🥦🌹ମୋ ଗାଆଁ ।🌹🥦 🥦❤🙏❤🥦
🥦🌹ମୋ ଗାଆଁ ।🌹🥦 🥦❤🙏❤🥦
ଗାଆଁ ପରିବେଶ ଗାଆଁର ଚଳଣୀ
କେତେ ଭଲ ଲାଗେ ସତେ
ସବୁଜ ସୁନ୍ଦର ସୁନେଲି ଫସଲ
ଢେଉ ଖେଳୁଥାଏ କ୍ଷେତେ ।
ଚାରି ପାରୁଶରେ ଗଛ ଲତା ଭରା
ଧାନ ବିଲ ଶୋଭା ପାଏ
ତାଳ ଗଛ ଭରା ଆମ୍ବ ତୋଟା ମାଳେ
ଗାଁ ସୁନ୍ଦର ଦିଶୁ ଥାଏ ।
ରଙ୍ଗ ମାଟି ଲିପା ଛଣ ଛପରରେ
ଘର କି ସୁନ୍ଦର ଦିଶେ
ଘର ଅଗଣାରେ ମଳୟ ବହଇ
ଆକାଶେ ବଉଦ ଭାସେ ।
ଗାଆଁ ପୋଖରୀଟି କଇଁ ଫୁଲ ଫୁଟି
କି ସୁନ୍ଦର ଦେଖାଯାଏ
ବରଷା ହୋଇଲେ ଚାଳ ଛପରରୁ
ପାଣି ଟୋପା ପଡୁ ଥାଏ ।
ଗାଆଁର ଦାଣ୍ଡରେ ବରଷାର ପାଣି
ଗୋଳି ହେଇ ବୋହି ଯାଏ
ରଙ୍ଗ ବେରଙ୍ଗର କାଗଜର ଡଙ୍ଗା
ତା ଦେହରେ ଭାସୁ ଥାଏ ।
ପୁରୁଣା ଖାତାକୁ ଚିରି ପିଲାମାନେ
କାଗଜ ଡଙ୍ଗା କରନ୍ତି
ଧାଇଁ ଯାଇ ପାଣି ସୁଅର ମଝିରେ
ଭସେଇ ଦେଇ ଆସନ୍ତି ।
ଗାଆଁରେ ପୋଖରୀ ଗାଆଁରେ ମନ୍ଦିର
ଗାଆଁରେ ମଶାଣୀ ଥାଏ
ଗାଆଁର ଜଙ୍ଗଲ ଆମ୍ବ ତୋଟାମାଳେ
ରଜ ଦୋଳି ଖେଳା ଯାଏ ।
ଭାରି ଭଲ ଲାଗେ ପୋଖରୀ ଗାଧୁଆ
ସେ କଇଁ ଫୁଲ ତୋଳିବା
ବିଲ ମାହଳର ପାଣିକୁ ବନ୍ଧେଇ
ବାହିଣ ମାଛ ମାରିବା ।
ଆମ୍ବ ଜାମୁ କେନ୍ଦୁ କୋଳି କଇଁଆକୁ
ଖାବୁଡରେ ଝଡେଇବା
କାନ୍ଧିଆ ବିଜୁଳି ଗଛରେ ଚଢିଣ
ଡାଳରେ ବସି ଖାଇବା ।
ଗାଆଁରେ ସ୍କୁଲ୍ ଗାଆଁ ଗାଈ ଗୋଠ
ଖେଳ ପଡିଆ ଯେ ଥାଏ
ଗାଆଁ ସନ୍ଧ୍ୟା କେତେ ମନଲୋଭା ସତେ
ଆଖି ଝଲସେଇ ଦିଏ ।
ସନ୍ଧ୍ୟା ହେଇଗଲେ ହମ୍ବା ରଡି କରି
ଗାଈ ଆସନ୍ତି ବାହୁଡି
ଦୂର ଦେଶୁ ପକ୍ଷୀମାନେ ନଭେ ଡେଣା
ଝାଡିଣ ଆସନ୍ତି ଉଡି ।
ଚଉରା ମୂଳରେ ଗାଆଁ ବୋହୁମାନେ
ସଞ୍ଜ ବତୀ ଯେ ଜଳାନ୍ତି
ରାତି ଆସିଗଲେ ଖାଇ ପିଇ ଶାନ୍ତି
ଭାବେ ସେ ଶୋଇ ଯାଆନ୍ତି ।
ଗାଆଁରେ କାହାର ବିପଦ ପଡିଲେ
ସାହାଯ୍ୟ ତାକୁ କରନ୍ତି
ଗାଆଁ ଯାନି ଯାତ୍ରା ମିଳିମିଶି ସବୁ
କି ସୁନ୍ଦର ପାଳି ଥାନ୍ତି ।
ଗାଆଁ ବଣ ଭୋଜି ଭାରି ଭଲ ଲାଗେ
ପିଲାମାନେ କରିଥାନ୍ତି
ଅଗିରା ପରବ ହୋଲି ପର୍ବ ସତେ
କି ସୁନ୍ଦର ପାଳୁ ଥାନ୍ତି ।
ରାତି ପାହିଗଲେ ଗାଆଁର ସକାଳେ
କାଉ କାଆ କରୁ ଥାଏ
ଗଞ୍ଜା ରାବୁ ଥାଏ ହନୁ ଡେଉଁ ଥାଏ
କେତେ ମଜା ଲାଗୁ ଥାଏ ।
ମୋ ଗାଆଁର ପାଣି ପବନର ମୋର
ଏଇ ତ ଗଢା ଶରୀର
ତା ପାଇଁ ଆଜି ଆମେ ତ ବଞ୍ଚିଛୁ
ତା ପାଦେ କୋଟି ଜୁହାର ।
ଗାଁ ସ୍ନେହ ମମତା ଗାଆଁର ସେ ସ୍ମୁତି
ସବୁଠୁ ବଡ ନିଆରା
ଏଇ ଗାଆଁ ପାଇଁ ଏ ଜଗତ ହସେ
ହସୁଥାଏ ବସୁନ୍ଧରା ।
