ଶ୍ରମଜୀବି
ଶ୍ରମଜୀବି
ଶ୍ରମ କରି ଯିଏ ଜୀବନ ବଞ୍ଚାଏ
ଶ୍ରମଜୀବି ଅଟେ ସିଏ
ଏଇ ଶ୍ରମ ପୁଣି ଏଇ ଦୁନିଆରେ
ଭିନ୍ନ ଭିନ୍ନ ହେଇଥାଏ ।
ଶ୍ରମିକ ଭାଇଟି ଶ୍ରମ କରି ତାର
ପରିବାର ପୋଷି ଥାଏ
କୃଷକ ଭାଇଟି କ୍ଷେତେ ଶ୍ରମ କରି
ସଭିଙ୍କୁ ଆହାର ଦିଏ ।
କେଉଟ ଭାଇଟି ମାଛ ଧରି ଆଣି
ତାହାକୁ ବିକ୍ରୟ କରେ
ସେଇ ପଇସାରେ ନିଜ ପରିବାର
ସିଏ ବି ତ ପୋଷି ପାରେ ।
ଗଉଡ ଭାଇଟି ଗାଈକୁ ଚରାଏ
ବିକ୍ରି କରେ କ୍ଷୀର ଦୁହିଁ
ସେଇ ତ ଟଙ୍କାରେ ପରିବାର ଚଳାଇ
ଖୁସିରେ ପାରେ ସେ ରହି ।
ବଢେଇ ଭାଇଟି କେତେ ଶ୍ରମ କରି
ହଳ ଲଙ୍ଗଳ ଗଢଇ
କେତେ ଆସବାଜ ଜିନିଷ ସେ ଦିଏ
ଘର ସୁନ୍ଦର ଦିଶଇ ।
ଶ୍ରମଜୀବି ପୁଣି କମାର ଭାଇଟି
ତତଲା ଭାଟିରେ ତାର
ଟାଙ୍ଗିଆ, କଟୁରୀ, କୋଦାଳ , ପନିକି
ଦା' ଆଦି ଗଢେ ସୁନ୍ଦର ।
କୁମ୍ଭାର ଭାଇଟି ମାଟି ତା ଚକଟି
ଗଢଇ ହାଣ୍ଡି, ମାଠିଆ
ସେଇ ତ ହାଣ୍ତିରେ ଅବଢା ହୁଅଇ
ଭୋଜନ କରେ କାଳିଆ ।
ଦରଜୀ ଭାଇଟି କେତେ ଶ୍ରମ କରି
ପୋଷାକ କରେ ତିଆରି
ତା ପାଇଁ ଆଜି ଏ ଜଗତବାସୀ
ଲଜ୍ଜାରୁ ଥାଏ ଉଦ୍ଧାରି ।
ତନ୍ତୀ ଭାଇ କଥା କି କହି ବି ପୁଣି
ଅକ୍ଳାନ୍ତ ଶ୍ରମ ତାହାର
ହାତ ତନ୍ତ ବୁଣା ଚିରୁକୁଟୀ କାମ
ଲୁଗାଟି ଅତି ସୁନ୍ଦର ।
ହେସଁ ଓ ମଶିଣା , ଟୋପର , ଟୋକେଇ
ଝାମ୍ପି, ଫୁଲଝୁଡି, ଡାଲା
ବୋଝ, ଚାଳୁଧୁଆ, ଟୋପି ଓ ବିଞ୍ଛଣା
ଶ୍ରମରେ ନ ଥାଏ ଢିଲ ।
ଶ୍ରମଜୀବି ଏମିତି ଅନେକ ଅଛନ୍ତି
ଚାଲେ ଦେଶ ତାଙ୍କ ପାଇଁ
ଖଣିଖାଦାନ, କୃଷି, ଶିଳ୍ପ ଓ ବାଣିଜ୍ୟେ
ଦେଶ ଉନ୍ନତି ଯେ ହେଇ ।
ଟିକି ମହୁମାଛି କେତେ ଶ୍ରମ କରି
ମହୁ ତା ସଞ୍ଚିତ କରେ
ଏମିତି ଅନେକ ଶ୍ରମଜୀବି ଛନ୍ତି
ପୁଣି ଏଇ ଧରା ପରେ ।
ଶ୍ରମଜୀବିଙ୍କର ଦୁଃଖ ତ ଅମାପ
ସେ କଥା ବୁଝୁଛି କିଏ
ତାତ୍ସଲ୍ୟ କରିଣ ଏଇତ ଧନୀକ
ହଳିଆ ମୂଲିଆ କୁହେ ।
ହେଲେ ନା ବୁଝନ୍ତି ତାଙ୍କ ପାଇଁ ସିଏ
ଦାନା କନା ପାଉ ଥାଏ
ସୁଖ ସ୍ୱାଚ୍ଛନ୍ଦରେ ଜୀବନ ବିତାଏ
ଆରାମରେ ରହେ ସିଏ ।
ଶ୍ରମଜୀବିଙ୍କର ଝାଳ ବୁହା ଧନେ
ଅୟସ ଜୀବନ ପାଏ
ହୀନ ଆଖିରେ ସେ ଦେଖେ ସେମାନଙ୍କୁ
ଅପମାନ ଦେଉଥାଏ ।
ଅକର୍ମଣ୍ୟ ହେଇ ବସି ରହି ସିଏ
ରୋଗକୁ ଡାକି ଆଣଇ
ହେଲେ ଶ୍ରମଜୀବି ଶ୍ରମ କରି
ହସ ଖୁସିରେ ବଞ୍ଚଇ ।
ଶ୍ରମଜୀବି କେବେ କୌଣସି କର୍ମକୁ
ଛୋଟ ବଡ ଭାବେ ନାହିଁ
ଯେଉଁ କର୍ମ ତାକୁ ମିଳୁ ଥାଏ ହସି
ଶ୍ରମ କରୁଥାଏ ସେହି ।
ଧନର ଅଭାବ ରହିଥାଏ ହେଲେ
ନୀରୋଗ ଶରୀର ପାଏ
ସେଇ ତ ତା ପାଇଁ ସୁଖର ସମ୍ପଦ
କୋଟି ନିଧି ହେଇଥାଏ ।
ଶ୍ରମଜୀବିଙ୍କର ହୃଦୟ ବେଦନା
ନା ବୁଝି ପାରଇ କିଏ
ଶ୍ରମଜୀବି ବିନା ନା ଏଇ ବିଶ୍ବ
ଉନ୍ନତି ଯେ ହେଇଥାଏ ll