ମୋ ଗାଁ ମୋ ସଂସ୍କୃତି
ମୋ ଗାଁ ମୋ ସଂସ୍କୃତି
ଜୀବନେ ଦେଖିଲି ବହୁ ସ୍ଥାନ ବୁଲି
ଦେଖିଲି କେତେ ଅଞ୍ଚଳ
ଦେଖିଲି ସହର ଆଧୁନିକତାର
ରଙ୍ଗରେ ଚଳ ଚଞ୍ଚଳ ॥
ସ୍ୱାର୍ଥ ଦେବତାର ବିକଟ ଚିତ୍କାର
ପୂରେ ନାହିଁ ତା' ଉଦର
ମୋ ମନ ଆତୁର ଶିକ୍ଷିତ ନରର
ପ୍ରକୃତି ଦେଖି ବର୍ବର ॥
ଲଭିଛନ୍ତି ଶିକ୍ଷା ମାତ୍ର ନାହିଁ ଦେଖା
ସଭ୍ୟ ମାନବ ସଂସ୍କାର
ଅଶାନ୍ତିରେ ନିତି ଦିନ ଯାଏ ବିତି
ଜୀବନ ହୁଏ ବେକାର ॥
ଉଚ୍ଚ ଶିକ୍ଷା ପାଇଁ ଆସିଅଛି ଧାଇଁ
ଯେଣୁ ସହରେ ବ୍ୟବସ୍ଥା
ମାତ୍ର ଗାଆଁପ୍ରତି ଆନ୍ତରିକ ପ୍ରୀତି
ତୁଟି ନାହିଁ ମୋର ଆସ୍ଥା ॥
ମୋ ଗାଆଁ ସଂସ୍କୃତି ସୁନ୍ଦର ପ୍ରକୃତି
ଅପାସୋରା ସେହି ସ୍ମୃତି
ତାର ପରମ୍ପରା ଅଟଇ ନିଆରା
ସଂସ୍କାରେ ନାହିଁ ବିକୃତି ॥
ଗ୍ରାମବାସୀଙ୍କର ପର ଆପଣାର
ନାହିଁ ତିଳେ ଭେଦା ଭେଦ
ଏକତାର ପଥେ ଚଳନ୍ତି ସମସ୍ତେ
ମନରେ ନଥାଏ ଖେଦ ॥
ବିପଦ ଆପଦେ ଅଥବା ସମ୍ପଦେ
ସଭିଏଁ ହୁଅନ୍ତି ଠିଆ
ଏ ମଧୁର ଭାବ ସହରେ ଅଭାବ
ପଣ ଅଟେ ଏକୁଟିଆ ॥
ମିଶିପରସ୍ପର କରନ୍ତି ବିଚାର
ସମସ୍ୟାର ସମାଧାନ
ଗାଆଁ ପଞ୍ଚାୟତ କରନ୍ତି ସମାପ୍ତ
ଯେତେକ ବିବାଦ ମାନ ॥
ବାର ମାସେ ତେର ପରବ ଆସର
ଆନନ୍ଦେ ପାଳନ୍ତି ମିଶି
ଗାଆଁର ସୁନ୍ଦର ଦେବତା ମନ୍ଦିର
ଶୋଭାପାଏ ଚଉ ଦିଶି ॥
ଗାଆଁର ମଧ୍ୟରେ ସନ୍ଧ୍ୟା ସମୟରେ
ଭାଗବତ ଟୁଙ୍ଗି ଶୋହେ
ଗୀତା ଭାଗବତ ରାମାୟଣ ତତ୍ତ୍ଵ
କଥା ଗଙ୍ଗା ନିତି ବହେ ॥
ବହୁକାଳ ଧରି ଆସୁଅଛି ଚାଲି
ମୋ ଗାଆଁର ସଂକୀର୍ତ୍ତନ୍ୟ
ପ୍ରତିଅଞ୍ଚଳରେ ଖ୍ୟାତି ଲାଭ କରେ
ସର୍ବତ୍ର ରହିଛି ମାନ୍ୟ ହୋଇ
ସାଥି ମେଳ ନାନା ଜାତି ଖେଳ
ଖେଳିଥାଉଁ ଆନନ୍ଦରେ
ମିଳିବ କି ସତେ ଖୁସି ଏହି ମତେ
ଆଧୁନିକ ସହରରେ ॥
ଗାଆଁର ଚଳନ ତା ପାଣି ପବନ
ଶୁଦ୍ଧତାର ପରିବେଶ
ଗାଆଁ ବହୁଳତା ରୂପରେ ଶୋଭିତା
ଆମ୍ଭରି ଭାରତ ଦେଶ ॥
ଯା କୋଳେ ଜନମି ଧନ୍ୟ ହେଲି ମୁହିଁ
ଧନ୍ୟ ସେହି ମୋର ଗାଆଁ
କେବେ ନ ଭୁଲିବି ଯାବତ ବଞ୍ଚିବି
ରଖିବି ତାହାରି ନାଆଁ ॥
