବାବୁ
ଭାବୁଛନ୍ତି ପ୍ରେମ ପକ୍ଷୀ
ବାବୁଙ୍କ ଉପରେ କାଳର ନଜର
ସମୟ ତରଟେ ଆଖି ।