କର୍ମ ତୋହର ନିଜ ଗୁରୁ
କର୍ମ ତୋହର ନିଜ ଗୁରୁ
କର୍ମଟି ତୋହର ନିଜ ଗୁରୁ ଅଟେ
ଭାବି ଚିନ୍ତି କର୍ମ କର
ପର ମୁହୂର୍ତ୍ତରେ ଯେମିତି ଜୀବନେ
ପ୍ରମାଦ ନ ପଡ଼େ ତୋର ।
ଏମିତି କର୍ମ ତୁ କରି ଯାଇଥିବୁ
ରହିଥିବୁ ହୃଦୟର
ସେବା କରୁଥିବୁ ମନ ମୋହୁଥିବୁ
କରୁଥିବୁ ଉପକାର ।
ଅନ୍ୟ ଦୁଃଖେ ଦୁଃଖୀ ହୋଇ ରହିଥିବୁ
ହେବୁ ନାହିଁ ସ୍ବାର୍ଥପର
ବିଶ୍ବାସ ସହିତ ଖେଳ ଖେଳିବୁନି
ଭରିବୁନି ତୁ ଜହର ।
ଖଚ ମିଛ କହି ଉଜାଡ଼ି ଦେବୁନି
କାହାର ସୁଖ ସଂସାର
ଛଳନା କପଟ କୂଟ ଚକ୍ରାନ୍ତେ କା'
ଭାଙ୍ଗିବୁନି ପରିବାର ।
ଅଶାନ୍ତିର ନିଆଁ ଜଳେଇ କାହାକୁ
କରିବୁନି ଛାରଖାର
ଲିଭେଇ ଦେବୁନି କାହା ଓଠ ହସ
ଶୁଖିବନି ଲୁହଧାର ।
ଅନ୍ୟ ଘର ଯିଏ ଉଜାଡ଼ି ଦିଅଇ
ଭାଙ୍ଗି ଯାଏ ନିଜ ଘର
ମଧୁର ବଚନେ ତୋଷି ଜନ ମନ
କର ନମ୍ର ବ୍ୟବହାର ।
ଯେମିତିକା କର୍ମ ଯିଏ ତ କରଇ
ସେମିତିକା ଭୋଗ ତା'ର
ନିଜର ଅର୍ଜିତ ନିଜ କର୍ମ ଫଳ
ଲେଖାଥାଏ କପାଳର ।
ଅଗ୍ନିରେ ପାଦଟି ପଡ଼ିଯାଏ ଯେବେ
ଫୋଟକା ହେବାର ସାର
ପାପ ପୁଣ୍ୟ ଯାହା ଯିଏ ଅରଜିବ
ରହେ ସେ ତା'ର ଭାଗ୍ୟର ।
ବିଶ୍ବାସରେ ବିଷ ଭରିବୁନି କେବେ
ମନେ ଗର୍ବ ଅହଂକାର
ପର ଆପଣାର ଭାବନା ନରଖି
କରିବୁ ନ୍ୟାୟ ବିଚାର ।
ଆଳସ୍ୟକୁ ସଦା କରିବୁ ବର୍ଜନ
କର୍ମରେ ହେବୁ ତତ୍ପର
କର୍ମ ହିଁ ତ ସତ୍ୟ,ଶକ୍ତି,ଗତି,ମୁକ୍ତି
କର୍ମରେ ଚାଲେ ସଂସାର ।
ମହତ କର୍ମଟି ଯିଏ କରିଥାଏ
ତୋଷ ଥାନ୍ତି ଚକ୍ରଧର
ଛାଇ ପରି ତା'ର ସାଥେ ରହନ୍ତି ସେ
କର୍ମେ ହୁଏ ଅଗ୍ରସର ।
ଏଇ ଦୁନିଆରୁ ଚାଲିଗଲେ ବି ସେ
ହୁଏ ସେ ହେଇ ଅମର
ତାର ସ୍ବାଭିମାନ ଯଶ କୀର୍ତ୍ତିମାନ
ରହେ ସ୍ବର୍ଣ୍ଣ ଅକ୍ଷରର ।
କର୍ମ ପାଇଁ କେତେ କାହାକୁ ପଚାରୁ
ବିବେକକୁ ତୁ ପଚାର
କହିଦେବ ସିଏ କେଉଁଟି ଉଚିତ୍
କ'ଣ ଅନୁଚିତ ତୋର ।
ଏଇ ଦୁନିଆରେ କର୍ମଟି ମହାନ
କର୍ମରେ ମୁକତି ସାର
କର୍ମ ବିନା ନାହିଁ ଜୀବନର ଗତି
ଭାବି ଚିନ୍ତି କର୍ମ କର ।
