ସପନରେ ତୁମେ
ସପନରେ ତୁମେ
ବୁଝି ମୁଁ ପାରୁନି କିଏ ତୁମେ ସାଥୀ
କୋଉଠି ତୁମର ବାସ
କହି କି ପାରିବ ସପନରେ ତୁମେ
କାହିଁକି ମୋହର ଆସ ?
ଜାଣିନି ତୁମକୁ ଦେଖିନି ଆଖିରେ
ସପନରେ ଆସ ପାଶ
କଥାରେ ଭୂଲେଇ ମନକୁ ଚୋରାଇ
ତୁମେ ମୋ ପାଖରେ ବସ ।
କୋମଳ ବଚନ କହି ଭାଙ୍ଗ ମାନ
ଓଠେ ଭରା ଥାଏ ହସ
ଏତେ ଭଲ ପାଅ କୋଳେଇଣ ନିଅ
ସ୍ନେହେ କରି ଦିଅ ବଶ ।
ତୁମେ ଯେବେ ଆସ ପାଖରେ ମୋ ବସ
ବାସ ଛୁଟେ ଚଉପାଶ
ରଜନୀଗନ୍ଧାର ସଜ ଗୋଲାପର
ମଲ୍ଲୀ ଫୁଲର ସୁବାସ ।
ବିଭୋର କରଇ ତନୁ ମନ ମୋର
ଓଠେ ଆସି ଯାଏ ହସ
ଧରିବାକୁ ଯେବେ ହାତ ମୁଁ ବଢାଏ
ସପନ ହୁଅଇ ଶେଷ ।
ଆଖି ଆଗେ ଖାଲି ନାଚେ ତୁମ ଛବି
ଭୁଲି ପାରେନି ସେ ହସ
ଲାଗେ ତ ଯେମିତି ନୁହେଁ ସେ ସପନ
ସତେ ଅଛ ତୁମେ ପାଶ ।
ଆଖି ମଳି ମଳି ଯେବେ ଚାହିଁ ଦିଏ
ହେଇ ଯାଉଛ ଅଦୃଶ୍ୟ
ବୁଝି ମୁଁ ପାରୁନି କିଏ ଗୋ ରୂପସୀ
କାହିଁକି ଆସୁଛ ପାଶ ?
ଆଖିରେ ନଚେଇ ଦେଉଛ ଫସେଇ
ପ୍ରେମରେ କରୁଛ ବଶ
ପ୍ରେମ ଯାଦୁଗରୀ ପ୍ରେମ ଚୋରି କରି
ଉଭାନ ହେଉଛ ପାଶ ।
ଭୁଲି ମୁଁ ପାରୁନି ଖୋଜି ବି ପାଉନି
କି ଯାଦୁ ଅଛି ପରଶ
ଝୁରେ ମନ ମୋର କହି କି ପାରିବ
କାହିଁକି ସପନେ ଆସ ?
