କୋକେଇ
କୋକେଇ


ଶୁଣଆରେ ମନ ହୋଇ ସାବଧାନ
କହୁଛି ବୁଝାଇ ଜୀବନ ଦର୍ଶନ ।
ବିନା କାରଣରେ ଅନୁକମ୍ପା କରି
ଦୁର୍ଲଭ ଜନମ ଦେଲେ ସିନା ହରି ।
ତାହାଙ୍କୁ ଲଭିବା ନିମନ୍ତେ ଏତନୁ
ମାତୃ ଗର୍ଭ ଜ୍ଞାନ ଭୁଲିଗଲୁ ମନୁ ।
ଏ ସଂସାରେ ନୁହେଁ କେହି ଚିରସ୍ଥାୟୀ
ଦେବତାହେଲେହେଁ ଅବଶ୍ୟ ମରଇ ।
ପଥ ଶ୍ରମସାରି ପଥିକ ଯେସନ
ନିଜ ଲକ୍ଷ୍ୟ ପଥେ କରନ୍ତି ଗମନ ।
ଶାଶ୍ଵତ ଲକ୍ଷ୍ୟକୁ ମନରେ ବିଚାର
ଭାବକୁ ନିକଟ ଅଭାବକୁ ଦୂର ।
ସାର୍ଥକ ହୋଇବ ଜନମ ତୋହର
ମନେ ପ୍ରୀତ ହେବେ ଜଗତ ଈଶ୍ଵର ।
ଅମୃତର ସୁତ ଅଟୁ ସୁଖରାଶି
ଚେତନ ଅମଲ ହୋଇ ଅବିନାଶୀ ।
ବୃଥା ମାୟା ମୋହେ ହୋଇମତି ଭ୍ରମ
ପାସୋରିଲୁ ସବୁ ବିହିତ କରମ ।
ଏ ସଂସାରେ କେହି ନୁହନ୍ତି କାହାର
ସବୁ ହିଁ ଅଟଇ ବନ୍ଧନ ମାୟାର ।
ଅଭିମାନ କରି ବୋଲୁ ମୋର ମୋର
ପିନ୍ଧିଲା ବସନ ମଧ୍ୟ ନୁହେଁ ତୋର ।
ଆସି ଅଛୁ ଏକା ଚାଲି ଯିବୁ ଏକା
କରିଥିବା ଧର୍ମ ସିନା ହେବସଖା ।
ବେଳ ଥାଉଁ ବୀର ହୋଇ ଉଜାଗର
ବନ୍ଧ ବାନ୍ଧି ତହିଁ ଜଳପୂର୍ଣ୍ଣ କର ।
ଜଳ ଶୁଖି ଗଲେ ହଂସ ଉଡ଼ିଯିବ
ପଞ୍ଚଭୂତ ଦେହ ମାଟିରେ ମିଶିବ ।
ମଲା ମଲା ବୋଲି ଘଡିଏ କାନ୍ଦିବେ
ବାର୍ତ୍ତା ପାଇ ବନ୍ଧୁ ବାନ୍ଧବ ଆସିବେ ।
ଛ' ଖଣ୍ଡ ବାଉଁଶେ କୋକେଇ ତିଆରି
ସଂସାରେ କହନ୍ତି ମୃତ୍ୟୁର ସଵାରୀ ।
ପାଳ ଦଉଡିରେ ବନ୍ଧାହୋଇଥିବ
ତା'ପରେ ଗୋଟିଏ ବିଛଣା ପଡିବ ।
ସେ ପଦେ ହୁଅନ୍ତି ସର୍ବେ ଅଧିକାରୀ
ରାଜା ହେଉଅବା କୃପଣ, ଭିକାରୀ ।
ସେଠି ଚଳେ ନାହିଁ କା 'ର ବାହୁବଳ
ପ୍ରଭୁତ୍ୱ ପଣିଆଁ ନାନା କୂଟ ଛଳ ।
ଏହା ଜାଣି ମଧ୍ୟ ଜୀବନ କାଳରେ
ତୁଚ୍ଛ ପଦ ପାଇଁ କପଟ ଆଚରେ ।
ପଦ ପାଇଁ କେତେ ବାଦ ପ୍ରତିବାଦ
ମାତ୍ର ଶେଷେ ସାର କୋକେଇର ପଦ ।
ସେ ପଦେ ବିରାଜି ମହାଯାତ୍ରା କରି
ଅନନ୍ତ ବିଶ୍ରାମେ ଯିବୁଆର ପାରି ।
ଚାରି କାନ୍ଧେ ବୋହି ଶବ ର ସବାରୀ
ଖଇ ଓ କଉଡ଼ି ବିଞ୍ଚି ବିଞ୍ଚି କରି ।
ରାମ ନାମ ସତ୍ୟ ସର୍ବେ କରି ଗାନ
ବୋହି ନେବେ ତୋତେ ପବିତ୍ର ଶ୍ମଶାନ ।
ଆତ୍ମୀୟ ସ୍ୱଜନ ମୁଖେ ଅଗ୍ନି ଦେଇ
ଅନ୍ତିମ ସଂସ୍କାରେ ଜଳିବ ତୋ ଯୁଇ ।
ଏ ଜୀବନ ବନ୍ଧା ଦୁଇଟି ନିଆଁରେ
ଏନ୍ତୁଡ଼ି ଶାଳରେ ଅନ୍ତିମ ସଂସ୍କାରେ ।
ଦେହ ହୁଏ ପୋଡ଼ି ମୁଠାଏ ପାଉଁଶ
ବଖାଣନ୍ତି ଲୋକେ ଯଶ ଅପଯଶ ।
ଭଲ ଆଚରଣେ ମିଳେ ସଦଗତି
ମନ୍ଦ ଆଚରଣେ ମିଳଇ ଦୁର୍ଗତି ।