ଜନ୍ମବେଦୀ ମହୋତ୍ସବ
ଜନ୍ମବେଦୀ ମହୋତ୍ସବ
ଜନ୍ମବେଦୀ ତୋର ହସୁଛି କାଳିଆ
କାନ୍ଦୁଛିରେ ଶ୍ରୀମନ୍ଦିର
ରତ୍ନ ସିଂହାସନ ପଡିଛିରେ ଖାଲି
ପୂରିଛି ମାଉସୀ ଘର ।
ଭାଇ ଭଉଣୀଙ୍କୁ ସଙ୍ଗତରେ ଧରି
କରିଲୁ ତୁ ଘୋଷ ଯାତ
ବରଷକୁ ଥରେ ଜନ୍ମସ୍ଥାନ ଯାଇ
ଦେଖୁଛୁ ତୋର ଭକତ ।
ଅଧରେ ତୋହର ଖେଳୁଛିରେ ହସ
ମାତା ଲକ୍ଷ୍ମୀ ଏଠି ଅଛନ୍ତି ବିରସ
ଚାଲେ ତୋ ଜନ୍ମ ଉତ୍ସବ
ତୁ ସେଇ ନୀଳ ମାଧବ ।
ବିଶ୍ୱାବସୁ କେତେ ଶ୍ରଦ୍ଧା ବିଶ୍ୱାସରେ
ପୂଜୁ ଥିଲା ପାଦ ତୋର
ତା ଆଶା ଭରସା ତୁଟେଇ କାଳିଆ
ଆସିଲୁ ନୀଳ କନ୍ଦର ।
ବିଦ୍ୟାପତି ରାଜା ଇନ୍ଦ୍ରଦ୍ୟୁମ୍ନ ସଙ୍ଗେ
ମହୋଦଧି ଜଳେ ଆସି
ବିଶ୍ୱାବସୁ ହସ୍ତ ଲାଗିଲା ତୋ'ଠି
ହେଲୁରେ ତୁ କେତେ ଖୁସି ।
ଦାରୁରୁ ତୁ ଗଢା ହେଲୁ ଜଗନ୍ନାଥ
ସୁଭଦ୍ରା ସହିତ ଭାଇ ବଳଭଦ୍ର
ଚାରିଆଡେ ମୁଖ ରାବ ।
ଚାଲେ ତୋ ଜନ୍ମ ଉତ୍ସବ ।
ଗୁଣ୍ଡିଚା ରାଣୀ ଯେ ଅପେକ୍ଷା କରନ୍ତି
ତୋର ଏ ରଥ ଯାତକୁ
ନନ୍ଦିଘୋଷ ଚଢି ଜଗା ମୋ ଆସିବ
ଧରି ଭାଇ ଭଉଣୀକୁ ।
ତାଳଧ୍ୱଜେ ବଳଭଦ୍ର ମୋ ଆସିବେ
ଦେବଦଳନେ ସୁଭଦ୍ରା
ମନ ଆଗ୍ରହରେ ଚାହିଁ ରହିଥାନ୍ତି
ହେଇ ସେ ରାତି ଅନିଦ୍ରା ।
ଦୂରୁ ତିନି ରଥ ଯେବେ ଦେଖା ଯାଏ
ହୃଦୟେ ପୁଲକ ସେତେ ବଢୁଥାଏ
ଦୁଃଖ ହୁଅଇ ଲାଘବ ।
ଚାଲେ ତୋ ଜନ୍ମ ଉତ୍ସବ ।
ଗୁଣ୍ଡିଚା ମନ୍ଦିର ହୁଏ ମୁଖରିତ
ଭକତଙ୍କ ଭିଡ ଲାଗେ
ପଛେ ଜଗନ୍ନାଥ ମଝିରେ ସୁଭଦ୍ରା
ବଳଭଦ୍ର ଥାନ୍ତି ଆଗେ ।
ଆଡପ ମଣ୍ଡପେ ଆଡପ ଅବଢା
ଆଡପ ଦର୍ଶନ ହୁଏ
ଶରଧା ବାଲିରେ ରଥ ଗଡି ଯାଇ
ଗୁଣ୍ଡିଚା ମନ୍ଦିର ଯାଏ ।
ଆଠ ଦିନ ରହି ମାଉସୀଙ୍କ ଘରେ
ପୋଡ ପାଠା ଜଗା ଖାଉ ଆନନ୍ଦରେ
ଲଗାଇ କେତେ ଉତ୍ସବ ।
ତୁ ସେଇ ନୀଳ ମାଧବ ।
ଜଗତର ମାତ ଲକ୍ଷ୍ମୀ ଠାକୁରାଣୀ
ତାଙ୍କୁ ଏକା ଛାଡି ଆସି
ଆଶ୍ଚର୍ଯ୍ୟ ଲାଗୁଛି କେମିତି ଉତ୍ସବ
କରୁଅଛ ପ୍ରଭୁ ହସି ।
ଭକତ ଖୁସିରେ ହେଇ ତୁମେ ଖୁସି
ମାତାଙ୍କୁ ଯେ ଭୁଲି ଗଲ
ଜନ୍ମବେଦୀ ଦେଖି ପୋଡ ପିଠା ଖାଇ
ସମୟ ବିତାଇ ଦେଲ ।
ମାତା ବିନା ଅନ୍ନ ମୁଠିଏ ତ କେହି
ପାଆନ୍ତି ନି ଜାଣି ଅଛ ଭାବଗ୍ରାହୀ
ଦେଖାଇଲେ ଦୟାଭାବ ।
ଖୁସିରେ ପାଳ ଉତ୍ସବ ।
ଏଇ ଆଠ ଦିନ ଜନ୍ମବେଦୀ ତୋର
କେତେ ଖୁସି ଭରି ଦେବ
ସତେ ତୋ ଉତ୍ସବ ଦେଖିବ ଏ ନେତ୍ର
ଜୀବନ ସାର୍ଥକ ହେବ ।
ଆଠ ଦିନ ଯାଇ ନଅ ସରି ଗଲେ
ବିଦାୟ ନେଇ ଆସିବୁ
ପୋଡ ପିଠା ପାଇଁ ଆର ବରଷକୁ
ମାଉସୀକୁ କହି ଦେବୁ ।
କି ସୁନ୍ଦର ଲୀଳା କରୁଛୁ କାଳିଆ
କିଏ ହେବ ଆଉ ତୋହରି ଭଲିଆ
ବଡ ଦାଣ୍ଡେ ଦେଖା ଦେବ ।
ଭକତ ତୋତେ ଦେଖିବ ।