ଶୀତ ଓ ସ୍ମୃତି
ଶୀତ ଓ ସ୍ମୃତି
ଶାନ୍ତ କାନ୍ତ ହେମନ୍ତର ବିଦାୟ ବେଳାରେ
ରାତ୍ରୀର ସେ ନିଶବ୍ଦ ଅନ୍ଧକାରେ
ତାରା ଭରା ଆକାଶରେ
ଉତ୍ତରରୁ ପ୍ରବାହିତ ଶୀତଳ ସମୀରେ
ପାଦ ତୁମେ ଥାପିଥାଅ ଧୀରେ
କାକର ଭିଜା ଧରଣୀମାଟିରେ ||
ଆଣିଥାଅ ପ୍ରଚଣ୍ଡ ଶୀତର ଲହରୀ
ହାଡଭଙ୍ଗା ଶୀତେ ନରନାରୀ
ଲଭନ୍ତି ଅମାପ କଷଣ
ସେ କଥା କହିଲେ ନ ସରେ ||
ଧନୀ ସିନା ବର୍ତ୍ତିଯାଏ
ରେଷମୀ ପୋଷାକ ଆଦିରେ
ଗରୀବ ବାପୁଡାର ଦୁଃଖ କିନ୍ତୁ
କୋରଡା ମାଡ ଯେହ୍ନେ ବେଡି ଉପରେ
କାଠଗଡଟିଏ ଜାଳିବସେ କେତେବେଳେ
ତ କେତେ ବେଳେ ଥରୁଥାଏ ଶୀତର ପ୍ରହାରେ ||
ଉତ୍କଳର ପୁର ପଲ୍ଲୀରେ ଶୀତରେ
ଧୀରେ ସଞ୍ଜ ନଇଁ ଆସିଗଲାପରେ
ଅବଗୁଣ୍ଠନବତୀ ନବବଧୂ ତା ଥିରିପାଦରେ
ଚାଲି ଆସେ ସଞ୍ଜ ବତୀ ଜାଳିବାକୁ ଚଉରାରେ
ଭିଡ ଜମେ ବୃଦ୍ଧଙ୍କ ଗାଁ ଭାଗବତ ଟୁଙ୍ଗୀରେ
ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ପଦୁଁ ମକରନ୍ଦ ଝରେ
ଭାବ ବିହ୍ବଳ ସକଳେ ସେ ମକରନ୍ଦ ପାନରେ
ଭକ୍ତିପୂତ ଭାବନେଇ ଚଳନ୍ତି ନିଜ ନିଜ ଘରେ ||
ଶୀତର ଲହରୀ ଭିତରେ ସକଳ ନରନାରୀ ଥରେ
ଥରଥର ଗାଁ ଗଞ୍ଜଡିଆ ଯେତେ ଶୀତର ସଞ୍ଜରେ
ବିମୋହିତ ସକଳେ ଗଞ୍ଜେଇ ଧୂଆଁର ମଜାରେ
ଗାଉଥାଆନ୍ତି ମଜା ଗୀତ ନିଶାରେ ନିଶାରେ
“ଶୀତ କଲା କି ରେ ମୀତର ଭାଇ
ବାଟରେ ବସିଛି କାଠ କଣ୍ଢେଇ
ଖାଉଛି ଗଞ୍ଜେଇ ଗାଉଛି ଗୀତ
ପିଠିରେ ପକାଇ ନେଉଛି ଶୀତ”
ହାସ୍ୟରୋଳେ ମଜା ତାଙ୍କ ଭିତରେ ||
ଚାଷୀ ହେଁସ ପାରି ନଡା ଉପରେ
ଶୀତେ ଥରିଥରି ପଲ୍ହା ଭିତରେ
ଧାନ ଜଗୁଥାଏ ବିଲ ଖଳାରେ ||
ଶୀତ ଆସେ ଶୀତରେ ଶୀତରେ
ସଜ ହୋଇ ନାନା ରଙ୍ଗ ବେରଙ୍ଗ ଫୁଲରେ
ପ୍ରଲୁବ୍ଧ ଭଅଁରର ଗୁଣୁ ଗୁଣୁ ଗୁଞ୍ଜନରେ
ନାନା ଜାତି ପନି ପରିବା ଉପହାରେ
ବଦାଡିରେ ଗଛିତ ଧାନ ସବୁରି ଖଳାରେ
କେହି ହେଲେ ରହେ ନାହିଁ ଭୋକିଲା ପେଟରେ
ମସଗୁଲ୍ ସକଳେ ଭୋଜିଭାତ ପିକ୍ ନିକ୍ ପାର୍ଟିରେ ||
ଶ୍ରୀକ୍ଷେତ୍ରରେ ସର୍ବଦେବଦେବୀପୂଷ୍ୟାଭିଷେକରେ
ମଜ୍ଜିଯାଆନ୍ତି ପ୍ରଭୁ ଜଗନ୍ନାଥଙ୍କ ପୁଷ୍ୟାଭିଷେକରେ
ଭକ୍ତିମୟ ପରିବେଶ ସମଗ୍ର ନୀଳାଚଳରେ,
ପୁଣ୍ୟ ଉତ୍କଳର ବରଗଡ ସହରେ
ସତ୍ୟର ବିଜୟ ଅସତ୍ୟ ଉପରେ
କଂସ ବଦ୍ଧ ପ୍ରଦର୍ଷିତ ରଙ୍ଗମଞ୍ଚେ ଧନୁଯାତ୍ରାରେ ||
ପୌଷର ଶୀତର ସାଥିରେ
ଓହ୍ଲାଇ ପ୍ରଭୁ ଯୀଶୁ ଏ ଧରାଧାମରେ
ବିତରିଣ ନୀତି ବାଣୀ ମାନବଜାତିରେ
ଶିଖାଇଣ ଦୟା କ୍ଷମା ଭାବ ମାନବରେ
କଷ୍ଟ ସହି ଶିଖାଇଛନ୍ତି ତାଙ୍କ ଜୀବନରେ
ବିତାଇବାକୁ ଜୀବନ ମାନବସେବାରେ ||
ସର୍ବ ଧର୍ମ ସମନ୍ବୟ ଭାରତବର୍ଷରେ
ସୁସଜ୍ଜିତ ଗୀର୍ଜାମାନ ଆଲୋକମାଳାରେ
ଉପହାର ସହ ସାନ୍ତାକ୍ଲଜ ପଦାର୍ପଣରେ
ଖେଳିଯାଏ ହର୍ଷୋଲ୍ଲାସ ସବୁରି ମନରେ
କ୍ୟାରୋଲ୍ ପ୍ରାର୍ଥନା ବନ୍ଧୁ ମିଳନରେ
ବଡଦିନ ପାଳନର ଶୁଭ ଅବସରେ ||
ଧରାବକ୍ଷୁ ଚାଲିଯାଏ ଶୀତରେ ଶୀତରେ
ଡିସେମ୍ବର ମାସର ଏକତ୍ରିଶ ତାରିଖରେ
ନିଝୁମ ରାତିର ନୃତ୍ୟ ଗୀତ ରଙ୍ଗୀନ ଆସରେ
ପୁରୁଣା ବର୍ଷଟି ବିଦାୟ ନିଅଇ ଶେଷରେ
ଇଂରାଜୀ ନବ ବର୍ଷର ସ୍ବାଗତ ସହିତରେ
ଭୋଜିଭାତ ନାଚଗୀତ ଭୁରି ଭୋଜନରେ ||
ମକର ସଂକ୍ରାନ୍ତି ପୋଙ୍ଗଲ ବିହୁରେ
ଭକ୍ତିପୂତେ ଆନନ୍ଦିତ ନାଚରେ ଗୀତରେ
ବାଗ୍ ଦେବୀ ସରସ୍ବତୀ ଆରାଧନାରେ
ଗଣତନ୍ତ୍ର ଦିବସର ଶୁଭ ଅବସରେ
ମନେ ପଡେ ବଳିଦାନ ସ୍ବାଧୀନତା ପଥର
ମୌଳିକାଧିକାର କର୍ତ୍ତବ୍ୟ ଶୀତରେ ଶୀତରେ ||
ମାଘମାସ ବାଘ ଶୀତ କଷଣ ଭିତରେ
ନାନା ବ୍ୟାଧି ପରାଭବେ ଅତିଷ୍ଠ ଶରୀରେ
ହାଡଭଙ୍ଗା ଶୀତ ଚଳେ ଫେରନ୍ତା ପଥରେ
ଛାଡିଯାଏ କେତେ ସ୍ମୃତି ସବୁରି ମନରେ
ଫଳ ଫୁଲ ସମନ୍ନିତ ରମ୍ୟ ପୃଥିବୀରେ
ଆନନ୍ଦର କମ୍ ନାହିଁ ଏ ଶୀତ ଋତୁରେ ||
ଶୀତ ସିନା କଷ୍ଟ ଦିଏ ସାରା ଜଗତରେ
ଅବଦାନ ତା ଅସୀମ ଜନ ଜୀବନରେ
ନିଆଁ ପୁଆଁ ଖରାପୁଆଁ ମଜାରେ ମଜାରେ
ବିତିଥିବା ଦିନ ବଣଭୋଜି ଭ୍ରମଣରେ
ପତ୍ରଝଡା ଦିଏ ବୃକ୍ଷ ଶୀତର ଶେଷରେ
ଚାଲିଯାଏ ଶୀତ ଶେଷେ ବଉଳ ବାସରେ ||
ଶୀତ ଚାଲିଯାଏ ଆଣି ମୃଦୁ ମଳୟରେ
ବୃକ୍ଷରାଜି ପଲ୍ଲବିତ ନବ ପଲ୍ଲବରେ
ଆମ୍ର ବୃକ୍ଷ ମୁକୁଳିତ ଏ ଧରା ବକ୍ଷରେ
ଚତୁର୍ଦିଗ ଚହଟଇ ବଉଳ ବାସରେ
ଉପଭୋଗ୍ୟ ପରିବେଶ ମୃଦୁ ମଳୟରେ
ଶୀତ ଅନ୍ତେ ଋତୁରାଜ ବସନ୍ତ ରାସରେ ||