କି ଅବା ତାକୁ ଭରସା
କି ଅବା ତାକୁ ଭରସା
ଏଇତ ଜୀବନ ଅଢେଇ ଦୁନିଆ
କି ଅବା ତାକୁ ଭରସା
କାଳର ଝଡରେ ଉଡିଯାଏ ହଂସା
ଭାଙ୍ଗି ଯାଏ ଆଶ୍ରା ବସା ।
ଏଇତ ଜୀବନ ଅଙ୍କା ବଙ୍କା ନଈ
ଦୁଃଖ ସୁଖ ଦୁଇ ରାସ୍ତା
ଜଣା ତ ପଡେନି ସକାଳ ଯାଇକି
କେବେ ଆସି ଯାଏ ସନ୍ଧ୍ୟା ।
ଆଲୁଅ ଅନ୍ଧାର ଖରା ଛାଇ ଖେଳ
ଶୀତ କାକରର ବରଷାର ଜଳ
କି ଅବା ତାକୋ ଭରସା ।
ରାନ୍ଧିଲା ଭାତକୁ ଆଇଁଷ ତ ନାହିଁ
କାହିଁ ଅହଂଭାବ ଏତେ
ଗର୍ବ, ଲୋଭ, ମୋହ, ମିଛ, ଅହଂକାର
ଭାସିଯିବ କାଳ ସ୍ରୋତେ ।
ଅଡେଇ ଦିନକୁ କାହିଁକି ବଡେଇ
ରାଗ ହିଂସା ପଥ ଧର
ଅହଂସା ପଥରେ ହେଲେ ଅଗ୍ରସର
ସୁଖ ଝରେ ନିରନ୍ତର
ସେନେହ ମମତା ହାତ ବଢେଇଲେ
ପର ଆପଣାର ଭେଦ ନ ରହିଲେ
ଉପୁଜିବ କାହୁଁ ଈର୍ଷା ।
ଏଇତ ଜୀବନ ହସର ଲୁହର
ପାପ ପୁଣ୍ୟ ଦୁଇ ଧାର
ଗୋଟିଏ ସରଗ ଗୋଟିଏ ନରକ
ଦେଖାଇ ଥାଏ ସେ ଦ୍ୱାର
ଅନ୍ୟାୟ ଅଧର୍ମ ଦୁଇଟି ତ କର୍ମ
କପାଳରେ ହୁଏ ଲେଖା
କଲା କର୍ମ ଅନୁସାରେ ଫଳ ମିଳେ
କେହି ହୁଅନ୍ତି ନି ସଖା ।
ବାମ ହାତ ପାପ ଡାହାଣ ନିଏନି
ଲୁଚା ଛପା କର୍ମ ଲୁଚିତ ରହେନି
ଦିନେ ପାସ୍ ହୁଏ ଫର୍ଦ୍ଦା ।
ଝଡ ଝଞ୍ଜା ଭରା ଏଇତ ଜୀବନ
କେବେ ଛାଇ କେବେ ଖରା
କେବେ ରାସ୍ତା ଥାଏ ଫୁଲରେ ବିଛେଇ
କେବେ କଣ୍ଟାରେ ସେ ଭରା ।
ଅଶାନ୍ତିର ଝଦ କେବେ ବହିଯାଏ
ହୃଦୟରେ ଲାଗେ ନିଆଁ
ସେଇ ନିଆଁରେ ଯେ ଜଳି ପୋଡି ଶେଷ
ହୁଅଇ ଖୁସି ଦୁନିଆ
ପରୋପକାର ଭାବ ମନେ ଥିଲେ
କୃପଣ ଦୂରେଇ ଯାଇଥାଏ ଭଲେ
ମନେ ଆଶେ ଭଲ ଆଶା ।
ଏଇତ ଜୀବନ ମରୁ ମରୀଚିକା
ପଥ ଅଟେ ମାୟା ଜାଲ
ବୁଝି ନ ଶୁଝି କି ପାଦ ରଖି ଦେଲେ
ହେଉଥିବ କଲବଲ ।
ଏଇତ ପାଟିରୁ ଅମୃତ ଝରଇ
ପୁଣି ଭରା ଥାଏ ବିଷ
ଥରେ ଝରି ଗଲେ କ୍ଷଣିକ ଭିତରେ
ସମ୍ପର୍କ କରଇ ଶେଷ ।
ଭାବି ଚିନ୍ତି ଯେବେ କଥା ନ କହିବ
ଭଲ ମନ୍ଦ କିଛି ପରଖି ନ ଯିବ
କିଏବା ହେବ ଭରସା ।
ବୟସ ବଢିଲେ ଆଇଷ କମଇ
ଜାଣନ୍ତି ଏ କଥା ସବୁ
ଯେତେ ଦାନ ଦେଲେ ପୁଣ୍ୟ ସେତେ ବଢେ
ନିଏନି କେହି ତାହାକୁ ।
ଜୀବନ ଉପରେ କି ଅବା ଭରସା
ଏଇ ଅଛି ଏଇ ନାହିଁ
ମଶାଣୀ ଜୁଇର ମୁଠେ ପାଉଁଶରେ
ସିଏ ଯିବ ଶେଷ ହେଇ ।
ଭବ ସାଗରରୁ ମୁକ୍ତି ହେବା ପାଇଁ
ସାଥେ ଧର୍ମ ପୁଣ୍ୟ ରହିଥାଏ ଦୁଇ
କାଳିଆ ଥାଏ ଭରସା ।
