ଅଧିବର୍ଷ
ଅଧିବର୍ଷ
ବରଷକୁ ବାରମାସ ଛଅ ଋତୁର ପ୍ରବେଶ
ଏକ ପରେ ଏକ ଆସ'ନ୍ତି ଧରାଧାମେ,
ପ୍ରକୃତିର ନିୟମରେ ନିଜ ନିଜ ସ୍ଵଭାବରେ
ଜଗତ ହିତେ ରହିଥା'ନ୍ତି ଅବିରାମେ,
ଅକ୍ଷ କକ୍ଷ ପଥେ ପୃଥିବୀ
ଅହରହ ଘୁରୁଥାଏ ଯଥା ସମ୍ଭବୀ।୧।
ସୂର୍ଯ୍ୟ ଚାରିପାଖେ ପୃଥ୍ବୀ ପରିକ୍ରମଣେ ଅବଧି
ତିନିଶହ ପଞ୍ଚଷଠି ଦିନ ଛ' ଘଣ୍ଟା,
ବରଷକୁ ଛଅ ଘଣ୍ଟା ଅଧିକରେ ହୁଏ ବଣ୍ଟା
ଚାରି ବରଷରେ ହୁଏ ଚବିଶ ଘଣ୍ଟା,
ଅଧିକ ହୁଏ ଦିନ ଏକ
ଫେବୃୟାରୀ ଅଣତିରିଶ ସେ ମାସକ।୨।
ଅଧିକ ହେବାରୁ ଦିନ ଅଧିବର୍ଷ ହୁଏ ଗଣନ
ଚାରି ବରଷରେ ଏହା ହୁଅଇ ଥରେ,
ସେ ବରଷର ଗଣନ ତିନି'ଶ ଛ'ଷଠି ଦିନ
ଲିପିବଦ୍ଧ ହୋଇଥାଏ ଏ ହିସାବରେ,
ଚାରି ସଂଖ୍ୟାରେ ଯେ ବିଭାଜ୍ୟ
ମସିହାଟି ହୁଏ ଯେବେ ତାର ତାତ୍ପର୍ଯ୍ୟ।୩।
ପଡ଼ିଲେ ଶତାଦ୍ଦୀଟିଏ ଚାରିଶହେ ଭାଗ ହୁଏ
ବିଭାଜ୍ୟ ହେଲେ ହୁଏ ଯେ ଅଧିବର୍ଷ,
ଅଭିଭାଜ୍ୟେ ସାଧାରଣ ହୁଅଇ ତାର ଗଣନ
ଅଧିବର୍ଷ ନିୟମର ଏଇ ବିଶେଷ,
ପୃଥିବୀର ବାର୍ଷିକ ଗତି
ଗଣନକୁ ନେଇ ଗଣା ହୁଅଇ ତିଥି।୪।
ଦିନ ଆସେ ଦିନ ଯାଏ ହିସାବ ତା' ରଖାଯାଏ
ତଥ୍ୟ ସମ୍ବଳିତ ହୁଏ ଯେ ଇତିହାସ,
ଆଗାମୀ ପିଢ଼ିଙ୍କ ପାଇଁ ଏ ସବୁ ଦିଏ ଜଣାଇଁ
ସ୍ମରଣରେ ରହିଥାନ୍ତି ପୂର୍ବପୁରୁଷ,
ବିକାଶେ ପ୍ରକାଶେ ଜୀବନ
ଅତୀତକୁ ନେଇ ଚାଲେ ଏ ବର୍ତ୍ତମାନ।୫।