ତ୍ୟାଗ
ତ୍ୟାଗ
ଜୀବନ ଦର୍ଶନର ତତ୍ତ୍ଵ କହେ
ତ୍ୟାଗ ହିଁ ଶ୍ରମ ସାଧନାର ପୁଣ୍ୟଫଳ
ନକରି କେହି କିଛି ସ୍ଵେଚ୍ଛାକୃତ ଭାବେ ତ୍ୟାଗ
ହୋଇ ପାରେନା ତା' ଜୀବନେ ସଫଳ
ପାଇବାକୁ ଏ ବସୁଧାର ପବିତ୍ର କୋଳ
ପରଂବ୍ରହ୍ମ ସୃଷ୍ଟିକର୍ତ୍ତା କଲେ କରୁଣା
ଜନକ ଜନନୀ ରୂପରେ ପିତାମାତା ହୋଇ
ଦିଅନ୍ତି ଜନମ କରନ୍ତି ଅଶେଷ କଲ୍ୟାଣ
ମଣିଷ ଲଭି ତାର ସୁନ୍ଦର ଜୀବନ
କରେ ମହତ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂରଣ
ପରମଙ୍କ ତ୍ୟାଗ କରି ଗ୍ରହଣ
ଜନ୍ମଦାତା କରନ୍ତି ସୁଯୋଗ୍ୟ ସନ୍ତାନ
ଦାନର ଦେବାକୁ ପ୍ରତିଦାନ
ପ୍ରକୃତି ଗଢ଼େ ସରସ ସୁନ୍ଦର ଜୀବନ
ଫୁଲଟିଏ ଫୁଟି ମହକ କରେ ବିତରଣ
ବୃକ୍ଷେ ଫଳି ଫଳ କରେ ପ୍ରାଣୀ ହିତେ ଦାନ
ଦାନର ଅନ୍ୟ ଅର୍ଥ ତ ତ୍ୟାଗ
ବିଳାସ ବ୍ୟସନକୁ ମଣିଷ ଭାବେ ଉପଭୋଗ
ହୁଏ ସେ ଇନ୍ଦ୍ରିୟମାନଙ୍କର ଆସକ୍ତି
ସ୍ଵାର୍ଥେ ହୋଇ ଅନ୍ଧ କରେ ନାନା ଅନର୍ଥ
ନିଜେ ଡାକି ଆଣେ ଅକାଳେ ନିଜର ବିନାଶ
ତ୍ୟାଗ ବିନା ମିଳେନା ଆତ୍ମସନ୍ତୋଷ
ଜଗତର ହିତ ଲାଗି ମାନବ ହୁଏ ଜନମ
ହିତ ଛାଡ଼ି କରେ ଯେବେ ହତ
ମାୟା ମୋହ ତାକୁ କରେ କବଳିତ
ହୁଏ ନାନା ଭାବେ ପାପର ପଙ୍କେ କଳୁଷିତ
ବ୍ରହ୍ମକୁ ନ ବୁଝି ଅହଂ ପଣେ କରେ ଅହଂକାର
ଅବିଦ୍ୟାକୁ ବିଦ୍ୟା ଭାବି କରେ ଆସ୍ଫାଳନ
ସତ୍ୟ ଶାନ୍ତି ଦୟା କ୍ଷମା ଭୁଲିଯାଏ
କରେନା ସେ ନିଜକୁ ସଂପୂର୍ଣ୍ଣ ସମର୍ପଣ
ସଂକୁଚିତେ ହୁଅଇ ସଂକୀର୍ଣ୍ଣ
ବୁଝେନା ତ୍ୟାଗର ମହତ୍ତ୍ଵ ଓ ଶ୍ରେଷ୍ଠ ଗୁଣ
ଜନ୍ମ ମୃତ୍ୟୁ ଚକ୍ରର ବନ୍ଧନେ ହୋଇ ସେ ବଶ
ଜନ୍ମଜନ୍ମାନ୍ତ ଭୋଗୁଥାଏ କେବଳ କଷଣ
ତ୍ଯାଗରୁ ମିଳେ ମୋକ୍ଷ ହୁଏ ଜୀବନ ମୁକ୍ତ
ତ୍ୟାଗ କରି ଦଧିଚୀ ମୁନି ନିଜ ଅସ୍ଥି
କରିଥିଲେ ବ୍ରହ୍ମାଣ୍ଡର ସୁରକ୍ଷା
ତ୍ୟାଗକରି ଶ୍ରୀରାମ ବନବାସେ ରହି
ସୀତାଙ୍କୁ ଉଦ୍ଧାରି ରାବଣକୁ କରିଥିଲେ ବଧ
ରାଜପୁତ୍ର ଗୌତମ ଛାଡ଼ି ସିଂହାସନର ମୋହ
ତପସ୍ଵୀ ଜୀବନେ ହୋଇଥିଲେ ବୁଦ୍ଧ
ତ୍ଯାଗରେ ହିଁ ଜୀବନର ସାର୍ଥକତା
ଅହଂକାର ହୃଦୟରୁ ନ କରିବା ଯାଏଁ ଦୂର
ତ୍ୟାଗର ମାର୍ଗ ପାଏନା ମଣିଷ ଖୋଜି
ନିଜେ ଯାଉଥିବ ହଜି ପାରୁ ନଥିବ ବୁଝି
ତ୍ୟାଗ ଆତ୍ମ ଉତ୍ସର୍ଗୀକୃତ ସଂପୂର୍ଣ୍ଣ ସମର୍ପଣ
ତ୍ୟାଗରୁ ପ୍ରାପ୍ତ ହୁଏ ପ୍ରକୃତ ଶାନ୍ତି ତୃପ୍ତି
ତାହା ହିଁ ଆତ୍ମଜ୍ଞାନ ଆତ୍ମଶକ୍ତି।