ସମ୍ବିଧାନ ପ୍ରଣେତା
ସମ୍ବିଧାନ ପ୍ରଣେତା
ସ୍ବାଧୀନ ଭାରତ ଆମେ ନାଗରିକ
ଆମେରେ ଭଉଣୀ ଭାଇ
ଗୋଟିଏ ଗଛର ଅନେକ ଫୁଲ ତ
ଗୋଟେ ମାଳେ ଗୁନ୍ଥା ହେଇ ।
ହେଇଛୁ ସ୍ବାଧୀନ କରୁଛୁ ଶାସନ
ସମ୍ବିଧାନ ଅଛି ରହି
ସମ୍ବିଧାନ ପ୍ରଣେତା ଜନ୍ମଦାତା ତ
ବି ଆମ୍ବେଦକର ସେହି ।
କୋଟି ପ୍ରଣିପାତ କରୁଛୁ ତାହାଙ୍କୁ
ଏଇ ଆମ ମଥା ନଇଁ
ତାଙ୍କ ପାଇଁ ଆଜି ନିଜ ଅଧିକାର
ନିଜେ ତ ଯାଇଛୁ ପାଇ ।
କରିଲେ ଆଇନ ପ୍ରଣୟନ ସିଏ
ହେଉଅଛି କାର୍ଯ୍ୟକାରୀ
ଉଣେଇଶି ଶହ ପଚାଶ ମସିହା
ଛବିଶି ଏ ଜାନୁଆରୀ ।
ଜାତୀୟ ପତାକା ତ୍ରିରଙ୍ଗା ଆମର
ଉଡୁଛି ନୀଳ ଜୀମୁତ
ବିଶ୍ବ ଇତିହାସେ ଅର୍ଜି ଗଲା କୀର୍ତ୍ତି
ମହାନ୍ ଆମ ଭାରତ ।
ଅଠେଇଶିଟି ରାଜ୍ୟ ସାତଟି ଆମ
ରହିଛି କେନ୍ଦ୍ରଶାସିତ
ସାର୍ବଭୌମ ଏଇ ଗଣତନ୍ତ୍ର ରାଷ୍ଟ୍ର
ହେଉଛି ଆମ ଭାରତ ।
ଆହୁଲା ଧରିଛୁ କାତ ବି ମାରୁଛୁ
ବାହୁଛୁ ନାଆ ଆମର
ଆମରି ନାଆରେ ଆମେ ତ ନାଉରୀ
କାହାକୁ ନାହିଁ ତ ଡର ।
ନିଜ ଜୀବନକୁ ବାଜି ଦେଇ ଆମେ
ରଖିବୁ ମାତା ସମ୍ମାନ
ମାତାର ମହତ ଆମର ଜୀବନ
ଆମେ ତ ତାର ସନ୍ତାନ ।
ସ୍ମୃତି ହେଇ ସିଏ ରହିଛି ଆମର
ଚିର ଦିନ ଥିବ ରହି
ମହାନ ଆମର ଏ ଭାରତ ବର୍ଷ
ସଲାମ୍ କରୁଛି ମୁହିଁ ।।
