ବସନ୍ତ
ବସନ୍ତ
ଶିଶିର ଅନ୍ତରେ ଦେଖ ଋତୁ ଚିତ୍ରପଟ
ମଳୟ ସମୀରେ ବିଜେ ଋତୁଙ୍କ ସମ୍ରାଟ ॥
ଫଳପୁଷ୍ପ ଭରା ଦୃମ ସୁନ୍ଦର ସୁବାସ
ପୁଷ୍ପ ବୃଷ୍ଟି କରେ ବୃକ୍ଷ ବାଦଲ ସଦୃଶ ॥
ସତେକି ସୁଭଟ ଗଣ କରନ୍ତି ଚାରଣ
ସୂଚାଇ ଦିଏ ରାଜାଙ୍କ ବିଜୟାଭିଯାନ ॥
ଆମ୍ର ମଞ୍ଜରୀ ଶାଖାରେ ପିକମଧୁ ସ୍ୱନେ
ବିରୁଦା ବଳୀ ପଢ଼ଇ ବନ୍ଦିଗଣ ଯେହ୍ନେ ॥
ମଧୁରେ ମଧୂପ ସ୍ଵନ କରଇ ଗୁଞ୍ଜନ
ମଙ୍ଗଳ ଶାସନେ ବିପ୍ର ଯେହ୍ନେ ବେଦ ଗାନ ॥
ଚତୁରଙ୍ଗ ସେନାତାର ହୋଇଣ ନିର୍ଭୀକ
ଆନନ୍ଦ ଚିତ୍ତେ କରନ୍ତି ବସନ୍ତ ଅଭିଷେକ ॥
ବସନ୍ତ ବିରାଜ ଦେଖି ଦିନେଶ ଉଚ୍ଛନ୍ନ
ଦକ୍ଷିଣ ପଥ ତେଜିଣ ଉତ୍ତରେ ଗମନ ॥
ଏ ଗତି ଅନାଇଁ ବସି ଥିଲେ ମୁନି ଯୋଗୀ
ଭବ ତନୁ ତ୍ୟାଗ କରି ହେଲେ ପୂଣ୍ୟ ଭୋଗୀ ॥
ଧୀରେ ଧୀରେ ରବି କର ହୋଇଲା ପ୍ରଖର
ଦିନ ବଡ ରାତିସାନ ଶୀତ ହେଲା ଦୂର ॥
ବସନ୍ତ କାଳ ଅଟଇ ମହା ସୁଖ ଦାୟୀ
ଗ୍ରୀଷ୍ମ ଶୀତ ଅନୁଭୂତ ଅଧିକ ନ ହୋଇ ॥
ଆଗତ ଘେନି ସୁଖଦ ଶୋଭାର ଭଣ୍ଡାର
ସକ୍ଷମ କିଏ ଦେବାକୁ ଉପମା ତାହାର ? ॥
ଅମୃତ ପରଶେ ହୃତ ସୌନ୍ଦର୍ଯ୍ୟ ଫେରିଲା
ବନସ୍ପତି ଦେହେ ପୁଣି ପ୍ରାଣ ସଞ୍ଚ ରିଲା ॥
ନବ କିସଳୟେ ଭରା ପାଦପ ମାଳିନୀ
ନବବଧୂ ପ୍ରାୟେ ଠାଣି ସୁଷମା ଶାଳିନୀ ॥
ଆମ୍ବ ବଉଳ ସୁବାସେ ମତୁଆଲା ହୋଇ
ମନସ୍ତାପ ହର ସ୍ୱ6ର କୋଇଲି ରାବଇ ॥
ଶୁଣି ସେ ମଧୁର ସ୍ୱନ ନୀରବ ଭାବୁକ
କବି ପ୍ରାଣେ ଆଙ୍କି ଦିଏ କଳ୍ପନା ଅନେକ ॥
ସୁଗନ୍ଧି କୁସୁମେ ଭରା ବନ ଉପବନ
ମୃଦୁ ମଳୟ ପବନ ମୋହି ନିଏ ମନ ॥
ପୁଷ୍ପ ମଣ୍ଡିତ ସୋରିଷ କ୍ଷେତ ମନ ମୋହେ
ସତେକି ଧରଣୀ ରାଣୀ ପୀତ ବାସେ ଶୋହେ ॥
ମନୋଜ ମାନସ ସୁତ ଅଟୁ ତୁହି ଯେଣୁ
ପ୍ରୀତିଫଗୁଣ ମନରେ ଭରି ଦେଉ ତେଣୁ ॥
ପ୍ରେମ ଭାବେ ବାନ୍ଧି ହୋଇ ଯୁବକ ଯୁବତୀ
ସଂସାର ରଥକୁ ଆଗେ ବଢ଼ାଇ ନିଅନ୍ତି ॥
ପାବନ କାଳ ଆସଇ ପୂଣ୍ୟ ପର୍ବ ଘେନି
ମହା ଶିବରାତ୍ରି ସଙ୍ଗେ ଫଗୁ ଦୋଳପୁନି ॥
ଶ୍ରୀ ରାମ ଜନମ ପୁଣି ବାସନ୍ତୀକପୂଜା
ଘରେ ଘରେ ପୂଜା ପାନ୍ତି ମାତା ଦଶ ଭୁଜା ॥
ଦୁଇଟି ମାତାର ବରେ ହେଲୁ ଭାଗ୍ୟବନ୍ତ
ସଂସାର କିରଣେ ମୁହିଁ ହୁଏ ଦଗ୍ଧୀଭୂତ ॥
ତୋ ନାମ ସାର୍ଥକ କରି ବରଦା ପୂଜିତା
ବସନ୍ତ ପଞ୍ଚମୀ ରୂପେ ଲୋକରେ ବିଦିତା ॥
ଉତ୍କଳ ଭାଷା ଭାରତୀ କମଳ ଆସନୀ
ସ୍ଵଭାବେ ବିଦ୍ୟା ଦାୟିନୀ କବିଙ୍କ ଜନନୀ ॥
ଜଗତ ଜନନୀ ଦେବୀ ହିମାଦ୍ରୀ ତନୟା
ମଙ୍ଗଳା କାଳିକା ଦୁର୍ଗା ସାକ୍ଷାତେ ଅଭୟା ॥
ହେ !ବସନ୍ତ ତୋ ମହିମା କରୁଛି ବର୍ଣ୍ଣନା
କହିବୁ ମା ଠାରେ ମୋର ଅନ୍ତର ବେଦନା ॥
ମାତୃକୃପା ଏକା ସିନା ସଂସାରରେ ସାର
ମାତୃକୃପା ବିନା ହୁଏ ଜୀବନ ବେକାର ॥