STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ବାତ୍ୟା କହିଲାଣି‌ ଆସିବ

ବାତ୍ୟା କହିଲାଣି‌ ଆସିବ

1 min
11


ଆଉ ତୁମଠିଁ ଅଶାନ୍ତି ହୋଇ

   କିଛି ବି ଲାଭ ନାହିଁ,

ପ୍ରତି ବରଷ ତୁମେ ଆସିବ

   ଆମେ ଜାଣିଛୁ ଭାଇ।

ଆସିବ ଯଦି ଆସ ହେ ବନ୍ଧୁ 

   ଆମ ଦୁଆର ଖୋଲା,

ଦାନା ନାଆଁରେ ଆସିବ କାଳେ

   ଚାରିଆଡ଼େ ଯେ ହାଲ୍ଲା‌।

ଆମ ଦାନାକୁ ମାରିବ ବୋଲି 

   ବ୍ୟବସ୍ଥା କରିଅଛ,

ଉପକୂଳିଆ‌ ଲୋକଙ୍କ ଦୁଃଖ 

   ଏ ଅକ୍ଟୋବର ମାସ।

ବିଭିନ୍ନ ନାଆଁ ନେଇ ଆସୁଛ

    ଆମ ପ୍ରିୟବାନ୍ଧବ,

ଯଦି ଆସୁଛ ତଥାପି ଆମ

   ବାରେ ଶୁଭେଚ୍ଛା ନେବ।

ଜଳପଥରେ ଭୀମ ରଢିରେ

   ଆସୁଛ କାଳେ ତୁମେ,

ଏ କଥା ଶୁଣି ତୁମ ବାଟକୁ 

   ଚାହିଁ ବସିଛୁ ଆମେ।

କିଛି ଚେତନା ସନ୍ଦେଶ ଭେଟି

    ଅବଶ୍ୟ ଆଣିଥିବ,

ମଣିଷ ଜାତି ସେ ଚେତାବନୀ

    କ'ଣ ବୁଝି ପାରିବ ?

ମହାବାତ୍ୟା କି ତିତିଲି‌, ଫନି

    ଫାଇଲିନ ଆସିଛନ୍ତି,

ହୁଡହୁଡ,ବୁଲ୍‌ବୁଲ୍‌,ଅମ୍ପାନ

    ୟାସ୍‌ ଅନେକ କିଛି।

ନିଜ ସାନିଧ୍ୟ ଦେଇ ଆମକୁ 

    କୃତାର୍ଥ କରିଛନ୍ତି,

କେବେ ବି ଲିଭୁନାହିଁ ହୃଦରୁ‌

    ତାଙ୍କ ଅଲିଭା ସ୍ମୃତି।

ତୁମେ ଆସିବ ସୁଖକୁ ନେବ

  କପାଳେ ଦୁଃଖ ଦେବ,

ତୁମେ ତ ଗଲାପରେ ରିଲିଫ 

   ପାଲ ଖଣ୍ଡେ ମିଳିବ।

ତୁମେ ଆସିବ ଲୀଳା କରିବ

   ତୁମେ ତ ମହାକାଳ,

ତୁମେ ପ୍ରଳୟ ତୁମେ ବିଲୟ

    ରଚିବ ନୂଆ ଖେଳ‌।

ତୁମ ଧରମ କରି ପାଳନ 

    ତାଣ୍ଡବ ରଚିଯିବ,

ଆମ ମନଟି ବାତ୍ଯା ଉଜୁଡା

    ଦରବଠାରେ‌ ଥିବ।

କେ ଲକ୍ଷ୍ମୀମନ୍ତ ବାତ୍ୟା କହିବେ

   ବାପପୁଅ ଭିନ୍ନ ହେବେ,

ରିଲିଫ ଘରଭଙ୍ଗା ଟଙ୍କାକୁ 

   ଚାରିଚାରିଥର ନେବେ।

ପ୍ରକୃତି ତଣ୍ଟି ଚିପିକି ନିଜ

   ଅଣ୍ଟିଟା ଭରିବାରେ,

କି ପୌରୁଷତା ମଣିଷ ଅର୍ଜେ

  କୁରାଢୀ ମାରି ଗୋଡ଼େ? 

ହେବାରୁ ନଷ୍ଟ ଏ ପରିବେଶ

   ବିଭିନ୍ନ ବାତ୍ୟା ଆସେ,

ରହିଲେ ବଞ୍ଚି ସିନା ଗଛଟି

   ପ୍ରକୃତି ରାଣୀ ହସେ। 

ସାଗର ଉପକୂଳିଆ ମୁହିଁ 

  ଯେଣୁ କେନ୍ଦ୍ରାପଡିଆ,

ବାତ୍ୟା କି ବନ୍ଯା ଝଡ଼ ଆପଣା

  ସାହା ମୋ ପ୍ରଭୁ ବଳିଆ।

ନୀଳାଚଳିଆ ସାଗର କୂଳେ

   ଭାଇ ବଳିଆ ଏଣେ,

ଦୁଇ ଭାଇଙ୍କୁ ଡରି ବତାଶ

   ଚାଲି ଯାଏ ସେ ଦୂରେ‌।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy