STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ଗାଈ କାହିଁକି ମାଆ

ଗାଈ କାହିଁକି ମାଆ

1 min
39


ଦିନେ ମ‌ଇଁଷି, ଛେଳି ଯେ ମେଣ୍ଢି‌

   ଗଧ,ଘୋଡ଼ା ଓ ଓଟ,

ବଡ଼ ଦେଉଳ ଆଗରେ ମିଳି

    କରିଲେ ଧର୍ମଘଟ।

ତାଙ୍କ ସହିତ ଯୋଗ ଦେଲେ ତ

    ଯେତେକ ସ୍ତନ୍ୟପାୟୀ,

ଏ ଅଭିଯୋଗ ପଛରେ ସେହି

    ଗାଈ କେବଳ ଦାୟୀ‌।

ଦରଖାସ୍ତଟି ଲେଖିଅଛନ୍ତି

    ବଳଦେବଙ୍କୁ ଦେବେ,

ଗାଈ କାହିଁକି ମାଆ ହୋଇଛି 

    ସେ କଥା ପଚାରିବେ।

ଗାଈ ଦେଉଛି କ୍ଷୀର ସେ ଯଦି 

    ଆମେ ଦେଉଛୁ କ୍ଷୀର,

ସିଏ କାହିଁକି ଗୋମାତା ହେଲା

    ଦିଅ ଆମ ଉତ୍ତର ?

ତୁଳସୀ କ୍ଷେତ୍ର ବଡ଼ ଦାଣ୍ଡରେ 

    ପ୍ରଭୁଙ୍କ ସିଂହଦ୍ଵାରେ,

ବିଭିନ୍ନ ପ୍ରାଣୀ ଛାଡିଲେ ରଡି

    ଯିଏ ଯେଉଁ ପ୍ରକାରେ।

ବଡ଼ ଠାକୁର ହେଲେ ଅସ୍ଥିର 

    ଆସି ପହଞ୍ଚି ଗଲେ,

ଗୃହ ପାଳିତ ପଶୁମାନଙ୍କୁ 

    ଦେଖି ଆନନ୍ଦ ହେଲେ।

ପ୍ରଭୁଙ୍କ ପଦେ ପଡ଼ିଲେ ଯେତେ 

    ନାନା ପ୍ରକାର ପ୍ରାଣୀ,

ଗୁହାରି କଲେ ପଦ୍ମ ପୟରେ

    ହସିଲେ ହଳପାଣି‌।

ମ‌ଇଁଷି କୁହେ ଶୁଣ ଠାକୁରେ

    ଗାଈ ଦ‌ଉଛି କ୍ଷୀର,

ତାକୁ ଯଦିବା ମାଆ କହିଲ 

    ମୋତେ ମାଉଷୀ‌ କର।

ଓଟ କହୁଛି ହେବି ପିଉସୀ 

    ମୁଁ ବି ଦିଏ କ୍ଷୀର,

ଗଧ କହୁଛି ମୋତେ ତ ନାନୀ

    ବଡଠାକୁର କର।

ଛେଳି ଓ ମେଣ୍ଡି କହନ୍ତି କାନ୍ଦି

    ଭ‌ଉଣୀ ହେବୁ ଆମେ,

ଏମିତି ସବୁ ପ୍ରାଣୀ ଯେତେକ 

    କହିଲେ ଜଣେ ଜଣେ।

ବଡଠାକୁର ଦେଲେ ଉତ୍ତର

    କରନି ମନ ଦୁଃଖ,

ଗାଈ କାହିଁକି ମାଆ ହୋଇଛି 

    ସେ କଥା ମନେ ରଖ।

ରୋହିଣୀ ଗାଈ ମୋର ଜନନୀ 

    ମୁଁ ଯେ ରୋହିଣୀସୁତ,

ସେ କାମଧେନୁ ଗାଈ ଲୋମରେ

    ଦେବତାଙ୍କର ବାସ।

ତେଣୁ ସେ ଶ୍ରେଷ୍ଠ ଜୀବ ବୋଲାଏ

    ସମସ୍ତଙ୍କର ମାଆ,

ତା'କଞ୍ଚା କ୍ଷୀର ପଞ୍ଚାମୃତର

    ମୁଖ୍ୟ ନୈବେଦ୍ୟ ଯାହା।

ଗୋମୟ ଆଉ ଗୋମୁତ୍ର ସତେ

    କେତେ ପବିତ୍ର ଦେଖ,

ପ୍ରତ୍ୟେକ ଯଜ୍ଞ ପୂଜା ପୁଣ୍ଯରେ

   ଲୋଡା ହେଉଛି ମାତ୍ର।

ସେଇଥି ପାଇଁ ଗାଈ ଜନନୀ

   ତା'ପରି କେହି ନାହିଁ,

ତୁମେ ବି ମାଆ ସତ୍ୟ ବି ଏହା

   ତୁମ ସନ୍ତାନ ପାଇଁ।

ମାଆ ନାଆଁରେ ମମତା ଥାଏ 

   ସବୁ ଜୀବଙ୍କଠାରେ,

ମଣିଷ ଠାରୁ ପଶୁ ପର୍ଯ୍ୟନ୍ତ 

   ମାଆଟି‌ ଗେଲ କରେ।

ତୁମ ପିଲାକୁ ଜିଭରେ ଚାଟି

   ତୁମେ ଦେଉଛ ସ୍ନେହ,

ପିଲାଟି ତୁମ କ୍ଷୀର ଖାଉଛି 

   ତୁମେ କି ମାଆ ନୁହଁ?

ମାଆ ମାଉସୀ ଖୁଡ଼ି ପିଉସୀ

   ସବୁ ଅଟନ୍ତି ନାରୀ,

ସବୁ ନାରୀଙ୍କ ଭିତରେ ଜାଣ

   ଥାଏ ମାତୃତ୍ଵ ଭରି‌।

ପଶୁ ହେଉକି ମଣିଷ ହେଉ

   ଗର୍ଭ ବେଦନା ସହି,

ଯେ ଜନ୍ମ ଦେଲା ସେ ମାଆ ହେଲା

   ମାଆ ସମ କେ ନାହିଁ।

ଏ କଥା ଶୁଣି ଯେତେକ ପ୍ରାଣୀ

   ସଭିଏଁ ହେଲେ ତୋଷ,

ମୂର୍ଖ ଅପର୍ତ୍ତି ପ୍ରଭୁ ପୟରେ

    ସଦା ଦାସାନୁଦାସ।

  ଜୟ ଶ୍ରୀ ବଳଦେବଜୀଉ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy