ସିରିୟଲ ରଙ୍କୁଣୀ
ସିରିୟଲ ରଙ୍କୁଣୀ
ଦିନକି ରାତି ଚବିଶି ଘଣ୍ଟା
ଟିଭି ଟା ଖୋଲିଦେଇ,
ଘରଣୀ ମୋର ସବୁ ପ୍ରୋଗ୍ରାମ
ଯାଉଛି ଖାଲି ପିଇ।
ଘର ପାଇଟି କମ୍ କରେ ସେ
ଅଧିକ ଦେଖେ ଟିଭି,
ମୋ ଭାଗ୍ଯେ କିନ୍ତୁ ସେ ସବୁ ସୁଖ
ଯାଇଛି ଯାହା ଲିଭି।
ଘରଣୀ ମୋର ଟିଭି ଦେଖିଲେ
ଭାବରେ ହଜି ଯାଏ,
କମେଡି ସିନ୍ ଦେଖିଲେ ହସି
ଘର କମ୍ପେଇଦିଏ।
ସିରିଏଲ୍ରେ ପଡ଼ିଲା ଯେବେ
କାରୁଣ୍ଯ ପାଥାଟିକି,
କାନ୍ଦି ପକାଏ ଭାବେ ଆଖିରୁ
ଲୁହ ସେ ଗଡେଇକି।
ସିରିଏଲ୍ରେ ଲଭ୍ ସିନ୍କୁ
ଭାରି ସେ ଭଲପାଏ,
ଦେଖୁ ଦେଖୁ ସେ ଉଠିପଡିକି
ଅଣ୍ଟା ହଲେଇ ଦିଏ।
ଦେଖିଲା ଯଦି ଫାଇଟିଙ୍ଗ୍ରେ
ହାରିଲା ଭେଲିଆନ,
ପାଟି ଚିଲେଇଦେଇ ସେ ତାଳି
ମାରିବ ଘନଘନ।
ସତେ କି ପାକିସ୍ତାନ ହାରିଲା
ଇଣ୍ଡିଆ ଜିତିଗଲା,
ନିତିଦିନିଆ ଏମିତି ଘରେ
ଲାଗେଇଛି ସେ ପାଲା।
ଝିନ୍ଝଟ୍ ନାହିଁ ଗ୍ୟାସ୍ ଜଳେଇ
ରୋଷେଇ କରୁଥିବ,
ରୋଷେଇ ପ୍ରତି ଅଳ୍ପ ନଜର
ଟିଭିରେ ବେଶୀ ଥିବ।
ଏମିତି ପୋଡ଼ା ଦର୍ସିଝା ଖାଇ
ଦେହେ ଗଲାଣିଚଳି,
ଜାଣେ ସିରିଏଲ୍ ରଙ୍କୁଣୀ ଭାରି
ମୋହରି ଘରବାଲି।
ସେଦିନ ଯୋଗେ ଆସିଲି ଘରେ
ଯେବେ ମୁଁ ସନ୍ଧ୍ୟାବେଳେ,
ରୁଟି ବେଲିବା ଛାଡିକି ସ୍ତ୍ରୀ
ଦେଖୁଛି ସିରିଏଲେ।
ଟିଭିରେ ଯିଏ ଅଳ୍ପ କାନ୍ଦିଲେ
ଏ ବେଶୀ କାନ୍ଦୁଅଛି,
ଟିଭିରେ ଯିଏ ଅଳ୍ପ ହସିଲେ
ଏ ବେଶୀ ହସୁଅଛି।
ଟିଭିରେ ଦେଖି ରାଗିବା ସିନ୍
ହଠାତ୍ ରାଗିଗଲା,
ରୁଟି ବେଲଣା କାଠିଟିକୁ ସେ
ଟିଭିକୁ ଫୋପାଡିଲା।
ଭାବିଲା ସେଇ କଳାକାରର
ମୁଣ୍ଡ ଫଟେଇ ଦେବ,
ସେ କି ଜାଣିଛି ସେ ଲୋକ ନୁହେଁ
ଟିଭିଟା ଭାଙ୍ଗିଯିବ।
ମୁଣ୍ଡ ମୋହର କାମ କଲାନି
କୁହ କଅଣ କଲ ,
ସିରିଏଲକୁ ସତ ଭାବିକି
ଟିଭିଟା ଭାଙ୍ଗିଦେଲ?
କୋଉଠୁ ଆଉ ଟଙ୍କା ଆଣିବି
ସଜାଡି ଦେବି ଟିଭି,
ନ ହେଲେ ପୁଣି ବେଲଣା କାଠି
ପାହାର ଖାଉଥିବି।
ରୋଅଲ୍ ଅଭିନୟ କି ସତ
କେବେ ସେ ହୋଇଲାଣି,
ନା,ତୁମ ଭଳିଆ ମୁରୂଖ ସ୍ତ୍ରୀ
କେବେ ସୁଧୁରିଲାଣି।
ଏତିକି କଥା ପାଟିରୁ ମୋର
ଭଲକି ସରିନାହିଁ,
ହାତରୁ ତାର ରୁଟି ଗୁଳାଟି
ବେଗେ ଆସିଲା ଧାଇଁ।
ବାଜିଲା ଆଖି ଅଣ୍ଟାରେ ମୋର
ଦିଶିଲା ଅନ୍ଧକାର,
କିଏ କୋଉଠି ଅଛ ହେ ଆସି
ମୋତେ ତ ରକ୍ଷାକର।
ଅଟା ଚକଟା ନରମା ଗୁଳା
ବାଜିଲା ବୋଲି ସିନା,
ନଚେତ୍ ଉଡ଼ି ଯାଇଥାଆନ୍ତା
ପ୍ରାଣ ମୋ ଫୁର୍କିନା।
ମୁଁ କାଳେ ରୋଲ୍ କରୁଛି କେଉଁ
ଲେଡିଜ୍ ସହ ରହି,
ଏମିତି ପାଟି କରୁଥିଲା ସେ
ରାତିଟା ଗଲା ପାହି।
କେମିତି କୁହ ଚଳିବ ଭାଇ
ଏମିତି ଯଦି ହୁଏ,
ଏମିତି ଯିଏ ଚଳି ପାରୁଛି
ତା'ଠାରୁ ଭଲ କିଏ?
ରାଗ କି ରୁଷ ହସ କି କାନ୍ଦ
ଅତିଟା ଭଲ ନୁହେଁ,
ଅତି ମିଠା କି ଅତିଟା ଖଟା
କେବେ ଯାଏନା ଦେହେ।
ଗୃହର ମଣି ଘରଣୀ ସିଏ
ଯେ କିଛି ସହିଥାଏ,
ଭଲ ମନ୍ଦକୁ ଅଙ୍ଗୁରି ନିଜ
ଘର ଚଳେଇ ନିଏ।
