STORYMIRROR

Sambit Srikumar

Abstract Inspirational

3  

Sambit Srikumar

Abstract Inspirational

ହ୍ଯାପି ମଦର୍ସ ଡ଼େ

ହ୍ଯାପି ମଦର୍ସ ଡ଼େ

2 mins
236


ସାତସିଆଁ ମଳି ଜୁଡୁବୁଡୁ ଲୁଗାଟିଏ ପିନ୍ଧି

ଶିରାଳ ହାତରେ ବାସନକୁସନକୁ ମାଜି

ଚକ୍ ଚକ୍ କରୁଥିବା ଆଉ ସେଇ ବାସନରେ

ଆପଣାର ଲୋଳିତ ମୁଖକୁ କୋଟରଗତ

ଚକ୍ଷୁରେ ବାର ବାର ବାରମ୍ବାର ପରଖୁଥିବା

ଆପଣାର ସୁଖଦ ଅତୀତକୁ ଅହରହ ଝୁରୁଥିବା

ଅଣ୍ଟା ନଇଁ ପଡ଼ିଥିବା ବେସାହାରା ମାଆଟିକୁ

ଆଜି ଆସିଛି ଡାକରା ସ୍ନେହରେ ଆଦରରେ

ତା'ର ଅତି ଆପଣାର ଅପତ୍ଯବର୍ଗର

ରକ୍ତର ଅତୁଟ ସମ୍ପର୍କୀୟ ପିଲାମାନଙ୍କର

କଡ଼ା ଇସ୍ତ୍ରୀ ହୋଇଥିବା ରେଶମୀ

ପାଟଶାଢ଼ୀ ପିନ୍ଧି ଫଟୋ ପ୍ରଦର୍ଶନୀ ପାଇଁ

ତୋଳିବାକୁ କିଛି ମର୍ମସ୍ପର୍ଶୀ ଛବି ?


ହାପି ମଦର୍ସ ଡ଼େ' କମ୍ପିଟିସନ୍ ଚାଲିଛି

ସାମାଜିକ ଗଣମାଧ୍ୟମରେ ମାଆ ସହିତ

ଫଟୋ ଉଠାଇ ନଛାଡ଼ିଲେ ସତରେ

ଆମେ ତ' ରହିଯିବୁ ବହୁ ପଛରେ

ଆଉ ନହେଲେ ନାହିଁ ଆଜି ଯେମିତି

ହେଲେବି ମାଆ ସହିତ ହୃଦୟସ୍ପର୍ଶୀ ଛବିଟିଏ

ନ ଉଠାଇଲେ ଅଧୁରା ରହିଯିବ

ନିଶ୍ଚିତ ଆମର ମାତୃପ୍ରେମ ମାତୃଭକ୍ତି

ମହାପୁରୁଷମାନେ ତ କହିଛନ୍ତି ଶାସ୍ତ୍ରରେ

"ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ"

ଶାସ୍ତ୍ରକୁ କଣ ଏଡ଼ି ହେବ ଏତେ ସହଜରେ ?


ମାଆ ତ ଅନ୍ୟ ଦିନମାନଙ୍କରେ ବୋଝ

ତା' ବୋଝ ବୋହିବାକୁ ଦରକାର ପଡ଼ିଲେ

ଆମେ ତା'ର ଅପତ୍ଯବର୍ଗ ଉଠାଉ ଶସ୍ତ୍ର

ମାଆ ପାଇଁ କେତେ ହିସାବ ନିକାସ

କେତେ ରକ୍ତପାତ ରକ୍ତାକ୍ତ ସଂଘର୍ଷ

କାହିଁକି ନା ସେଇ ହିଁ ତ ନିଜେ ଏକୁଟିଆ

ଗଢିଛି ଆମକୁ ଦେଇ ତାହାର ଶୋଣିତ

ତା' ପାଇଁ ରକ୍ତପାତ ତ ଅତ୍ୟନ୍ତ ଯଥାର୍ଥ

ଏଠି ଜୀବନର ମାନେ ତ ହିସାବ ହିଁ ହିସାବ

ଲାଭରେ ସଭିଏଁ ଆଶାୟୀ କ୍ଷତି କାହାକୁ ପସନ୍ଦ ?


ଜଟିଳ ହିସାବ କିତାବ ଶିଖିନଥିବା

ଦୁନିଆର ଛନ୍ଦ ମନ୍ଦ ଜାଣିନଥିବା

ବିଚାରୀ ମାଆ ଜୀବନର ସାୟାହ୍ନରେ

ବା କାହୁଁ ବୁଝିବ ଅବା ବୁଝିବାକୁ ଚାହିଁବ

ଏଇ ଦିନେ ନାହିଁ କାଳେ ନାହିଁ

ଗହ୍ମା ପୂର୍ଣ୍ଣମୀରେ ମାଇଁ ମାଇଁ ଡାକରା

ଏଇ ଅଦିନିଆ ମାତୃଭକ୍ତିର ଉଜାଣିର

ନିହିତ କାରଣ ନିଗୂଢ଼ ରହସ୍ୟ ମହତ୍ତ୍ବ ଅବା

ମାତୃ ପୂଜନ ମହୋତ୍ସବର ଉଦ୍ଦେଶ୍ଯ

ହାପି ମଦର୍ସ ଡ଼େ' ତ ତା ପାଇଁ

ଆକାଶ କଇଁଆ ଚିଲିକା ମାଛ ?


ତା'ର ତ ତା' ପିଲାଙ୍କ ଖୁସିରେ ଖୁସି

ସେମାନେ ସୁଖରେ ରହିଲେ କୋଟିନିଧି

ସେମାନେ ଭଲ ମନ୍ଦ ଚିଜ ଖାଇଲେ

ଶ୍ରବଣ ଦର୍ଶନ ମାତ୍ରକେ ତା'ର ପେଟର

ଶୂନ୍ୟସ୍ଥାନ ଆପେ ଆପେ ଭରିଯାଏ

ନିଜେ ଥିଲେ ବି ଭୋକ ଉପାସରେ

ସଢୁଥିଲେ ବି ଚରମ ଅବହେଳାରେ

କେବେ ବି ପ୍ରତିବାଦ କରେନି

କର୍ମ କି ଭାଗ୍ୟକୁ ଦିନେ ବି ନିନ୍ଦେନି

ଲୁହ ଗଡ଼ାଇବା ତ ଦୂରର କଥା

କାଳେ ଅମଙ୍ଗଳ ହେବ ପିଲାଙ୍କର

ସିଏ ବା କାହିଁ କରିବ ପାତର ଅନ୍ତର

ପିଲାଙ୍କ ପାଇଁ ସିନା ମାଆ ବୋଝ

ପାଳି କରି ପୋଷିବାର ଅଛିଣ୍ଡା ହିସାବ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract