ଭକ୍ତ ଓ ଭଗବାନ
ଭକ୍ତ ଓ ଭଗବାନ
ଭକ୍ତ ଭଗବାନ ମଧୁର ସମ୍ପର୍କ
ଅଭିନ୍ନ ଅଟନ୍ତି ସିଏ
ପ୍ରଭୁ ବିନା ଭକ୍ତ ଜୀବନ ଅଧୁରା
ନା ଅସ୍ତିତ୍ବ ରହି ଥାଏ ।
ଭକତଟି ଅଟେ ତା ଜୀବ ଜୀବନ
ପ୍ରଭୁ ତା ପରାଣ ହୁଏ
ଭକତ ଉଦ୍ଧାର ପାଇଁ ଭଗବାନ
ଧରେ ଅବତାର ନିଏ ।
ଭକତର ଦୁଃଖ ପାରେନାହିଁ ସହି
ଭକତ ବତ୍ସଳ ସିଏ
ଭକତକୁ ଯଦି ଆଘାତ ଲାଗଇ
ଲହୁ ତାର ଝରି ଯାଏ ।
ସହି ପାରେ ନାହିଁ ଭକ୍ତ ଅପମାନ
ଭକ୍ତ ଆଖି ଲୁହ ସିଏ
ଭକତର ମାନ ରଖିବାର ପାଇଁ
ନିଜେ ପ୍ରତିଶୋଧ ନିଏ ।
ରକ୍ଷା କରୁଥାଏ ଭକ୍ତର ସମ୍ମାନ
ଛାଇ ପରି ରହି ସିଏ
ଭକ୍ତ ପାଇଁ ଶଙ୍ଖ ଚକ୍ର ଗଦା ପଦ୍ମ
ହସ୍ତେ ସିଏ ଧରି ଥାଏ ।
ଭକତର କଷ୍ଟ ଦେଖି ପାରେ ନାହିଁ
ଭକ୍ତ ପାଖେ ଚାଲି ଯାଏ
ବନ୍ଧୁ ମହାନ୍ତିର ଭୋଗଥାଳି କଥା
ମନେ ପକେଇ ସେ ଦିଏ ।
ଦାସିଆ ବାଉରୀ ନଡିଆକୁ ନେବା
ସେଇ କଥା କହୁଥାଏ
ଭକ୍ତ ସାଲବେଗ ଶୁଣି ଆର୍ତ୍ତ ଡାକ
ରଥ ତା ଅଟକି ଯାଏ ।
ବଳରାମ ଦାସ ଅପମାନ ସହି
ପାରିଲାନି ପରା ସିଏ
ନନ୍ଦିଘୋଷ ରଥ ଛାଡି ବାଲି ରଥେ
ବିଜେ କରିଥିଲା ସିଏ ।
ମୃଗୁଣୀ ରଖିଲା ଗଜ ଉଦ୍ଧାରିଲା
ଅଜାମିଳ ମୁକ୍ତି ପାଏ
ପ୍ରହ୍ଲାଦ ରଖିଲା ଧ୍ରୁବ ନିସ୍ତାରିଲା
କୁବୁଜା ସୁନ୍ଦରୀ ହୁଏ ।
ଭଗବାନ ପାଇଁ ଭକ୍ତ ଟାଣ ରହେ
ଭକ୍ତ ଭଲ ପାଉଥାଏ
ଭକତର ପାଇଁ ଆଖି ନିଦ ହଜି ଯାଏ
ଭକ୍ତ ପାଖେ ଥାଏ ସିଏ ।
ଭକତକୁ କେତେ ଭଲ ପାଅ ତୁମେ
ଏ କଥା ନ ଜାଣେ କିଏ
ସବୁଠୁ ପ୍ରତ୍ୟକ୍ଷ ଅନୁଭବୀ ସାକ୍ଷୀ
ମୋ ପରି ପାପୀଟି ହୁଏ ।
ରକ୍ଷା କରୁଅଛ ଆଶିଷ ଦେଇଛ
କଷ୍ଟ ମୋ ଦୂରେଇ ଯାଏ
କୋଳେଇ ନେଇଛ ସାଥିରେ ରହିଛ
ତୁମକୁ ମୁଁ ଭଲ ପାଏ ।
ଯେତେ ଦୂରେ ପାଦ ରହି ଥାଉ ମୋର
ମନ ତୋ ପାଖକୁ ଧାଏଁ
ଶରଣେ ତୋହର ଆଶ୍ରୟ ନେଇଣ
ପ୍ରଣିପାତ କରୁଥାଏ ।