ଜୀବନ ଖରା ଛାଇ ଖେଳ
ଜୀବନ ଖରା ଛାଇ ଖେଳ
ଜୀବନ ଖରା ଛାଇ ଖେଳ
କେବେ ତାତି କେବେ ଶୀତଳ,
ଆଲୁଅ ଅନ୍ଧାରର ମେଳ
ସୁଖ ଦୁଃଖରେ କାଟେ କାଳ।
ମୁଦ୍ରାର ଦୁଇ ପାର୍ଶ୍ଵ ପରି
ହୁଏ ନାହିଁ ବଦଳ କରି,
'ଏକ'ରେ ଏ 'ଦୁଇ'କୁ ଧରି
ଚାଲେ ସମୟ ଅନୁସରୀ।
ସକାଳର ସୁରୁଜ ଉଇଁ
ଉଜ୍ଜ୍ଵଳ କରେ ବନଭୂଇଁ,
ସଞ୍ଜକୁ ଯାଏ ଯେବେ ନଇଁ
ଅନ୍ଧାର ଆସି ଦିଏ ଛୁଇଁ।
ଶ୍ରମ କ୍ଳାନ୍ତି ବଶେ ଶରୀର
ବିଶ୍ରାମ ଲୋଡେ ନିରନ୍ତର,
ସଜାଗେ ସତେଜତା ତାର
ଚଳାଇ ନିଏ ସେ ସଂସାର।
ଖରାର ତେଜେ କଷ୍ଟ ପାଇ
ଖୋଜେ ଗାଢ଼ ଶୀତଳ ଛାଇ,
ଅସଡାକୁ ସେ ସଜଡାଇ
ଜୀବନ ଗଢି଼ ତା' ଚାଲଇ।
ଧୈର୍ଯ୍ୟ ସାହସେ ଥାଏ ରହି
ଦୁଃଖ ଯନ୍ତ୍ରଣା ସବୁ ସହି,
ମରମ ବେଦନା ତା' କହି
ନଈ ସମ ଯାଏ ସେ ବହି।
ବାଧା ବିଘ୍ନକୁ ଚାଲେ ଏଡି଼
ସାଥୀର ଭାଗ୍ୟକୁ ତା' ଯୋଡି଼,
ଆଶାର ଯେତେ ଫୁଲ କଢି଼
ଫୁଟାଇ ବାସ ଦିଏ ଝାଡି଼।
ସାଉଁଟି ନେଇ କର୍ମଫଳ
ବଢାଏ ନିଜ ଆତ୍ମବଳ,
ସ୍ଵଚ୍ଛ ସୁନ୍ଦର ପରିମଳ
ସ୍ଥିତିକୁ କରେ ଲକ୍ଷ୍ୟସ୍ଥଳ।
ଭାବ ବିନିମୟେ ଉଦାର
ରହି କରେ ନ୍ୟାୟ ବିଚାର,
ବୁଝି ସେ ଅସାର ସଂସାର
ବିଭୁପାଦେ ରଖେ ତା' ନଜର।
ନିମିତ୍ତ ମାତ୍ର କାର୍ଯ୍ୟ କାଳ
ଧ୍ୟାନେ ଅର୍ପି ଦିଏ ସକଳ,
ଭାବି କହେ ହୋଇ ନିଃଶ୍ଚଳ
ଜୀବନ ଖରା ଛାଇ ଖେଳ।