ବୁଢ଼ା କହୁଅଛି ବୁଢୀକି
ବୁଢ଼ା କହୁଅଛି ବୁଢୀକି


ବୟସଟା ଗଲା ବଢିକି,
ଆଖିରୁ ନେଞ୍ଜରା ବହେ ଘନଘନ
ଦାନ୍ତଗୁଡା ଗଲା ପଡିକି,
ବୁଢ଼ା କହୁଅଛି ବୁଢୀକି (୦)
ଧନ୍ୟ କହିବ ଏ ବୁଢ଼ୀକି,
ଖାଇବାକୁ ମୋତେ ଦେଉଛି ଆଣିକି
ଖଣ୍ଡ ନଡ଼ିଆ ଓ ମୁଢିକି,
ବୁଢ଼ା କହୁଅଛି ବୁଢ଼ୀକି।(୨)
ସରାଗରେ ବୁଢ଼ୀ ଥରଥର କଣ୍ଠେ
କହେ ବୁଢ଼ା ହାତ ଧରିକି,
ନାଳେଇ ନାଳେଇ ଶୁକୁଟା ବାପା ହେ
ଢୋକିଦିଅ ଗିଳିଗାଳିକି।
ଧନ୍ୟ ତୁମ ଦାନ୍ତ ମାଢିକି,
କୁକୁଡ଼ା ଗୋଡ଼କୁ ଖାଇଲ ସେଦିନ
ନାଳ ପଡୁଥିଲା ଗଳିକି,
ବୁଢ଼ାକୁ କହୁଛି ବୁଢୀଟି।(୩)
ବୁଢ଼ାକହେ ବୁଢ଼ୀ ଆଉକହନାଲୋ
କଥାରେ ଚୂନକୁ ମାରିକି,
ମୋ ଭତ୍ତା ଟଙ୍କାରେ ଚିକିନି ମାଉଁସ
ପୁଅ ଆଣିଥିଲା କିଣିକି।
ସବୁ ମାସ ଭତ୍ତା ଟଙ୍କାଟା ଶୁକୁଟା
ନଉଛି ମୋ ଠାରୁ ଭିଡିକି,
ନହେଲେ ସେପୋଡ଼ାମୁହାଁଟାମୋହର
ବେକକୁ ମୋ ଦେବ ମୋଡିକି।
ତା'ଠାରୁ ବେଶୀ ଡର ଲାଗେ ଶୁଣି
ଶୁକୁଟା ଭାରିଜା ରଡ଼ିକି।
ଧମକ ଦେଉଛି ବୃଦ୍ଧାଶ୍ରମେ ପୁଣି
ଆମକୁ ଆସିବ ଛାଡିକି।
ଏଇ, ନାତି ନାତୁଣୀଙ୍କୁ ଛାଡିକି
କେମିତି ବଞ୍ଚିବା ଭାବୁଛି ସେ କଥା
କଲିଜା ଛାତିରୁ କାଢିକି।
ବାର୍ଦ୍ଧକ୍ୟ ଆସିଲା ବଢିକି,
ମୁଣ୍ଡବାଳ ଫୁରୁଫୁରୁ,
ହାତ ଗୋଡ଼ ଥୁରୁଥୁରୁ,
ଦେହ ଚମ ଧୂଡୁଧୂଡୁ,
ଆଖିରୁ ନେଞ୍ଜରା, ଥଣ୍ଡା କଫ ପରା
ବଞ୍ଚିଛେ ଯା ମରୁମରୁ,
ସେଥିରେ ଏ ନିଆଁଲଗା କାଶ ଆମ
ପଛରେ ଯାଇଛି ପଡିକି,
>
ରାତି ଭରି କାଶ ଶୁଣିକି,
ବୋହୂଟି ଆମର ବିରକ୍ତ ହେଇକି
ଘରୁ ଦେଲା ସିଏ ତଡିକି,
ସିଡିଘର ତଳେ ଜୋତାମାଳ ମେଳେ
ରହିଅଛେ ଆମେ ପଡିକି,
ଶୀତ ଆସେ ମାଡ଼ି ମାଡିକି,
କମଳା ଖଣ୍ଡିଏ ନାହିଁ ଆମ ପାଇଁ
ଦେହ ଯାଉଥାଏ ଥରିକି।
ବୁଢ଼ା କହୁଅଛି ବୁଢୀକି।
ବିଗତ ଦିନକୁ ଭାଳିକି,
ଏଇ ଶୁକୁଟାକୁ ଛୋଟୁ ବଡ଼ କଲି
ନିଜ ପେଟ ଭୋକ ମାରିକି,
ଜନମ ତୁ ଦେଲୁ ଗରଭ ଯନ୍ତ୍ରଣା
ଗର୍ଭୁ ନାତମାଡ ସହିକି,
ଏଇ କାନ୍ଧେ ମୋର ବସିକି ଶୁକୁଟା
ଯାଇଥିଲା ମେଳା ଦେଖିକି।
ଆଜି, ପୁଅ ଦେଲା ପର କରିକି,
ଦେଖିପାରିଲେନି ପୁଅ ବୋହୂ ପୁଣି
ବୁଢ଼ା କାଳେ ଆମ ଶିରୀକି।
ଅରୁଚି ପାଟି ମୋ ଆଇଁଷ ପାଇଁକି
କେତେ ହେଉଥାଏ ଝୁରିକି,
ଆମ ପାଇଁ କିଛି ନାହିଁକି,
ଶଳା,ଶଶୁରଙ୍କ ଖୁସି ପାଇଁକି,
ମଟନ ଚୁଙ୍ଗୁଡି ଆଣୁଛି ଶୁକୁଟା
ଅଣ୍ଟାରୁ ନୋଅଟ କାଢିକି।
ବଞ୍ଚିଥିବା ବେଳେ ରୁଟି ଖଣ୍ଡେ ନାହିଁ
ମଲେ କାଳେ ଦେବ ବାଇଶି ପ୍ରକାର
ବେଣା ବୁଦାମୂଳେ ଥୋଇକି।
ତଥାପି ସବୁକୁ ସହିକି,
ତାଙ୍କର ମଙ୍ଗଳ କାମନା କରିବା
ଆମେ ବାପା ମାଆ ହୋଇକି,
ବୁଢ଼ା କହୁଅଛି ବୁଢୀକି।
ଏକଥା ତାଙ୍କର ଶୁଣିକି,
ଦୁଃଖରେ ଫାଟେ ମୋ ଛାତିଟି,
ଧନ୍ୟ ପିତାମାତା ହେ ବଡ଼ ଦେବତା
କିଏ ଅଛି ତୁମ ପରିକି।
ଶତ ଧିକ ସେହି ପୁଅ ବୋହୂ ଯିଏ
ତୁମକୁ ନେଉନି କତିକି,
ସମୟ ଆସୁଛି ନିଜେ ବୁଢା ହେବେ
କାନ୍ଦୁଥିବେ ମୁଣ୍ଡ ପିଟିକି।