ଦୁଃଖରେ ତୋଳିଛି ଘର
ଦୁଃଖରେ ତୋଳିଛି ଘର
ଦୁନିଆଁର ଉପବନେ
ଫୁଲ ପରି ଫୁଟି ହସିବାକୁ
ଭବ ସାଗରର
ଅଥଳ ଜଳରେ ଭାସି ଭାସି
କୂଳକୁ ଆସିବାର
ଅଦମ୍ୟ ପ୍ରଚେଷ୍ଟା ରଖି
ମୁଣ୍ଡରୁ ଝାଳ ବୁହାଇ
ଦୁଃଖରେ ତୋଳିଛି ଘର
ସବୁରି ସାଥେ
ମଧୁର ସଂପର୍କ ଯୋଡ଼ିଛି
କରି ଆପଣାର
ପରସ୍ପରରେ
ଭାବ ରଖି ନିରନ୍ତର
ଆତ୍ମୀୟସ୍ଵଜନ
ଭାଇ ବନ୍ଧୁ କୁଟୁମ୍ବଙ୍କର
ଆପଦେ ବିପଦେ
ଲୋଡ଼େ ସାହାଯ୍ୟ ସହଯୋଗ
ମାଟିର ଏ ବୈକୁଣ୍ଠପୁର
ଝରୁ ସଦା ସୁଧା ଝର
ଦୁଃଖରେ ତୋଳିଛି ଘର
ସେ ହେଉ ମମତାର
ସ୍ନେହ ଶ୍ରଦ୍ଧା ଭକ୍ତି ପ୍ରେମ
ରହିଥାଏ ଚିର
ପିତା ମାତା ଗୁରୁ ଗୁରୁଜନଙ୍କର
ଆଶୀର୍ବାଦ
ହୃଦୟରେ ମୋର
କରୁଥାଉ ଜୀବନ ସଞ୍ଚାର
ଏ ଘର ହେଉ
ପବିତ୍ର ପୁଣ୍ୟପୀଠ ପରି
ଦେବ ମନ୍ଦିର
ଶୀତ ଖରା ବର୍ଷା
ବାରମାସ ଦେଉ ସୁରକ୍ଷା
ଅଭୟ ନିର୍ଭୟର
ହେଉ ଏ ଆଶ୍ରୟସ୍ଥଳ
ଶାନ୍ତି ତୃପ୍ତିରେ ଦିନ କଟୁ
ଦୁଃଖରେ ତୋଳିଛି ଘର।