ଶରଶଯ୍ୟା
ଶରଶଯ୍ୟା
ସଭିଏଁ ସଭ୍ୟ ମଣିଷର
ଭଦ୍ରମୁଖା ପିନ୍ଧି
ମିଛ ଅଭିନୟ କରନ୍ତି ଏଠି
ଏକ ଆରେକୁ ବଳି l
ଦଳେ କ୍ଷତାକ୍ତ ରକ୍ତlକ୍ତ
କରନ୍ତି ହସି ହସି ଛଳି
ଅନ୍ୟ ଦଳେ କ୍ଷତ ଉପସମ ପାଇଁ
ଦରଦୀ ମଲମ ଲଗେଇ
ଖୁସି ବାଣ୍ଟନ୍ତି ସହି ଗାଳି ତାଳି ମାଳି ।
ସଭିଏଁ ସଖା ସାଙ୍ଗ ସାଥୀ ଏଠି
ପାଖରେ ଦଳ ଦଳ ପଙ୍ଗପାଳ
ଥୋକେ ସାଥିରେ ଚାଲନ୍ତି
ମେଳି ବସାନ୍ତି ସଞ୍ଜ ସକାଳ
ଆଉ ଥୋକେ ସହପାଠୀ
ଧୋକା ଦିଅନ୍ତି କଳି ଭିଆନ୍ତି l
ଦେଖି ଆଗ ବୁଲାଣି
କାଟି ନିଅନ୍ତି ନିଜର ଅନ୍ୟ ଚଲାପଥ
ଚିତା କାଟନ୍ତି ସମ୍ଭାଳି ହାବେଳି ।
ସଭିଏଁ ମିଛିମିରିକା
ପ୍ରେମ ସ୍ନେହ ଗେଲ କରନ୍ତି ଏଠି
ଚୁନାଚୁନା ମୁରୁକି ଛଟାରେ
ଅନ୍ତରଙ୍ଗ ଭାବ ତରଙ୍ଗରେ
ତ୍ୟାଗ ସଂଘର୍ଷ ବଳିଦାନରେ l
ଆଉ କିଛି ସମୟ ସୁବିଧା
ଦେଖି ଚକ୍ରାନ୍ତ ଚଳାନ୍ତି
ଗାତ ଖୋଳି ସ୍ନୋ ପାଉଡର ବୋଳି
ନୃତ୍ୟନାଟିକାରେ
ଜୀବନର ଜବନିକା ଟାଣିବାକୁ
ହାତଗୁଞ୍ଜା ଦେବାକୁ ,ପଛଘୁଞ୍ଜା ନ କରି
ଅଟହାସ୍ୟର ଛଳେ ବଳେ କୈଶଳେ ।
ସଭିଏଁ ସଖ୍ୟ ସଂପର୍କର
ସେତୁବନ୍ଧ ବାନ୍ଧନ୍ତି ଏଠି
ଚାଲୁ ଚାଲୁ ଜୀବନର ଚଲାପଥରେ
ଗନ୍ତବ୍ୟର ଓଜାଣି ସ୍ରୋତରେ
ନିତିଦିନିଆ ତେଲ ଲୁଣ ସଂସାର ହାଟରେ l
ଅଳ୍ପ କେତେ ସ୍ମୃତିସୌଧ ହୋଇ
ଅମ୍ଳାନ ଅମଳିନ ଦେଦୀପ୍ୟମାନ ମୁଦ୍ରାରେ
ହୃଦୟରେ ଆସ୍ଥାନ ବାନ୍ଧନ୍ତି
ମନ ଗର୍ଭଗୃହରେ ନୈବେଦ୍ୟମଣ୍ଡପ ସାଜନ୍ତି l
କିନ୍ତୁ ଅନେକ ଅଗଣିତ ସଂପର୍କ୍ରୀୟ
ମୌକାରେ ଚଉକା ଛଅକା ମାରି
କାଦୁଅ ଫିଙ୍ଗାରେ ଅଟ୍ଟହାସ୍ୟ ଆଳରେ
ହଜାରେ ଶରଶର୍ଯ୍ୟାର କଷଣ ଦେଇ ଥୋଇ
ଆଚରଣ -ଉଚ୍ଚାରଣର ରଣଦୁନ୍ଦୁଭି ଫୁଙ୍କେଇ
ଅନ୍ଧାରି ବିଜେ କରନ୍ତି ଟଳି ଟଳି ଢ଼ଳି ଢଳି ।