ବାପା!! ଟିକେ ସ୍ୱାର୍ଥପର ହୁଅ
ବାପା!! ଟିକେ ସ୍ୱାର୍ଥପର ହୁଅ
ବାପା !
ସେ ଦଦରା ଅଣ୍ଟା ଭାଙ୍ଗି
ଝାଳ ନିଗାଡ଼ିବାକୁ ଏତିକିରେ ରିହାତି ଦିଅ
ନଚେତ୍ , ତୁମ ହାତୁଡ଼ି ହାତ
କେବେ କୋଦାଳ , ଶାବୁଳ ପାଦ
ସବୁ କଳଙ୍କି ଲାଗିଯିବ ।
ଏ ଅର୍ଦ୍ଧଶତକ ବୟସ ପରେ
ଆଉ କୋଡ଼ିଏ କି ପଚିଶ ବର୍ଷର
ଜୀବନ୍ତ ଠାକୁର ତୁମେ ।
ତୁମ ଆଣ୍ଠୁ ରୁ ଛିଡି ପଡ଼ୁଥିବା ଚର୍ମ
ବୁଢ଼ା ଆଙ୍ଗୁଠି ସନ୍ଧିର ରକ୍ତ ଆଡେ ନଜର ପକାଅ
ଏ ଠୋ ଠୋ ଖରାରେ ତୁମ କଳା ମୁହଁ
ବେଶୀ କଳା ଦିଶୁଛି ।
ମୁଁ ଯୋଗ୍ୟ ହେଲା ପରେ
ଅନିଚ୍ଛା ସତ୍ତ୍ବେ ସମାଜ ଭୟରେ
ତୁମ ସ୍ମୃତି ରୁ ଆଞ୍ଜୁଳାଏ ଦେଇ
କେଉଁ ଗୋଟେ ଅଜଣା ଗ୍ରହ କୁ ଠେଲି ଦେବ ।
ହଁ! ପୁଅ କିନ୍ତୁ ପ୍ରଥମ ମାସର ଦରମା ଆଣି
ତୁମ ନାଇଁ ନାଇଁ କୁ ବେଖାତିର୍ କରି
ରାମ ଭକ୍ତ ହନୁମାନ ସାଜି ତା ପରିଶ୍ରମକୁ
ତୁମ ଗାମୁଛା ରେ ଗଣ୍ଠି ଦେବ ।
ଦ୍ଵିତୀୟ ମାସକୁ ତା ପକେଟ୍ ଖର୍ଚ୍ଚ ବାଦ ଦେଇ
ବଳିଥିବା କା
ଣିଚାଏ କଣା ଫଟା କୁ
ସାଦରେ ସାଇତି ପାର ନାତିକି କି ନାତୁଣୀ ପାଇଁ ।
ତୃତୀୟ ମାସକୁ ତୁମ ସାମ୍ନାରେ ତୁମ ବୋହୂ
ନାଲି ବିଡା ଟା ଝାମ୍ପି ନେଇ ଭ୍ୟାନିଟ ସଜେଇବ
ଟିକେ ପାନ ଗୁଆ ଗୁଣ୍ଡି ପାଇଁ
ଲାଜ ଲୁଚେଇ ତୁମେ ଭିକାରୀ ସାଜିବ ।
ଏକ ଅବ୍ୟବହୃତ କୋଠରୀ କୋଣରେ
ତୁମେ ଅଦରକାରୀ ପଦାର୍ଥ ଟେ ସାଜି ପାର
ତୁମର ସେ କଥା କୁହା ପାଟି
କାନ୍ଦି ଶିଖି ନଥିବା ଆଖି
ଗୁମୁରି କାନ୍ଦି ଖୁଁ ଖୁଁ ହେବ ।
ଆମ ଭବିଷ୍ୟତ ଦୀପ ରେ
ସବୁତକ ଘୃତ ଭର୍ତ୍ତି କରି
ତୁମ ଭବିଷ୍ୟତ ଅମା ଅନ୍ଧକାର ।
ସେଥିପାଇଁ କହୁଛି , ବାପା !
ନିଜ ପାଇଁ ବଞ୍ଚିବା ଶିଖ
ବାପା! ଟିକେ ସ୍ୱାର୍ଥପର ହୁଅ ।