ଭାରତ ମାତାର ବିଜୟ ଗାଥା
ଭାରତ ମାତାର ବିଜୟ ଗାଥା
ସ୍ୱାଧୀନତା ଭାବ ସୁଯଶ ବିଭବ
ଲଭଇ ଜାଗ୍ରତ ଜନ
ସୁପ୍ତ ସିଂହ ମୁଖେ ଆହାର ପ୍ରତ୍ୟକ୍ଷେ
ନପଶେ ମୋବୋଲ ମାନ ।
କରମ ପ୍ରଧାନ. ଏବିଶ୍ଵ ଭୁବନ
କରି ଗଢି ଅଛି ବିହି
ଯେଯାହା କରଇ. ସେତାହା ଭୁଞ୍ଜଇ
ଏଥିରେ ସନ୍ଦେହ ନାହିଁ ।
ବୀର ପ୍ରସବିନୀ ବୋଲି ତୋ ଜନନୀ
ଗରବେ ଫୁଲାଉ ଛାତି
ମୋ ମାନ ସମ୍ମାନ ଟେକ ଅଭିମାନ
ରଖବେଳ ଥାଉଁଚେତି ।
ତୋ ପୂର୍ବପୁରୁଷ. ସୁବିମଳ ଯଶ
ଗାଥା ଗାଏ ଇତିହାସ
ସହି ବହୁ କଷ୍ଟ. ଲଭିଲେ ଅଭୀଷ୍ଟ
ସ୍ୱାଧୀନ ଭାରତବର୍ଷ ।
ତେଜି ଜାତି ଧର୍ମ. ସଂପ୍ରଦାୟ ବର୍ଣ୍ଣ
ସ୍ୱରାଜ୍ୟେ ପଡ଼ିଲେ ମାତି
ଜଳିଲା ଶୟଳେ ପାଷାଣ ଦେଉଳେ
ସଞ୍ଜ ଆଳତୀର କ୍ରାନ୍ତି ।
ସମ୍ଭାଳି ନପାରି ଫିରିଙ୍ଗି ବେପାରୀ
ବାହୁଡ଼ିଲେ ନିଜ ଦେଶ
ଧରଣୀ ବକ୍ଷରେ ସ୍ୱର୍ଣ୍ଣିମ ଅକ୍ଷରେ
ରହିଗଲା ଇତିହାସ ।
ତାଙ୍କରି ସନ୍ତାନ. ମୋ କୋଳ ମଣ୍ଡନ
ନୀଳ ଆକାଶର ଶଶୀ
ତୋତେ ଦେଖି ବାବୁ ପାସୋରିବି ସବୁ
ଅନ୍ତରର ଦୁଃଖ ରାଶି ।
ପରନ୍ତୁ ରେ ବାପ ହୃଦେ ଲଭେ ତାପ
ଦେଖି ଆଜିର ଘଟନ
ସ୍ଵାର୍ଥ ଲାଗି ନର. କରେ ଅତ୍ୟାଚାର
ମୋ ବକ୍ଷ କରି ଖଣ୍ଡନ. ।
ସ୍ଵାଧୀନତା ବୋଲି କରନ୍ତି ବୋବାଳି
ଦ୍ଵାହି ଦେଇ ସମ୍ବିଧାନ
କରିବାକୁ ଭଙ୍ଗ ମୋ ଅଙ୍ଗପ୍ରତ୍ୟଙ୍ଗ
ରଚୁଛନ୍ତି ଦଙ୍ଗା ମାନ ।
ବୋଲନ୍ତି ଏ ଦେଶ. ମୋ ପୂର୍ବପୁରୁଷ
ଅରଜିଲା ଭୁଇଁ ଜାଣ
ନାହିଁ ଏଠି ତୋର ତିଳେ ଅଧିକାର
ଏହା ଆମ୍ଭ ଦୃଢ଼ ପଣ ।
ସ୍ୱାର୍ଥ ମଦେ ଅନ୍ଧ. ହୋଇଣଧର୍ମାନ୍ଧ
ଭୁଲି ଅତିତ ଏକତା
ଜାତି ଧର୍ମ ଘେନି ହୋନ୍ତି ଟଣାଟଣି
ମୋତେ ଲାଗେ ଗୁରୁଚିନ୍ତା ।
ସେଲାଗି ତନୟ. ଜନନୀ ହୃଦୟ
ହୁଏ ବହୁ ବ୍ୟାକୁଳିତ
କର ସେଯତନ ଯାଉ ମୋ କଷଣ
ଯଦି ତୁହି ମୋର ସୁତ ।
ଶୁଣିଲତ ଭାଇ ଦୁଃଖ ଭରା ସେଇ
ଜନନୀ ପ୍ରାଣର ବ୍ୟଥା
ଉଠ ନିଦ୍ରା ତେଜି ସ୍ଵାର୍ଥକୁବରଜି
ଟେକିବା ତାହାରି ମଥା ।
ତାକୋଳେ ଜନମ. ତାକୋଳେ ମରଣ
ତା କୋଳ ଆମରି ପାଇଁ
ତାକୋଳେ ଧରମ ତା କୋଳେ କରମ
ତାକୋଳ ପବିତ୍ର ଭୁଇଁ ।
ଅଛି ଭାଇ କିରେ ଏ ସାରା ସଂସାରେ
ହେବା ପାଇଁ ତୁଳନୀୟ
ସ୍ୱର୍ଗଠୁ ମହାନ. ଆମ୍ଭମାତା ସମ
ବିଶ୍ଵ ଗାଏ ଯାର ଜୟ ।
ବେଳ ଥାଉଁବୀର ହୁଅ ଉଜାଗର
ଘେନି ମାତାର ଆଶିଷ
ବିଶ୍ଵ ଦରବାରେ ଗଢିବା ଆମେରେ
ଅଖଣ୍ଡ ଭାରତବର୍ଷ ।
ରାଷ୍ଟ୍ର ଧର୍ମ ଦୀକ୍ଷା ଦୃଢ଼ ମନ୍ତ୍ର ଶିକ୍ଷା
ପାଳନେ ସତତ ରତ
ତାର ଅଧିକାର. ବୋଲାଇବା ସାର
ଭାରତ ମାତାର ସୁତ ।
ଭାରତ ମାତାର ବିଜୟର ଗାଥା
କରିବା ସଦା ଚିନ୍ତନ
ଧନ୍ୟ ହେବ ଜନ୍ମ ବୁଝତାର ମର୍ମ
ଯାବତ ଅଛି ଜୀବନ ।