ଚିହ୍ନ ଭାଇ ଭଲ କରି
ଚିହ୍ନ ଭାଇ ଭଲ କରି
ଗାଆଁ ପରିମଳ ଧୋବା ତୁଠରୁ ଲୋ
ଯେମିତି ପଡଇ ଜଣା,
ସେମିତି ଓଡ଼ିଆ ମାଆଟିକୁ ଚିହ୍ନ
ମୁଣ୍ଡରେ ଥିଲେ ଓଢଣା।
ଦୁଆର ମୁହଁରେ ଝୋଟି ଚିତା ଦେଖି
ଜାଣ ଘରର ସଣ୍ଠଣା,
ବ୍ଯବହାର ଦେଖି ଜାଣିଯାଅ ଭାଇ
ଅଜଣା ବ୍ୟକ୍ତି ଠିକଣା।
ପାଞ୍ଚଜଣ ମଧ୍ୟେ ମୂର୍ଖ ଲୋକଟିକୁ
କେମିତି ଚିହ୍ନି ପାରିବ,
ଯିଏ ବେଶୀ କଥା ଗପୁଥିବ ସିଏ
ନିଶ୍ଚେ ମୂର୍ଖ ହୋଇଥିବ।
ତଳେ ମୁହଁ ପୋତି ଯିଏ ଥାଏ ବସି
ତାକୁ ଭଦ୍ର ବୋଲି ଜାଣ,
ଫମ୍ପା ମାଠିଆର ଶବ୍ଦ ବେଶୀ ଭାଇ
ମୂର୍ଖ ମୁହଁ ଭାରି ଟାଣ।
ଅଳ୍ପ ବିଦ୍ଯା ବଡ଼ ଭୟଙ୍କର ଏହା
ସମସ୍ତଙ୍କୁ ଜଣା ଏଠି,
ଉପରେ ପଡିକି ଯେ କହେ ଚଢିକି
ଲୋକେ ତାକୁ ମାନୁଥାନ୍ତି।
ନିତି ପ୍ରତି ସ୍ଵାମୀ ସହିତ ଝଗଡ଼ା
କରୁଥାନ୍ତି ଯେଉଁ ନାରୀ,
ସେହି ନାରୀଙ୍କର ସାବିତ୍ରୀ ବ୍ରତରେ
ଥାଏ ଯେ ଆଦର ଭାରି।
ପାଖରେ ଥାଇକି ଯେ କହେ ଟେକିକି
ତାକୁ ଶତ୍ରୁ ବୋଲି ଜାଣ,
ଦୂରରେ ଯେ ଥାଇ ତୁମ ଶୁଭ ଚିନ୍ତେ
ସେ ତୁମ ଆପଣା ଜନ।
ପିଲାର କଥାରୁ ବାପା ପରିଚୟ
ଯେମିତିକି ମିଳିଥାଏ,
ସେମିତି ଗଛର ପତରକୁ ଦେଖି
ଗଛ ନାଆଁ ଜାଣିହୁଏ।
ମଧୁର ବଚନ କାନକୁହା ଜନ
ବିଷାକ୍ତ ବୋଲିକି ଜାଣ,
ଟାଣ ଟାଣ କଥା ଯେ କହେ ଜାଣିଥା
ନଡିଆ ଭଳି ତା' ମନ।
ତିତାଚଇତନକଟା ସବୁ ଜନ
ନୁହଁନ୍ତି ସାଧୁ ସନ୍ୟାସୀ,
ସବୁ ଚିକ୍ ଚିକ୍ କରୁଥିବା ଚିଜ
ନୁହେଁ କେବେ ହୀରାମୋତି।
କଳା ଯା' ଶରୀର ତାକୁ ଅସୁନ୍ଦର
ଭାବିବାଟା ବଡ଼ ଭୁଲ୍,
କୋଇଲି କଣ୍ଠରୁ ଝରୁଛି ତ ପୁଣି
ଅମୃତର ସାତସୁର୍।
ସବୁ ପାଠପଢ଼ା ବାବୁ ଯେ ଶିକ୍ଷିତ
ବୋଲି ଭାବନାହିଁ ତାଙ୍କୁ,
ଲେଖିଛନ୍ତି ଭାଇ କାବ୍ୟ ଭୀମଭୋଇ
ନ ଯାଇ ବିଦ୍ଯାଳୟକୁ।
ସଭିଙ୍କୁ ଚିହ୍ନିବା ସହଜ ଏଠାରେ
ମଣିଷ ଚିହ୍ନିବା କଷ୍ଟ,
କାହା ମୁହଁ ଯଦି ସୁନ୍ଦର ଦିଶୁଛି
ତା'ମନେ ଥାଏ କପଟ।
ବାସହୀନ ଫୁଲ ଦିଶୁ ଯେତେ ଭଲ
ଯେହ୍ନେ ତା' ନାହିଁ ଆଦର,
ଧୋବ ଫରଫର କପଟି ବାବୁଙ୍କୁ
କର ଦୁରୂଁ ନମସ୍କାର।
ରାଜ୍ୟର ଦାରିଦ୍ର୍ୟ ଯଦି ଥିବ ହ୍ରାସ
ଜାଣ ସେ ରାଜା ସରସ,
ବୁଝେ ଅନ୍ୟ ଚିତ୍ତ ଲଗାଏ ଯେ ଗଛ
ସେ ନିଶ୍ଚେ ମହାପୁରୁଷ।
